ବ୍ଲକରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ ଅଭିଯୋଗ, ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବି ।
କେନ୍ଦ୍ରାପଡା:୦୭,୧୧,୨୬(ପ୍ରଫୁଲ୍ଲ କୁମାର ମଲ୍ଲ)ଡେରାବିଶ ବ୍ଲକରେ ବ୍ୟାପକ ଆର୍ଥିକ ଅନିୟମିତତା, ଆକାଶଛୁଆଁ ଦରଦାମ ବୃଦ୍ଧି ଏବଂ ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବିରେ ଆଜି ଡେରାବିଶ ବ୍ଲକ କଂଗ୍ରେସ ପକ୍ଷରୁ ଏକ ବିରାଟ ପ୍ରତିବାଦ ରାଲି ଓ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଯାଇଛି।କେନ୍ଦ୍ର ଓ ରାଜ୍ୟର ଡବଲ୍ ଇଞ୍ଜିନ୍ ସରକାର ଅମଳରେ ସାଧାରଣ ଜନତା ମହଙ୍ଗା ମାଡ଼ରେ ତ୍ରାହି ତ୍ରାହି ଡାକୁଥିବା ବେଳେ ବ୍ଲକ ପ୍ରଶାସନରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିବା କଂଗ୍ରେସ ନେତୃବୃନ୍ଦ ଅଭିଯୋଗ କରିଛନ୍ତି। ଡେରାବିଶ ବ୍ଲକରେ ସିନିୟର ଆସିଷ୍ଟାଣ୍ଟ ଶଶିକାନ୍ତ ରଣା ଚଞ୍ଚକତା କରି ପାଖାପାଖି ୧ କୋଟି ୬ ଲକ୍ଷ ଟଙ୍କା ହଡ଼ପ କରିଥିବା ବେଳେ ଏଥିରେ ବିଡିଓଙ୍କ ଅନୁମୋଦନ ଏବଂ ପ୍ରଶାସନର ସମ୍ପୃକ୍ତି ଥିବା ନେଇ ଦଳ ସିଧାସଳଖ ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଏହି ଦୁର୍ନୀତି ପାଇଁ କେବଳ କିରାଣୀ ନୁହନ୍ତି, ବରଂ ବିଡିଓ, ଆକାଉଣ୍ଟସ୍ ଅଫିସର ଏବଂ ନିୟମିତ ଅଡିଟ୍ ନ କରିଥିବା ଜିଲ୍ଲା ପ୍ରଶାସନର ବିଫଳତା ଦାୟୀ ବୋଲି ନେତାମାନେ କହିଛନ୍ତି। ଏହା ସହିତ ସବୁ ସରକାରୀ କାର୍ଯ୍ୟରେ ପିସି କାରବାର ବନ୍ଦ କରିବା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି ରାଜରାସ୍ତାକୁ ଓହ୍ଲାଇଥିଲେ କଂଗ୍ରେସ କର୍ମୀ। ଘଟଣାରେ ସମ୍ପୃକ୍ତ ସମସ୍ତ ଅଧିକାରୀଙ୍କ ବିରୋଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ, ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି।