ପୋଲିସ ଗାଡିରେ ଗଞ୍ଜେଇ ଚୋରା ଚାଲାଣ- ବାଃ, କି ସୁନ୍ଦର ବ୍ୟବସ୍ଥା 

0

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜିଲ୍ଲା ରେଙ୍ଗାଲି ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ଶନିବାର ସନ୍ଧ୍ୟା ୬ ଟା ବେଳେ କୌଣସି ବିଶ୍ୱସ୍ତ ସୂତ୍ର ରୁ ସମ୍ବଲପୁର ରୁ ଝାରସୁଗୁଡା ଅଭିମୁଖେ ଏକ ବଲେରୋ ଗାଡ଼ିରେ ଗଞ୍ଜେଇ ଚାଲାଣ ହୋଉଥିବା ଖବର ପାଇ ରେଙ୍ଗାଲି ଥାନା ଭାରପ୍ରାପ୍ତ ଅଧିକାରୀ  ଧବଳେଶ୍ୱର ସାହୁ ଅନ୍ୟ କର୍ମଚାରୀଙ୍କ ସହ ରେଙ୍ଗାଲି  ୧୦ ନମ୍ବର ରାଜ୍ୟ ରାଜପଥ (ବିଜୁ ଏକ୍ସପ୍ରେସ ୱେ) ରାମାପଡା  ଛକ ରେ ନିକଟରେ ନାକା-ବନ୍ଦି କରି ଏକ ବଲେରୋ ଗାଡି ଓଡି-୦୫-ଏପି-୨୭୪୪ କୁ ଯବତ କରିଥିଲେ।

ଗାଡି ଭିତରେ ଏକ ଗଞ୍ଜେଇ ଭର୍ତ୍ତି ବସ୍ତା ରହିଥିଲା। ଯେଉଁ ବସ୍ତାରେ ୨୧ କେଜି ଗଞ୍ଜେଇ ଥିଲା। ଅନୁସନ୍ଧାନ ପରେ ଉକ୍ତ ଗାଡିଟି ଝାରସୁଗୁଡା ଜିଆରପି ଥାନାର ବୋଲି ଜଣା ପଡିଥିଲା ।  ଗାଡି ଚାଲକ ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କୁ ପୋଲିସ ଗିରଫ କରିଥିଲା। ପୂର୍ଣ୍ଣଚନ୍ଦ୍ରଙ୍କ ନିଜ ଘର ସୁନ୍ଦରଗଡ ଜିଲ୍ଲା ବଣେଇ- ବିଶିପାଲି ପାଖ ତୁରାମୁରା ଗ୍ରାମ ବୋଲି ଜଣାପଡିଛି। ଅଭିଯୁକ୍ତ ପାତ୍ର  ଝାରସୁଗୁଡାରେ ସପରିବାର  ରହି ସେ ଝାରସୁଗୁଡା ଜିଆରପି ଥାନାର ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିଲେ। ଏଠାରେ ପ୍ରଶ୍ନ ଉଠୁଛି ଝାରସୁଗୁଡା ଜିଆରପିର ଏହି ଗାଡ଼ି ସମ୍ବଲପୁର କେଉଁ  କାମ ପାଇଁ ଯାଇଥିଲା ଏବଂ ଡ୍ରାଇଭର ପାତ୍ର କେଉଁଠାରୁ ଗଞ୍ଜେଇ  ଆଣି ଝାରସୁଗୁଡାକୁ ଆସୁଥିଲେ ଏବଂ ଏହି ଗଞ୍ଜେଇକୁ ସେ କାହାକୁ ଦେଇଥାନ୍ତେ। ତାହା ତଦନ୍ତ ସାପେକ୍ଷ। ଏହି ଘଟଣାର ନିରପେକ୍ଷ ତଦନ୍ତ କଲେ ଏପରି ଗଞ୍ଜେଇ ଚୋରା ଚାଲାଣ କେବେ ଠାରୁ ଚାଲିଛି ଓ ଏହାର ଚେର କେତେ ଦୂର ଲମ୍ବିଛି ତାହା ସଠିକ୍ ଭାବରେ ଜଣାପଡିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ରେଙ୍ଗାଲି ପୋଲିସ ଥାନା କେଶ ନଂ ୧୫୧ ଏନଡିପିଏସ ଆକ୍ଟରେ କେଶ ରୁଜୁ କରି ଡ୍ରାଇଭର ପାତ୍ରଙ୍କୁ କୋର୍ଟ ଚାଲାଣ କରିଛି। 

Leave A Reply

Your email address will not be published.