୩ ସପ୍ତାହ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଦେଲେ ଚେତାବନୀ,
ଓଡ଼ଗାଁ, ୧୩।୧୧ (ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ଧରି ଲାଗି ରହିଥିବା ଡାକ୍ତର ଅଭାବ ସମେତ ବିଭିନ୍ନ ଅବ୍ୟବସ୍ଥା ଓ ରୋଗୀସେବା ସମ୍ପର୍କିତ ଅଭିଯୋଗକୁ ଗୁରୁତ୍ୱ ଦେଇ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଶୁକ୍ରବାର ଅଚାନକ ଡାକ୍ତରଖାନା ପରିଦର୍ଶନ କରିଛନ୍ତି। ଏହି ଅବସରରେ ଡାକ୍ତରଖାନାର ବିଭିନ୍ନ ସମସ୍ୟା ସମ୍ପର୍କରେ ଉପସ୍ଥିତ ଡାକ୍ତରଙ୍କଠାରୁ ସବିଶେଷ ତଥ୍ୟ ସଂଗ୍ରହ କରିବା ସହ ରୋଗୀସେବାରେ ଦେଖାଦେଇଥିବା ଅବ୍ୟବସ୍ଥାକୁ ନେଇ ଗଭୀର କ୍ଷୋଭ ପ୍ରକାଶ କରିଥିଲେ। ପରିଦର୍ଶନ ପରେ ବିଧାୟକ ଡ. ସାହୁ ଏକ ଲିଖିତ ଅଭିଯୋଗପତ୍ର ପ୍ରସ୍ତୁତ କରି ଏକ ପ୍ରତିନିଧି ଦଳ ମାଧ୍ୟମରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍ଓ)ଙ୍କୁ ପ୍ରଦାନ କରିବା ସହ ଅନ୍ୟାନ୍ୟ ବିଭାଗୀୟ ପ୍ରଶାସନିକ ଅଧିକାରୀ ମାନଙ୍କୁ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଆସନ୍ତା ୩ ସପ୍ତାହ ମଧ୍ୟରେ ଡାକ୍ତରଖାନାର ସମସ୍ତ ଅଭାବ ଓ ଅସୁବିଧାର ସମାଧାନ କରାନଗଲେ ଜନସାଧାରଣଙ୍କ ସ୍ୱାର୍ଥରେ ରାଜରାସ୍ତାକୁ ଓହ୍ଲାଇବାକୁ ସେ ଦୃଢ଼ ଚେତାବନୀ ଦେଇଥିଲେ। ଏହି ସମୟରେ ଓଡ଼ଗାଁ ବ୍ଲକ୍ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ସମେତ ବିଜେଡିର ଅନ୍ୟ ଜନପ୍ରତିନିଧିମାନେ ଉପସ୍ଥିତ ରହି ଡାକ୍ତରଖାନାର ବିଭିନ୍ନ ସମସ୍ୟା ବିଧାୟକଙ୍କ ଦୃଷ୍ଟିକୁ ଆଣିଥିଲେ।
ସୂଚନାନୁସାରେ, ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ଅନୁଯାୟୀ ୪ ଜଣ ବିଶେଷଜ୍ଞ ଓ ୩ ଜଣ ଏମ୍ବିବିଏସ୍ ଡାକ୍ତର ନିଯୁକ୍ତ ହେବା କଥା। ମାତ୍ର ଏଠାରେ ଜଣେ ହେଲେ ବିଶେଷଜ୍ଞ ଡାକ୍ତର ନାହାନ୍ତି। ଜଣେ ସ୍ଥାୟୀ ଡାକ୍ତରଙ୍କ ସହ ଅନ୍ୟ ଦୁଇଜଣ ଡେପୁଟେସନ୍ରେ ଆସି ରୋଗୀସେବା କରୁଛନ୍ତି। ନିକଟରେ ଜଣେ ଡାକ୍ତର ପିଜି ପାଠ୍ୟକ୍ରମ ପାଇଁ ଚାଲିଯାଇଥିବା ବେଳେ ସ୍ଥାୟୀ ଭାବେ ନିଯୁକ୍ତ ଡାକ୍ତର ଶୁଭସ୍ମିତା ମହାନ୍ତି ଗତ ସପ୍ତାହରେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ବର୍ତ୍ତମାନ ଡା. ନିଲାଞ୍ଜନ ଦାସ, ଡା. ବୈଜୟନ୍ତୀ ଜେନା ଓ ଆୟୁଷ ଡାକ୍ତର ପ୍ରଣତି ମଞ୍ଜରୀ ଶର୍ମାଙ୍କୁ ନେଇ ଡାକ୍ତରଖାନାରେ ଚିକିତ୍ସାସେବା ଚାଲିଛି। କେବଳ ଡାକ୍ତର ନୁହନ୍ତି, ଡାକ୍ତରଖାନାରେ ଆବଶ୍ୟକ ସଂଖ୍ୟକ ଷ୍ଟାଫ୍ ନର୍ସ, ସୁରକ୍ଷା କର୍ମଚାରୀ ଓ ସଫେଇ କର୍ମଚାରୀଙ୍କ ମଧ୍ୟ ଅଭାବ ରହିଛି। ଏପରିକି ଡାକ୍ତରଖାନାର ପରିମଳ ବ୍ୟବସ୍ଥା ପାଇଁ ଆବଶ୍ୟକ ଝାଡ଼ୁ, ଫିନାଇଲ୍ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଠିକ୍ ଭାବେ ଯୋଗାଇ ଦିଆଯାଉନଥିବା ଅଭିଯୋଗ ହୋଇଛି। ଏହା ସହିତ ଗତ ୩ ମାସ ହେଲା ଡାକ୍ତରଖାନାରେ ଟିଟାନସ୍ ଇଞ୍ଜେକ୍ସନ ଉପଲବ୍ଧ ନଥିବାରୁ ରାତି ଅଧରେ ଆସୁଥିବା ଦୁର୍ଘଟଣାଗ୍ରସ୍ତ ରୋଗୀମାନେ ଆବଶ୍ୟକ ଚିକିତ୍ସା ପାଇବାରେ ଅସୁବିଧା ଭୋଗୁଥିବା ଅଭିଯୋଗ ଉଠିଛି।
ଅନ୍ୟପକ୍ଷରେ, ଡାକ୍ତରଖାନାରେ ବିଭିନ୍ନ ଚିକିତ୍ସା ଉପକରଣ ଓ ବିଦ୍ୟୁତ୍ଚାଳିତ ଯନ୍ତ୍ରପାତି ରହିଥିଲେ ମଧ୍ୟ ସ୍ୱତନ୍ତ୍ର ବିଦ୍ୟୁତ୍ ଟ୍ରାନ୍ସଫର୍ମର ବ୍ୟବସ୍ଥା ହୋଇନାହିଁ। ଫଳରେ ଅଞ୍ଚଳର ଅନ୍ୟ ସ୍ଥାନରେ ବିଦ୍ୟୁତ୍ ଯୋଗାଣ ଥିବା ସତ୍ତ୍ୱେ ଡାକ୍ତରଖାନା ଭିତରେ ବିଦ୍ୟୁତ୍ ସମସ୍ୟା ଦେଖାଦେଉଛି। ଏଥିଯୋଗୁଁ ଫ୍ରିଜ୍ରେ ସଂରକ୍ଷିତ ରଖାଯିବାକୁ ଥିବା ଜରୁରୀ ଔଷଧର ସଂରକ୍ଷଣ ମଧ୍ୟ ବାଧାପ୍ରାପ୍ତ ହେଉଛି। ସେହିପରି ଏକ୍ସ-ରେ ପରୀକ୍ଷା ପାଇଁ କର୍ମଚାରୀ ନିଯୁକ୍ତ ହୋଇଥିଲେ ମଧ୍ୟ ମେସିନ୍ ନଥିବାରୁ ତାଙ୍କୁ ଅନ୍ୟତ୍ର ପଠାଇ ଦିଆଯାଇଛି।
ନୟାଗଡ଼-ଭଞ୍ଜନଗର ୨୧ ନମ୍ବର ରାଜ୍ୟ ରାଜପଥ କଡ଼ରେ ଅବସ୍ଥିତ ଏହି ଡାକ୍ତରଖାନା ଉପରେ ଓଡ଼ଗାଁ ବ୍ଲକ୍ର ଅନେକ ପଞ୍ଚାୟତ ସମେତ ଗଞ୍ଜାମ ଜିଲ୍ଲା ଓ ନୂଆଗାଁ ବ୍ଲକ୍ର ବହୁ ଅଞ୍ଚଳର ଲୋକେ ନିର୍ଭରଶୀଳ। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟକେନ୍ଦ୍ରରେ ମୌଳିକ ଚିକିତ୍ସା ସୁବିଧା, ଆବଶ୍ୟକ ଡାକ୍ତର ଓ ଯନ୍ତ୍ରପାତିର ଅଭାବ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବଢ଼ାଇଛି। ତେଣୁ ୩ ସପ୍ତାହ ମଧ୍ୟରେ ସମସ୍ତ ସମସ୍ୟାର ସ୍ଥାୟୀ ସମାଧାନ ନହେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ବିଧାୟକଙ୍କ ଚେତାବନୀ ଏବେ ସ୍ୱାସ୍ଥ୍ୟ ବିଭାଗ ପାଇଁ ଆହ୍ୱାନ ସୃଷ୍ଟି କରିଛି।