ମହୁ ସଂଗ୍ରହ ପାଇଁ ଯାଇ ୮ ଘଣ୍ଟା ପଥର ସନ୍ଧିରେ ଫସିରହିଥିବା ଶିବୁ ପ୍ରଧାନର ଅଜା ହେଉଛନ୍ତି ମୃତ ପ୍ରକାଶ ପ୍ରଧାନ
ଓଡ଼ଗାଁ, ୧୩।୧୧ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଭାଡ଼ିକିଳା ଗ୍ରାମ ମାଟିଆ କେଳା ସଂମ୍ପ୍ରଦାୟର ପ୍ରକାଶ ପ୍ରଧାନ (୪୨)ଙ୍କର ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ଏନେଇ ଓଡ଼ଗାଁ ଥାନାରେ ଅଭିଯୋଗ ପରେ ପୋଲିସ ୨୧/୨୬ ନମ୍ବରରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଆବଶ୍ୟକ ଆଇନଗତ ପ୍ରକ୍ରିୟା ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।
ସୂଚନା ଅନୁଯାୟୀ, ଗୁରୁବାର ଅପରାହ୍ନ ପ୍ରାୟ ୩ଟା ସମୟରେ ପ୍ରକାଶ ଘର ପାଇଁ ଜାଳେଣି କାଠ ସଂଗ୍ରହ କରିବାକୁ କାଣୀପଡ଼ା ଜଙ୍ଗଲକୁ ଯାଇଥିଲେ। ସେଠାରେ ଅପରାହ୍ନ ପ୍ରାୟ ୪ଟା ସମୟରେ ଏକ ବିଷଧର ସାପ ତାଙ୍କୁ କାମୁଡ଼ି ଦେଇଥିଲା। ସାପ କାମୁଡ଼ିବା ପରେ ସେ ତୁରନ୍ତ ଘରକୁ ଫେରିଥିଲେ। ପରିବାରବର୍ଗ ତାଙ୍କୁ ଓଡ଼ଗାଁ ଡାକ୍ତରଖାନା ନେଇଥିଲେ। ସେଠାରୁ ଅଧିକ ଚିକିତ୍ସା ପାଇଁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ପରୀକ୍ଷା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ଥାଉକି, ୨୦୨୬ ମସିହା ମେ ୬ ତାରିଖରେ ପରିବାର ପ୍ରତିପୋଷଣ ପାଇଁ କାଣୀ ପାହାଡକୁ ମହୁ ସଂଗ୍ରହ ପାଇଁ ଯାଇ ୮ ଘଣ୍ଟା ପଥର ସନ୍ଧିରେ ଫସିରହିଥିବା ବାପ ଛେଉଣ୍ଡ ଶିବୁ ପ୍ରଧାନର ଅଜା ହେଉଛନ୍ତି ମୃତ ପ୍ରକାଶ ପ୍ରଧାନ। ଏହି ଘଟଣାକୁ ନେଇ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି।