ବିଶିଷ୍ଟ ଅଭିନେତା ରାଇମୋହନଙ୍କ ଆତ୍ମହତ୍ୟା !

0

ଶୋକ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ 

ଭୁବନେଶ୍ୱର : ଏକ ଦୁଖଦ ଘଟଣାରେ ଓଲିଉଡ ଅନ୍ୟତମ ଲୋକପ୍ରିୟ ଅଭିନେତା ତଥା ଯାତ୍ରା ଅଭିନେତା ରାଇମୋହନ ପରିଡାଙ୍କ ମୃତ୍ୟୁ ଘଟିଛି | ଶୁକ୍ରବାର ଦିନ ତାଙ୍କ ଘରୁ ପୋଲିସ ତାଙ୍କ ମୃତଦେହ ଜବତ କରିଛନ୍ତି। ତାଙ୍କର ମୃତ୍ୟୁ ଆତ୍ମହତ୍ୟାଜନିତ ବୋଲି ପ୍ରାରମ୍ଭିକ ରିପୋର୍ଟ ଜଣାପଡିଛି । ହେଲେ ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।

ଜୁଲାଇ ୧୦ , ୧୯୬୩ରେ ଜନ୍ମ ହୋଇଥିବା ରାଇମୋହନ ପରିଡା ୧୯୮୫ ମସିହାରୁ ଥିଏଟରରୁ କ୍ୟାରିୟର ଆରମ୍ଭ କରିଥିଲେ ରାଇମୋହନ । ୧୯୮୭ରେ ସାଗର ସିନେମାରେ ଖଳନାୟକ ଭୂମିକା ଦେଇଥିଲା ଖ୍ୟାତି । ୧୦୦ରୁ ଅଧିକ ଓଡିଆ ଏବଂ ବଙ୍ଗାଳୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସେ ସିଂହବାହିନୀ, ସୁନା ଭାଉଜ, କୋଟିଏ ମଣିଷ ଗୋଟି ଜଗା, ଲକ୍ଷେ ଶିବ ପୂଜି ପାଇଚି ପୁଅ, ସୁନା ସଂସାର, ସ୍ତ୍ରୀ, ରଣଭୂମି, ରସିକ ନାଗର, ତୁ ଥିଲେ ମୋ’ ଡର କାହାକୁ, ଲକ୍ଷ୍ମୀ ପ୍ରତିମା , ମେଣ୍ଟାଲ୍, ‘ତୁ ମୋ’ ସୁନାଚଢେଇ’ ଏବଂ ‘ମିଷ୍ଟର ମଜନୁ’ ଭଳି ଅନେକ ଚଳଚ୍ଚିତ୍ରରେ ନିଜର ଖଳ ଚରିତ୍ର ଅଭିନୟ ପାଇଁ ବେଶ ପ୍ରଶଂସା ଲାଭ କରିଥିବା ରାଇମୋହନ ଗତ କିଛି ବର୍ଷ ଧରି ଯାତ୍ରା ଜଗତରେ ସକ୍ରିୟ ଥିଲେ |
ରାଇମୋହନଙ୍କ ଦେହାନ୍ତରେ ଦୁଖବ୍ୟକ୍ତ କରିଛନ୍ତି ବିଦେଶ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ତାଙ୍କ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ” ବିଶିଷ୍ଟ ଅଭିନେତା ରାଇମୋହନ ପରିଡ଼ାଙ୍କ ଅକାଳ ବିୟୋଗ ବିଷୟରେ ଜାଣି ମୁଁ ଦୁଃଖିତ। ନାଟକଠୁ ଆରମ୍ଭ କରି ଯାତ୍ରା, ଚଳଚ୍ଚିତ୍ର ପରି କଳାର ବିଭିନ୍ନ କ୍ଷେତ୍ରରେ ତାଙ୍କର ଅନୁପସ୍ଥିତି ସର୍ବଦା ଅନୁଭବ ହେବ। ତାଙ୍କ ନିଖୁଣ ଅଭିନୟ ପାଇଁ ସେ ସ୍ମରଣୀୟ ରହିବେ। ଅମର ଆତ୍ମାର ସଦଗତି କାମନା ସହ ଶୋକାକୁଳ ପରିବାରବର୍ଗଙ୍କ ପ୍ରତି ମୋ ସମବେଦନା ଜଣାଉଛି।”
ସେହିପରି ଶ୍ରୀ ପରିଡାଙ୍କ ମୃତ୍ୟୁଖବରରେ ଶୋକଵ୍ୟକ୍ତ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ଶ୍ରୀ ପ୍ରଧାନ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ” ଓଡ଼ିଶାର ଲୋକପ୍ରିୟ କଳାକାର ତଥା ବରିଷ୍ଠ ସିନେ ଅଭିନେତା ରାଇମୋହନ ପରିଡ଼ାଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଲମ୍ବା ସମୟ ଧରି ଓଡ଼ିଆ ଚଳଚ୍ଚିତ୍ର ଓ ଯାତ୍ରା ଜଗତରେ ତାଙ୍କର ଜୀବନ୍ତ ଓ ବିରଳ ଅଭିନୟ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା । ଓଡ଼ିଶା ସିନେ ଓ ଯାତ୍ରା ଜଗତରେ ତାଙ୍କ ଭଳି ଜଣେ ପ୍ରତିଭାବାନ ବ୍ୟକ୍ତିଙ୍କ ମୃତ୍ୟୁକୁ ବିଶ୍ୱାସ କରି ହେଉନାହିଁ । ଅଭିନୟ କ୍ଷେତ୍ରରେ ତାଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ସ୍ୱତନ୍ତ୍ର ସ୍ଥାନ କେହି ନେଇପାରିବେ ନାହିଁ । ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ।”

Leave A Reply

Your email address will not be published.