ଶିଶୁଙ୍କ ହସ, ଖୁସି ଓ ଉତ୍ସାହରେ ମୁଖରିତ ହେଲା ବିଦ୍ୟାଳୟ ପରିସର
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି : ସ୍ଥାନୀୟ କିଡ୍ସ ଗୀ ପବ୍ଲିକ୍ ସ୍କୁଲ୍, ଗୁଣୁପୁର ପରିସରରେ ଶିଶୁ ଦିବସ ଅତ୍ୟନ୍ତ ଆଡ଼ମ୍ବରପୂର୍ଣ୍ଣ, ଆନନ୍ଦମୟ ଓ ଉତ୍ସାହ ଉଦ୍ଦୀପନାର ସହିତ ପାଳିତ ହୋଇଯାଇଛି। ଶିଶୁମାନଙ୍କ ମୁହଁରେ ହସ ଫୁଟାଇବା ସହ ସେମାନଙ୍କ ପ୍ରତିଭା, ସୃଜନଶୀଳତା ଓ ଆତ୍ମବିଶ୍ୱାସକୁ ପ୍ରୋତ୍ସାହିତ କରିବା ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଏହି ଉତ୍ସବରେ ଶ୍ରୀ ଦେବାଶିଷ ପଣ୍ଡା, ଫାଉଣ୍ଡର ଆଣ୍ଡ ସି.ଇ.ଓ., ଅଲଟ୍ରା କନେକ୍ଟ ଏବଂ ସାଦିକ୍ ସାର୍ ଏକ୍ସ ଆର୍ମି ଡାଇରେକ୍ଟର ସ୍ମାର୍ଟ ଏଯୁକେସନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସ୍ୱୟଂପ୍ରଭା ମହାପାତ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ନିଜ ଅଭିଭାଷଣରେ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଶିଶୁମାନେ ହେଉଛନ୍ତି ଦେଶର ଭବିଷ୍ୟତ ଓ ସେମାନଙ୍କୁ ଉତ୍ତମ ଶିକ୍ଷା, ସଂସ୍କାର ଏବଂ ନୈତିକ ମୂଲ୍ୟବୋଧରେ ଗଢ଼ି ତୋଳିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ସେ ମତବ୍ୟକ୍ତ କରିଥିଲେ।
ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଜିତେନ୍ଦ୍ର କୁମାର ଶତପଥୀ ଏବଂ ଡାଇରେକ୍ଟର ଶ୍ରୀ ମୁରଲୀଧର ପଣ୍ଡା ନିଜ ନିଜ ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟର ପ୍ରକୃତ ଗୌରବ ବୋଲି ଅଭିହିତ କରିଥିଲେ। ପାଠପଢ଼ା ସହିତ ଶୃଙ୍ଖଳା, ଆତ୍ମବିଶ୍ୱାସ, ମାନବିକତା ଓ ସୃଜନଶୀଳତାକୁ ଜୀବନରେ ଗୁରୁତ୍ୱ ଦେବା ସହ ଭବିଷ୍ୟତରେ ନିଜର କୃତିତ୍ୱ ମାଧ୍ୟମରେ ବିଦ୍ୟାଳୟ ତଥା ଅଞ୍ଚଳର ନାମ ଉଜ୍ଜ୍ୱଳ କରିବାକୁ ସେମାନେ ପିଲାମାନଙ୍କୁ ଆହ୍ୱାନ ଦେଇଥିଲେ।
କାର୍ଯ୍ୟକ୍ରମର ଏକ ଆକର୍ଷଣୀୟ ଅଂଶ ଭାବେ କୁନି କୁନି ପିଲାଙ୍କ କୌତୁକ ପୋଷାକ ପ୍ରତିଯୋଗିତା କରଯାଇଥିଲା। ଯେଉଁଥିରେ କନିଷ୍ଠ ବର୍ଗରୁ ସୁଶ୍ରି ଦିଶ୍ମିତା ଶତପଥୀ ପ୍ରଥମ, ପୀୟୁଷ କୁମାର ବେହେରା ଦ୍ୱିତୀୟ ଓ ମେଘନା ଶବର ତୃତୀୟ ହୋଇଥିବା ବେଳେ ବରିଷ୍ଠ ବର୍ଗରୁ ଜି ଧାନଭି ପ୍ରଥମ, ଏନ୍ ନିଶ୍ଚିତା ଦ୍ୱିତୀୟ ଓ ଏନ୍ ଲୋକନାଥ ତ୍ରୁତୀୟ ହୋଇଥିଲେ। ଏହି ଅବସରରେ 🐼 ପାଣ୍ଡା ଭାଲୁ ବା ବାଉଁଶ ଭାଲୁ ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉପହାର ପ୍ରଦାନ କରାଯାଇଥିଲା। ଏଥିସହ ପିଲାମାନଙ୍କ ପାଇଁ ଆୟୋଜିତ ସ୍ୱତନ୍ତ୍ର ଭୋଜନ ବା ‘ସ୍ପେସିଆଲ୍ ଲଞ୍ଚ’ କାର୍ଯ୍ୟକ୍ରମ ଉତ୍ସବର ଆନନ୍ଦକୁ ଦ୍ୱିଗୁଣିତ କରିଥିଲା। ଉପହାର ଓ ସୁସ୍ୱାଦୁ ଭୋଜନ ପାଇ ପିଲାମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଆନନ୍ଦ ପରିଲକ୍ଷିତ ହୋଇଥିଲା।
ଶିଶୁମାନଙ୍କ ମନୋରଞ୍ଜନ ପାଇଁ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀମାନେ ମଧ୍ୟ ବିଭିନ୍ନ ଆକର୍ଷଣୀୟ ନୃତ୍ୟ ପରିବେଷଣ କରିଥିଲେ। ନିଜ ପ୍ରିୟ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ନୃତ୍ୟ ଦେଖି ଛାତ୍ରଛାତ୍ରୀମାନେ ଆନନ୍ଦରେ ମତୁଆଲା ହୋଇଉଠିଥିଲେ। ସମଗ୍ର ବିଦ୍ୟାଳୟ ପରିସର ହସ, ଖୁସି, ସଙ୍ଗୀତ ଓ ଉତ୍ସବମୁଖର ପରିବେଶରେ ପରିପୂର୍ଣ୍ଣ ହୋଇଉଠିଥିଲା।
ଉଲ୍ଲେଖଯୋଗ୍ୟ ଯେ, ଏହି ଦିବସଟି କେବଳ ଉତ୍ସବ ପାଳନରେ ସୀମିତ ନରହି ଶିଶୁମାନଙ୍କୁ ଭଲପାଇବା, ସେମାନଙ୍କ ପ୍ରତିଭାକୁ ସମ୍ମାନ ଦେବା ଏବଂ ସେମାନଙ୍କ ସୁନ୍ଦର ଭବିଷ୍ୟତ ଗଠନ ପାଇଁ ଏକ ସୁନ୍ଦର ବାର୍ତ୍ତା ପ୍ରଦାନ କରିଥିଲା।
ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା, ଅଧ୍ୟକ୍ଷ, ଡାଇରେକ୍ଟର, ଶିକ୍ଷକ-ଶିକ୍ଷୟିତ୍ରୀ ଓ ସହଯୋଗୀ କର୍ମଚାରୀମାନଙ୍କ ମିଳିତ ପ୍ରୟାସ ଓ ସୁଚାରୁ ପରିଚାଳନା ଯୋଗୁଁ ଏହି ମହୋତ୍ସବ ସଫଳତାର ସହ ସମ୍ପନ୍ନ ହୋଇଥିଲା।
ଶେଷରେ, ଶିଶୁମାନଙ୍କ ମୁହଁରେ ଫୁଟିଥିବା ହସ ଓ ହୃଦୟରେ ଭରିଥିବା ଆନନ୍ଦ ହିଁ ଏହି ଶିଶୁ ଦିବସ ଉତ୍ସବର ସବୁଠାରୁ ବଡ଼ ସଫଳତା ଥିଲା।