ନକଲି ଇ-ଚାଲାଣ ମେସେଜ୍‌ରେ ୫.୯୯ ଲକ୍ଷ ଠକେଇ, ମୁମ୍ବାଇରୁ ସାଇବର ଅପରାଧୀ ଗିରଫ

13

ରାଉରକେଲା,(ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ନକଲି ଟ୍ରାଫିକ୍ ଇ-ଚାଲାଣ ମେସେଜ୍‌ ମାଧ୍ୟମରେ ରାଉରକେଲାର ଜଣେ ବ୍ୟକ୍ତିଙ୍କଠାରୁ ୫ ଲକ୍ଷ ୯୯ ହଜାର ୫୮୮ ଟଙ୍କା ଠକେଇ ଘଟଣାରେ ରାଉରକେଲା ପୋଲିସ୍‌ର ସାଇବର କ୍ରାଇମ୍‌ ଓ ଅର୍ଥନୈତିକ ଅପରାଧ ଶାଖା ସଫଳତା ହାସଲ କରିଛି। ଏହି ମାମଲାରେ ପୋଲିସ୍‌ ମୁମ୍ବାଇରୁ ଜଣେ ୩୫ ବର୍ଷୀୟ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତ ହେଲେ ମହାରାଷ୍ଟ୍ରର ମୁମ୍ବାଇ କଳାଚୌକି ଥାନା ଅନ୍ତର୍ଗତ ପରେଲ ଅଞ୍ଚଳର ଚେତନ ଶରଦ କୁର୍ହାଡେ (୩୫)। ତାଙ୍କ ନିକଟରୁ ଗୋଟିଏ ଆଇଫୋନ୍‌ ୧୫ ପ୍ଲସ୍‌, ଗୋଟିଏ ସାମସଙ୍ଗ୍‌ ଗାଲାକ୍ସି ଜେଡ୍‌ ଫୋଲ୍ଡ ମୋବାଇଲ୍‌, ୪ଟି କ୍ରେଡିଟ୍‌ କାର୍ଡ ଓ ଗୋଟିଏ ପାନ୍‌ କାର୍ଡ ଜବତ କରାଯାଇଛି।

ପୋଲିସ୍‌ ସୂଚନା ଅନୁସାରେ, ଗତ ମେ’ ୩୦ ତାରିଖ ରାତି ପ୍ରାୟ ୧୦ଟା ୩୦ରେ ଅଭିଯୋଗକାରୀଙ୍କ ହ୍ୱାଟ୍ସଆପ୍‌କୁ ଏକ ମେସେଜ୍‌ ଆସିଥିଲା। ଏହା ସରକାରୀ ଟ୍ରାଫିକ୍‌ ଇ-ଚାଲାଣ ବିଜ୍ଞପ୍ତି ଭଳି ଦେଖାଯାଉଥିଲା ଏବଂ ୫୦୦ ଟଙ୍କା ଜରିମାନା ଦେବାକୁ କୁହାଯାଇଥିଲା। ଅଭିଯୋଗକାରୀ ମେସେଜ୍‌ରେ ଥିବା ଲିଙ୍କ୍‌ରେ କ୍ଲିକ୍‌ କରିବା ପରେ ତାଙ୍କ ମୋବାଇଲ୍‌କୁ ଏକାଧିକ ଓଟିପି ମେସେଜ୍‌ ଆସିବା ଆରମ୍ଭ ହୋଇଥିଲା।

ପରେ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବାରୁ ୬ଟି ଅନଧିକୃତ ୟୁପିଆଇ କାରବାର ହୋଇଥିବା ଜଣାପଡ଼ିଥିଲା। ଏହି କାରବାର ମାଧ୍ୟମରେ ତାଙ୍କ ସଞ୍ଚୟ ଖାତାରୁ ମୋଟ ୫,୯୯,୫୮୮.୫୩ ଟଙ୍କା ଡେବିଟ୍‌ ହୋଇଥିଲା।

ଘଟଣାର ତଦନ୍ତ ସମୟରେ ପୋଲିସ୍‌ ଟ୍ରାଞ୍ଜାକ୍ସନ୍‌ ଟ୍ରେଲ୍‌ ଯାଞ୍ଚ କରିବା ସହ ସମ୍ପୃକ୍ତ ବ୍ୟାଙ୍କ, ପେମେଣ୍ଟ ମଧ୍ୟସ୍ଥି ଓ ଅନ୍ୟ ସଂସ୍ଥାଠାରୁ ହିତାଧିକାରୀଙ୍କ ଆକାଉଣ୍ଟ ବିବରଣୀ, କାରବାର ଷ୍ଟେଟମେଣ୍ଟ ଓ କେୱାଇସି ଦସ୍ତାବିଜ ସଂଗ୍ରହ କରିଥିଲା। ଠକେଇ ଟଙ୍କା କ୍ରେଡିଟ୍‌ କାର୍ଡ ବିଲ୍‌ ପେମେଣ୍ଟରେ ବ୍ୟବହାର ହୋଇଥିବା ମଧ୍ୟ ତଦନ୍ତରୁ ଜଣାପଡ଼ିଥିଲା।

ଏହାପରେ ଲିଙ୍କ୍‌ ହୋଇଥିବା କ୍ରେଡିଟ୍‌ କାର୍ଡ ଓ ମୋବାଇଲ୍‌ ନମ୍ବରର ସୂଚନା ଆଧାରରେ ରାଉରକେଲା ପୋଲିସ୍‌ର ଏକ ଟିମ୍‌ ମୁମ୍ବାଇ ଯାଇ ଚେତନ ଶରଦ କୁର୍ହାଡେଙ୍କୁ ଗିରଫ କରିଥିଲା।

ତଦନ୍ତରେ ଅଭିଯୁକ୍ତଙ୍କ ସହ ଲିଙ୍କ୍‌ ଥିବା ବ୍ୟାଙ୍କ ଆକାଉଣ୍ଟ ଓ କ୍ରେଡିଟ୍‌ କାର୍ଡଗୁଡ଼ିକ ମାଧ୍ୟମରେ ହରିୟାଣା, ମୁମ୍ବାଇ, ଦିଲ୍ଲୀ ଓ କୋଲକାତା ସମେତ ବିଭିନ୍ନ ରାଜ୍ୟରେ ପ୍ରାୟ ୧୮.୭ ଲକ୍ଷ ଟଙ୍କାର ସାଇବର ଠକେଇ ସମ୍ପର୍କିତ ଅଭିଯୋଗ ଥିବା ଜଣାପଡ଼ିଛି। ଏହି ଘଟଣାରେ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହ ଠକେଇ ଟଙ୍କାର ପ୍ରବାହ ଠାବ କରିବାକୁ ତଦନ୍ତ ଜାରି ରହିଛି।

ରାଉରକେଲା ପୋଲିସ୍‌ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ଓ୍ବାଧଓ୍ବାନୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରାବଣୀ ନାୟକ, ସାଇବର ସେଲ୍‌ ଡିଏସ୍‌ପି ଅମରେନ୍ଦ୍ର ଷଣ୍ଢ, ଇନ୍ସପେକ୍ଟର ପଦ୍ମାବତୀ ମିର୍ଦ୍ଧାଙ୍କ ସମେତ ବରିଷ୍ଠ ପୋଲିସ୍‌ ଅଧିକାରୀମାନେ ସୂଚନା ଦେଇଥିଲେ।

ପୋଲିସ୍‌ ପକ୍ଷରୁ ସାଧାରଣ ଲୋକଙ୍କୁ ସତର୍କ କରାଯାଇ କୁହାଯାଇଛି ଯେ, ଅଜଣା ଲିଙ୍କ୍‌ରେ କ୍ଲିକ୍‌ କରିବା କିମ୍ବା ଅଜଣା APK ଫାଇଲ୍‌ ଡାଉନଲୋଡ୍‌ କରିବାରୁ ଦୂରେଇ ରୁହନ୍ତୁ। କୌଣସି ବ୍ୟକ୍ତିଙ୍କୁ ବ୍ୟାଙ୍କ ବିବରଣୀ, ଓଟିପି କିମ୍ବା ଅନ୍ୟ ବ୍ୟକ୍ତିଗତ ସୂଚନା ଦିଅନ୍ତୁ ନାହିଁ। ସାଇବର ଠକେଇର ଶିକାର ହେଲେ ତୁରନ୍ତ ୧୯୩୦ ନମ୍ବରରେ ଯୋଗାଯୋଗ କରିବା ସହ ସ୍ଥାନୀୟ ଥାନା, ସାଇବର ଥାନା କିମ୍ବା ୧୧୨ରେ ଯୋଗାଯୋଗ କରିବାକୁ ପୋଲିସ୍‌ ପରାମର୍ଶ ଦେଇଛି।

ଏହି ଘଟଣାରେ ସାଇବର କ୍ରାଇମ୍‌ ଓ ଅର୍ଥନୈତିକ ଅପରାଧ ଶାଖା ଥାନା କେସ୍‌ ନମ୍ବର-୩୯, ତାରିଖ ୦୨.୦୮.୨୦୨୬ରେ ବିଏନ୍‌ଏସ୍‌ ଧାରା ୩୧୮(୪)/୩୧୯(୨)/୩୩୬(୩) ଏବଂ ଆଇଟି ଆକ୍ଟ, ୨୦୦୦ର ଧାରା ୬୬/୬୬-ସି/୬୬-ଡି ଅନୁଯାୟୀ ମାମଲା ରୁଜୁ ହୋଇଛି।

Leave A Reply

Your email address will not be published.