ଓଡ଼ଗାଁ, ୧୪।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ନନ୍ଦିଘୋର ପଞ୍ଚାୟତ ନନ୍ଦିଘୋର ବସଷ୍ଟାଣ୍ଡ ନିକଟରେ ଥିବା ଗ୍ରାମର ଆରାଧ୍ୟ ଦେବୀ ମା’ ମହାମାୟୀଙ୍କ ୭ମ ବାର୍ଷିକ ଉତ୍ସବ ନଭେମ୍ବର ୧୪ ତାରିଖ ଶନିବାର ଦିନ ମହାଆଡ଼ମ୍ବରରେ ପାଳିତ ହୋଇଛି। ଏହି ଅବସରରେ ଶିବମନ୍ଦିର ନିକଟ ବାଘେରା ପୁଷ୍କରିଣୀ ଠାରେ ବୈଦିକ ବ୍ରାହ୍ମଣଙ୍କ ଦ୍ବାରା କଳସ ଶୁଦ୍ଧି କାର୍ଯ୍ୟ ପରେ ଗ୍ରାମର ୩୨୧ ଜଣ ସଧବା ମହିଳାଙ୍କ ଦ୍ବାରା ଅନୁଷ୍ଠିତ କଳସ ଯାତ୍ରା ଗ୍ରାମ ପରିକ୍ରମା କରିବା ସହ ମନ୍ଦିର ନିକଟରେ ପହଞ୍ଚିଥିଲେ। ଏବଂ ସେଠାରେ ଶାସ୍ତ୍ର ଅନୁମୋଦିତ ହୋମଯଜ୍ଞାଦି ଧାର୍ମିକ ଅନୁଷ୍ଠାନ କରାଯାଇଥିଲା। ଏହି ଅବସରରେ ଗଞ୍ଜାମ ଖଲିକୋଟ, ବ୍ରହ୍ମପୁର ଓ ଓଡ଼ଗାଁ ନିକଟ ରାବରା ଗ୍ରାମର ୩ ମାନସିକ ଧାରି ମହିଳା ପୁତ୍ର ସନ୍ତାନ ପ୍ରାପ୍ତି ଆଶାରେ ଗୁଆ ବସାଇ ଉପବାସ କରି ଆଶିଷ ଭିକ୍ଷା କରିଥିଲେ। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଗ୍ରାମବାସୀଙ୍କ ଆଗ୍ରହରେ କାର୍ଯ୍ୟକ୍ରମରେ ଯୋଗଦେଇ ମା’ ମହାମାୟୀ ଙ୍କ ଆଶିର୍ବାଦ ଭିକ୍ଷା କରିବା ସହ ଜନସାଧାରଣଙ୍କ ମଙ୍ଗଳ କାମନା କରିଥିଲେ। ସରପଞ୍ଚ ଶ୍ବେତଲିନା ମିଶ୍ର, ସାମ୍ବାଦିକ ସଂଘ ସଭାପତି ରାମକୃଷ୍ଣ ପରିଡ଼ା ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ପବିତ୍ର ଉତ୍ସବରେ ନନ୍ଦିଘୋର ଗ୍ରାମର ଜନସାଧାରଣ ଓ ଭକ୍ତମାନେ ସପରିବାର କାର୍ଯ୍ୟକ୍ରମରେ ଯୋଗଦେଇ ମା’ଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଲାଭ କରିଥିବା ବେଳେ ନିକଟସ୍ଥ ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ଏଠାରେ ପହଞ୍ଚି ମା’ଙ୍କ ସାନିଧ୍ୟ ଲାଭ କରିଥିଲେ। ମନ୍ଦିର ସଭାପତି ସୁରେନ୍ଦ୍ର ବେହେରା, ନୂଆସାହି ସଭାପତି ପ୍ରଫୁଲ୍ଲ ନାୟକ, ରଙ୍କ ନିଧି ବେହେରା, କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିବା ବେଳେ ଗଜେନ୍ଦ୍ର ମହାରଣା ଓ ଅନ୍ୟ ଯୁବଗୋଷ୍ଠୀ ମାନେ ସହଯୋଗ କରିଥିଲେ। ହରିହର ପୁର ମହିଳା ସଙ୍କୀର୍ତ୍ତନ ମଣ୍ଡଳୀ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।