ଓପିସିସିକୁ ରିଲିଫ୍ ସହାୟତା ପ୍ରଦାନ କଲେ ନିରଞ୍ଜନ

46

ଭୁବନେଶ୍ୱର, ତା ୭.୮.୨୬ ରିଖ:- ଚଳିତ ବର୍ଷ ବନ୍ୟା ଦ୍ୱାରା ରାଜ୍ୟର  ୮ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଯାଜପୁର,ଜଗସିଂହପୁର,କଟକ ଏବଂ କେଉଁଝର ପ୍ରଭାବିତ ହୋଇଥିବା ବେଳେ ବହୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ସାଧାରଣ ଜନତା। ବିଶେଷ କରି ତାଙ୍କ ପାଖରେ ଖାଦ୍ୟ ସାମଗ୍ରୀ ପହଞ୍ଚପାରିନାହିଁ। ପିସିସି ସଭାପତି ଭକ୍ତ ଚରଣ ଦାସ ଏକ ପିସିସି ରିଲିଫ୍ ପରିଚାଳନା କମିଟି ଗଠନ କରି କଂଗ୍ରେସ ନେତୃବୃନ୍ଦଙ୍କୁ ସାହାଯ୍ୟ ସହଯୋଗ ପାଇଁ କରିଥିବା ଆହ୍ୱାନରେ ପୂର୍ବତନ ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିକୁ ପ୍ରଦାନ କରିଛନ୍ତି।

ଏହି ଅବସରରେ ନିରଞ୍ଜନ ପଟ୍ଟନାୟକଙ୍କ ପକ୍ଷରୁ  ନବଜ୍ୟୋତି ପଟ୍ଟନାୟକ କଂଗ୍ରେସ ଭବନରେ ରିଲିଫ୍ ପରିଚାଳନା କମିଟିର ଅଧ୍ୟକ୍ଷ ଦେବାଶିଷ, ସହ ଅଧ୍ୟକ୍ଷ ତଥା ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି ଏବଂ ଅନ୍ୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ଏକ ୫ ଲକ୍ଷ ଟଙ୍କାର ଚେକ୍ ରିଲିଫ୍ ତଦାରଖ କମିଟିର ଅଧ୍ୟକ୍ଷ ତଥା ବାସୁଦେବପୁର ବିଧାୟକ ଅଶୋକ ଦାସଙ୍କୁ ପ୍ରଦାନ କରିଛନ୍ତି। ଶ୍ରୀଯୁକ୍ତ ପଟ୍ଟନାୟକ ଏହି ଅବସରରେ କହିଛନ୍ତି , ଦୁର୍ଦ୍ଦିନ ସମୟରେ କଂଗ୍ରେସ ସାଧାରଣ ଜନତାଙ୍କ ସହ ରହିଆସିଛି, ରହୁଛି ଏବଂ ଆଗକୁ ମଧ୍ୟ ରହିବ। ସେ ଆହୁରି କହିଛନ୍ତି ବନ୍ୟା ପ୍ରପୀଡ଼ିତ ଲୋକମାନଙ୍କ ପାଖରେ କିପରି ରିଲିଫ ସାମଗ୍ରୀ ପହଞ୍ଚି ପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ଏବଂ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଓ ଶୁଭେଚ୍ଛୁଙ୍କୁ ଅନୁରୂପ ସାହାଯ୍ୟ ସହଯୋଗର ହାତ ବଢେଇବାକୁ ନିବେଦନ କରିଛନ୍ତି।

Leave A Reply

Your email address will not be published.