ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି ୩.୦ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ରାଜ୍ୟସ୍ତରୀୟ ଭୋଳିବଲ୍ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ୭୦ତମ ରାଜ୍ୟସ୍ତରୀୟ ଭଲିବଲ୍ ଚାମ୍ପିୟନସିପ୍ ୨୦୨୬-୨୭ ଏବଂ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି ୩.୦ ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ.ମାୟାଧର ସାହୁ , ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସୋଲମନ ରାଇକା , ଡିଏସ୍ପି ଡିଆଇବି ଶ୍ରୀ ଠାକୁରଦାସ ମୁର୍ମୁ ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ତ୍ରିନାଥ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ଆସନ୍ତା ନଭେମ୍ବର ୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ ରାୟଗଡ଼ ବ୍ଲକ ସ୍ଥିତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ ୭୦ତମ ରାଜ୍ୟସ୍ତରୀୟ ଭଲିବଲ୍ ଚାମ୍ପିୟନସିପ୍ ଅନୁଷ୍ଠିତ ହେବ। ଓଡ଼ିଶା ସ୍କୁଲ୍ ସ୍ପୋର୍ଟସ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ରାଜ୍ୟର ୩୦ଟି ଜିଲ୍ଲାରୁ ୧୪ ବର୍ଷରୁ କମ୍ ଓ ୧୭ ବର୍ଷରୁ କମ୍ ବୟସ ବର୍ଗର ବାଳକ ଓ ବାଳିକା ଦଳ ଅଂଶଗ୍ରହଣ କରିବେ। ଏଥିରେ ୧୨୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦେବାର ସମ୍ଭାବନା ରହିଛି।
ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଥିବା ଖେଳାଳି , ଅଧିକାରୀ ଓ ବୈଷୟିକ କର୍ମଚାରୀଙ୍କ ରହଣି , ଯାତାୟାତ , ଖାଦ୍ୟ ଓ ପାନୀୟ ଜଳ ବ୍ୟବସ୍ଥା ସମ୍ପର୍କରେ ଜିଲ୍ଲାପାଳ ଆଲୋଚନା କରିଥିଲେ। ଏଥିସହ ଖେଳ ପଡ଼ିଆ ପ୍ରସ୍ତୁତି , ଭଲିବଲ୍ କୋର୍ଟର ରକ୍ଷଣାବେକ୍ଷଣ , ଖେଳ ଉପକରଣ ଓ ବୈଷୟିକ ସୁବିଧା ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଖେଳାଳିଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଡାକ୍ତରୀ ଦଳ , ଆମ୍ବୁଲାନ୍ସ ଓ ପ୍ରାଥମିକ ଚିକିତ୍ସା ସେବା ସହ ଆଇନଶୃଙ୍ଖଳା , ଟ୍ରାଫିକ୍ ନିୟନ୍ତ୍ରଣ ଓ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଆଲୋଚନା ହୋଇଥିଲା।
ସେହିପରି ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଆୟୋଜିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି ୩.୦ର ପ୍ରସ୍ତୁତି ନେଇ ମଧ୍ୟ ବୈଠକ ମଧ୍ୟ ଆଲୋଚନା ହୋଇଥିଲା। ‘ପଡ଼ିଆରୁ ପୋଡ଼ିୟମ୍’ ଅଭିଯାନ ଅଧୀନରେ ଆୟୋଜିତ ଏହି ପ୍ରତିଯୋଗିତାର ଲକ୍ଷ୍ୟ ହେଉଛି ଗ୍ରାମାଞ୍ଚଳ ଓ ବ୍ଲକ୍ ସ୍ତରରେ ଲୁକ୍କାୟିତ କ୍ରୀଡ଼ା ପ୍ରତିଭାଙ୍କୁ ଚିହ୍ନଟ କରି ସେମାନଙ୍କୁ ଆଗକୁ ବଢ଼ିବାର ସୁଯୋଗ ଦେବା। ଏହାଦ୍ୱାରା ଖେଳାଳିମାନେ ନିଜର ପ୍ରତିଭା ପ୍ରଦର୍ଶନ କରି ରାଜ୍ୟ , ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପରିଚୟ ସୃଷ୍ଟି କରିପାରିବେ।
ଏହି ପ୍ରତିଯୋଗିତାରେ ୧୪ରୁ ୧୬ ବର୍ଷ ବୟସର ଖେଳାଳିମାନେ ଫୁଟବଲ୍ , ଭଲିବଲ୍ , ଖୋ-ଖୋ ଓ କବାଡ଼ି ଭଳି ଦଳଗତ ଖେଳରେ ଅଂଶଗ୍ରହଣ କରିବେ। ପ୍ରଥମେ ବ୍ଲକ୍ ସ୍ତରରେ ଖେଳାଳି ଚୟନ କରାଯିବା ପରେ ଜିଲ୍ଲା , ଜୋନାଲ୍ ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଗଜପତି ଜିଲ୍ଲାରେ ଏହି ପ୍ରତିଯୋଗିତା ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୨୦ ତାରିଖ ମଧ୍ୟରେ ଗଜପତି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବ।
ଏହି ବୈଠକରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ରଙ୍କ ସମେତ ବିଭିନ୍ନ ବ୍ଲକ୍ର କ୍ରୀଡ଼ା ଶିକ୍ଷକମାନେ ଉପସ୍ଥିତ ଥିଲେ।
ଏହି ଦୁଇଟି ଗୋଟି କ୍ରୀଡ଼ା ଆୟୋଜନ ମାଧ୍ୟମରେ ଗଜପତି ଜିଲ୍ଲାରେ କ୍ରୀଡ଼ା ପରିବେଶକୁ ଅଧିକ ସୁଦୃଢ଼ କରିବା ସହ ନୂତନ ପ୍ରତିଭାଙ୍କୁ ରାଜ୍ୟସ୍ତରରେ ନିଜର ଦକ୍ଷତା ପ୍ରଦର୍ଶନର ସୁଯୋଗ ମିଳିବ। ସମସ୍ତ ବିଭାଗର ସମନ୍ୱୟ ଓ ସହଯୋଗରେ କାର୍ଯ୍ୟକ୍ରମଗୁଡ଼ିକୁ ସଫଳତାର ସହ ଆୟୋଜନ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ।