ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ଗୁଣପୁର ସଦର ସ୍ଥାନୀୟ ରାମେଶ୍ୱର ନଗର ସ୍ଥିତ ମହାତ୍ମାଗାନ୍ଧୀ ଇଣ୍ଟର ନେସନାଲ ପବ୍ଲିକ ସ୍କୁଲରେ ଶିଶୁ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହୁର ଙ୍କ ଫୋଟ ଚିତ୍ରରେ ମାଲ୍ୟର୍ପଣ ଓ ପ୍ରଦୀପ ପ୍ରଜ୍ଵଳନ କରି ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମିଶ୍ର ଓ ପ୍ରଶାସନିକ ଅଧିକାରୀ ରାଜେନ୍ଦ୍ର କୁମାର ପାତ୍ର ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟର ନର୍ସରୀରୁ ରୁ ସମସ୍ତ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କ ପାଇଁ ଏହି ଦିବସକୁ ନିଆରା ଢଙ୍ଗରେ ପାଳନ କରି ବିଦ୍ୟାଳୟ ପରିବେଶକୁ ଉତ୍ସବ ମୁଖର କରିଥିଲେ । ଏହି ଅବସରରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ପାର୍ଥନା ସଭା ପରିଚାଳନା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସଙ୍ଗୀତ,ନୃତ୍ୟ,ନାଟକ ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ। ପଣ୍ଡିତ ନେହୁରଙ୍କ ଜୀବନ ଦର୍ଶନକୁ ନେଇ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବକ୍ତୃତା ପ୍ରଦାନ କରିଥିଲେ। ଅଧ୍ୟକ୍ଷ ଶ୍ରୀଯୁକ୍ତ ମିଶ୍ର, ଶିକ୍ଷୟତ୍ରୀ ଶ୍ରୀୟା ଶ୍ରୁତି ପାଣିଗ୍ରାହୀ ଓ ଜୟଶ୍ରୀ ପାଣିଗ୍ରାହୀ ଛାତ୍ରଛାତ୍ରୀ ମାନଙ୍କୁ ଭଲ ପାଠ ପଢି ସୁନାଗରିକ ହେବାପାଇଁ ଉଦବୋଧନ ଦେଇଥିଲେ ଓ ପିଲାମାନଙ୍କ ଉଜ୍ଵଳ ଭବିଷ୍ୟତ କାମନା କରି କହିଥିଲେ ଯେ ଶିଶୁ ହସିଲେ ଦୁନିଆ ହସେ,ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଖରେ ଈଶ୍ୱର ପ୍ରଦତ୍ତ ସୃଜନଶୀଳତା ଅଛି, ନିଷ୍ଠାର ସହିତ ପାଠ ପଢି ତୁମେ ନିଜ ଜୀବନକୁ ନିଜେ ସରସ ସୁନ୍ଦର କରିପାରିବ । ବିଦ୍ୟାଳୟର ସଭାପତି ବ୍ରଜ ସୁନ୍ଦର ପାଢ଼ୀ କହିଥିଲେ ଆଜିର ଶିଶୁ କାଲି ଦେଶର ଭବିଷ୍ୟତ ଅଟନ୍ତି। ତେଣୁ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଓ ଉନ୍ନତ ଶିକ୍ଷା ପାଇଁ ବିଦ୍ୟାଳୟ ସର୍ବଦା ଚେଷ୍ଟା କରିଥାଏ ଏବଂ ଶିଶୁ ଦିବସର ଅଭିନନ୍ଦନ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଅଂଶଗ୍ରହଣ କରିବା ସହିତ ସୂଚାରୁ ରୂପେ ପରିଚାଳନା କରିଥିଲେ । ଶେଷରେ ସମସ୍ତ ଛାତ୍ର ଛାତ୍ରୀଙ୍କ ପାଇଁ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ପକ୍ଷରୁ ସ୍ୱାଦିଷ୍ଟ ଭୋଜନ ର ବ୍ୟବସ୍ଥା କରାଯାଇଥିଲା।ଶିକ୍ଷୟତ୍ରୀ ଜୟଶ୍ରୀ ପାଣିଗ୍ରାହୀ ପ୍ରାରମ୍ଭିକ ଭାଷଣ ସହ ମଞ୍ଚ ପରିଚାଳନା କରିଥିଲେ।