ଭଞ୍ଜନଗର/ନିଲୁ ବିଷୋୟୀ : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ସମ୍ମୁଖରେ ଆଜି ପଞ୍ଚାୟତ ରାଜନୀତିର ଉଷ୍ମ ବାତାବରଣ ଦେଖା ଦେଇଛି। ଚଳିତ ନିର୍ବାଚନକୁ ଅବାଧ ଓ ଶୃଙ୍ଖଳିତ ଭାବେ ପରିଚାଳନା କରିବା ନେଇ ପ୍ରଶାସନିକ ଓ ପୁଲିସ ସ୍ତରରେ ବ୍ୟାପକ ପଦକ୍ଷେପ ନିଆଯାଇଛି। ବିକ୍ଷୋଭ ଓ ଥାନା ଘେରାଉ ସାଙ୍ଗକୁ ରାସ୍ତାରୋକ ପାଇଁ ମଙ୍ଗଳବାର ସହରରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଦିନ ତମାମ୍ ଥାନା ସମ୍ମୁଖରେ ଭିଡ ଜମି ଥିବା ବେଳେ ଥାନା କାର୍ଯ୍ୟ ଏକ ପ୍ରକାର ଠପ ହୋଇଯାଇଥିଲା। କିଛି କର୍ମୀ ମାନଙ୍କୁ ପୁଲିସ୍ ରାଜନୈତିକ ଉଦ୍ଦେଶ୍ୟ ରଖି ଆକ୍ରୋଶ ମୂଳକ ଭାବେ ଦୀର୍ଘ ଦିନ ଧରି ଥାନାରେ ଅଟକ ରଖିଥିବା ଅଭିଯୋଗରେ ବିଜେପି ଦଳ ପକ୍ଷରୁ ଆଜି ମଧ୍ୟାହ୍ନ ସମୟରେ ଥାନା ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା। ଥାନା କର୍ତ୍ତୁପକ୍ଷ ପ୍ରବେଶ ଫାଟକ ବନ୍ଦ ରଖିଥିବା ବେଳେ ଥାନା ଭିତରକୁ କୌଣସି କର୍ମୀ କିମ୍ବା ନେତା ଭିତରକୁ ଯାଇ ପାରିନଥିବା ବେଳେ ପୁଲିସ୍ ବିରୋଧରେ ସ୍ଳୋଗାନ ଦେଇଥିଲେ। ଏଥିସହ ଥାନା ସମ୍ମୁଖରେ ଧାରଣା ଦେଇ ଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଥାନା ଅଧିକାରୀ କିମ୍ବା ଉପରିସ୍ଥ ଅଧିକାରୀ ଆନ୍ଦୋଳନକାରୀ ଙ୍କ ନିକଟକୁ ଆସିନଥିଲେ। ଆନ୍ଦୋଳନରତ କର୍ମୀ ମାନେ ଥାନା ସମ୍ମୁଖରେ ଖାଇବା ସହ ଧାରଣାରେ ବସିଥିଲେ। ଆନ୍ଦୋଳନରତ ବିଜେପି କର୍ମୀ ମାନଙ୍କୁ ପୁଲିସ୍ କର୍ମଚାରୀ ମାନେ ବୁଝାଇବା ପରେ ମଧ୍ୟ ଆନ୍ଦୋଳନରୁ ଓହରି ନଥିଲେ। ପ୍ରାୟ ୫ ଘଣ୍ଟା ସମୟ ଧରି ଥାନା ସମ୍ମଖ ରାସ୍ତା ଅବରୋଧ କରିବା ସହ ଧାରଣା ଦେଇଥିଲେ। ଏହାପରେ ଥାନା ଅଧିକାରୀ ଧୀରେଶ ଦାସ ସେଠାରେ ପହଞ୍ଚିବା ସହ ବିଜେପି ନେତା ପ୍ରଦ୍ୟୁମ୍ନ ନାୟକ,ବିନାୟକ ତ୍ରିପାଠି,ସନ୍ତୋଷ କୁମାର ତିଆଡି,ସମୀର ନାୟକ,ଯୁବନେତା ଅଯୋଧ୍ୟାନାଥ ମହାପାତ୍ରଙ୍କ ସହ ଥାନା ପରିସରରେ ଆଲୋଚନା କରିଥିଲେ। ଦୀର୍ଘ ସମୟ ଆଲୋଚନା ପରେ ବିଜେପି ନେତା ମାନେ କର୍ମୀଙ୍କୁ ବୁଝାଶୁଝା କରି ଆନ୍ଦୋଳନରୁ ଓହରିଥିଲେ। ଏସଂର୍ପକରେ ଥାନା ଅଧିକାରୀ ଶ୍ରୀ ଦାସ କହିଛନ୍ତି ଯେ,ଅଟକ ବ୍ୟକ୍ତିର ନାମରେ ପୂର୍ବରୁ ଅପରାଧିକ ମାମଲା ରହିଛି। ବର୍ତ୍ତମାନ ତଦନ୍ତ ଜାରି ରହିଛି ସେ ସଂର୍ପକରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିବା ପରେ ପରବର୍ତ୍ତି ପଦକ୍ଷେପ ନିଆଯିବ। ଏହାର କିଛି ସମୟ ପରେ ପ୍ରତିବାଦରେ ସଂନ୍ଧ୍ୟାରେ ବିିଜେଡି ପକ୍ଷରୁ ମଧ୍ୟ ଥାନା ସମ୍ମୁଖରେ ବିଜେପି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଶତାଧିକ କର୍ମୀ ବିଜେପି ନେତା ଓ କର୍ମୀ ମାନେ ଗୁଣ୍ଡାରାଜ ଚଳାଇବା ସହ ବେଆଇନ ଭାବେ ରାସ୍ତାରୋକ କରିଥିବା ଅଭିଯୋଗ କରି ବିଜେପି ବିରୋଧରେ ନାରା ଦେଇଥିଲେ। ଏଥିସହ ବ୍ଳକ୍ ବିଜେଡି ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ,ସାଂସଦ ପ୍ରତିନିଧି ଦିବାକର ନାୟକ,ଜିତେନ୍ଦ୍ର କେଶରୀ ଆରୁଖ,ଜଗବନ୍ଧୁ ଜେନା,ରବୀନ୍ଦ୍ର ପ୍ରଧାନ ପ୍ରମୁଖ ଥାନା ଅଧିକାରୀଙ୍କୁ ଭେଟି ବିଜେପି ନେତାଙ୍କ ବିରୋଧରେ ଅଭିଯୋଗ ଦେଇଥିଲେ। ଏଥିସହ ଏସ୍ଡିପିଓ,ଉପଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ପଂଚାୟତ ନିର୍ବାଚନ ପୂର୍ବରୁ ଭଞ୍ଜନଗରରେ ରାଜନୈତିକ ପାଣିପାଗ ସରଗରମ ହୋଇଥିବା ବେଳେ ଦୁଇ ଦଳ ମଧ୍ୟରେ ଏଭଳି ଚକାପଞ୍ଚା କୁ ନେଇ ପୋଲିସ ପ୍ରଶାସନ କିଭଳି ଭୂମିକା ଗ୍ରହଣ କରିବ ତାହା ଉପରେ ନଜର।
Sign in
Sign in
Recover your password.
A password will be e-mailed to you.
Prev Post