ମାଲକାନଗିରି:(୧୫/୧୧/୨୬:-(ସୁରେନ୍ଦ୍ର କୁମାର ବେମାଳ): ସ୍ଥାନୀୟ ସରକାରୀ ପଲିଟେକ୍ନିକ୍ ପରିସରରେ ୧୧ତମ ବାର୍ଷିକ ଆଥଲେଟିକ୍ ମିଟ୍ (କ୍ରୀଡ଼ା ଉତ୍ସବ) ମହାସମାରୋହରେ ଉଦ୍ଯାପିତ ହୋଇଯାଇଛି। ଦୁଇ ଦିନ ଧରି (ନଭେମ୍ବର ୧୩ ଓ ୧୪ ତାରିଖ) ଚାଲିଥିବା ଏହି କ୍ରୀଡ଼ା ମହୋତ୍ସବରେ ଅନୁଷ୍ଠାନର ଅଧ୍ୟକ୍ଷା ଇଂ ଶର୍ମିଳା ଶବରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗୀୟ ମୁଖ୍ୟ ଡଃ ରଞ୍ଜନ କୁମାର ସ୍ୱାଇଁ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ଏବଂ ଉଦ୍ଯାପନୀ ସମାରୋହରେ କୃତୀ ଖେଳାଳିମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।
ମୁଖ୍ୟ ଅତିଥି ଡଃ ସ୍ୱାଇଁ ଛାତ୍ରଛାତ୍ରୀମାନଙ୍କୁ ପାଠପଢ଼ା ସହିତ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ପାରଦର୍ଶିତା ହାସଲ କରିବାକୁ ଉତ୍ସାହିତ କରିଥିଲେ। ଖେଳ ମାଧ୍ୟମରେ ଶୃଙ୍ଖଳା, ଦଳଗତ ମନୋଭାବ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଏ ବୋଲି ସେ କହିଥିଲେ।
ଏହି ଅବସରରେ ଅନୁଷ୍ଠାନର ଗଣିତ ଓ ବିଜ୍ଞାନ ବିଭାଗୀୟ ମୁଖ୍ୟ ଶ୍ରୀ ଆବ୍ରାହମ ଶବର, ମେକାନିକାଲ ବିଭାଗୀୟ ମୁଖ୍ୟ ଶ୍ରୀ ବୀରେନ୍ଦ୍ର କିସାନ, ସିଭିଲ ବିଭାଗୀୟ ମୁଖ୍ୟ ଶ୍ରୀ ଆଶିଷ ନାୟକ, ଇଲେକ୍ଟ୍ରିକାଲ ଓ ଇଲେକ୍ଟ୍ରୋନିକ୍ସ ବିଭାଗୀୟ ମୁଖ୍ୟ ଶ୍ରୀମତୀ ଦୀପିକା ସରକାର ଏବଂ ଇଲେକ୍ଟ୍ରିକାଲ ଲ୍ୟାବ୍ ଆସିଷ୍ଟାଣ୍ଟ ଶ୍ରୀ ଲକ୍ଷ୍ମଣ ମାଝୀଙ୍କ ସମେତ ସମସ୍ତ ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀବୃନ୍ଦ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।
ଅନୁଷ୍ଠାନର କ୍ରୀଡ଼ା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ସିଦ୍ଧାର୍ଥ କାମିଲାଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବେଳେ ଶ୍ରୀ ବିଭାସ ମଣ୍ଡଳ ଏବଂ ଶ୍ରୀ ସୀମାଞ୍ଚଳ ନାୟକ ସମସ୍ତ ଖେଳକୁଦକୁ ସୁଚାରୁରୂପେ ପରିଚାଳନା କରିଥିଲେ। ଏହି ଦୁଇ ଦିନିଆ ପ୍ରତିଯୋଗିତାରେ କଲେଜର ବହୁ ଛାତ୍ରଛାତ୍ରୀ ଉତ୍ସାହର ସହ ବିଭିନ୍ନ କ୍ରୀଡ଼ା ବିଭାଗରେ ଅଂଶଗ୍ରହଣ କରିଥିଲେ ଏବଂ ବିଜେତାମାନଙ୍କୁ ମେଡାଲ ଓ ପୁରସ୍କାର ପ୍ରଦାନ କରାଯାଇଥିଲା।