ବଲାଙ୍ଗୀର : ସରକାରୀ ମହିଳା ମହାବିଦ୍ୟାଳୟ ବଲାଙ୍ଗୀରରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବଙ୍କ ପରିଦର୍ଶନ ଶେଷ ହୋଇଛି । ପୂର୍ବାହ୍ନ ରେ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ଶ୍ରୀ ଅଶୋକ କୁମାର ଗୌଡ ମହାବିଦ୍ୟାଳୟରେ ପହଞ୍ଚିଥିଲେ । ତାଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ: ଅରବିନ୍ଦ କୁମାର ଓଝା ସ୍ୱାଗତ ଜଣାଇଥିବା ବେଳେ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ । ପରିଦର୍ଶନ କାଳରେ ଶ୍ରୀ ଗୌଡ ମହାବିଦ୍ୟାଳୟର ସମସ୍ତ ବିଭାଗ ବୁଲି ଦେଖିବା ସହ ଛାତ୍ରୀମାନଙ୍କ ସହ ଭାବବିନିମୟ କରିଥିଲେ । ମହାବିଦ୍ୟାଳୟରେ କାର୍ଯକ୍ଷମ ପାନୀୟ ଜଳ ବ୍ଯବସ୍ଥା, ଡିଜିଟାଲ ଶ୍ରେଣୀକକ୍ଷ ଦେଖି ପ୍ରଶଂସା କରିଥିଲେ । ଏହା ସହ ଅନ୍ଯାନ୍ଯ ଆନୁଷଙ୍ଗିକ ବ୍ଯବସ୍ଥା, ଛାତ୍ରବୃତ୍ତି, ଛାତ୍ରୀନିବାସ, ପରୀକ୍ଷା ପରିଚାଳନା, ନାମଲେଖା ଏବଂ ପାଠପଢା ଅଧାରୁ ଛାଡିଥିବା ଛାତ୍ରୀ ସଂଖ୍ଯା , ଶକ୍ତିଶ୍ରୀ କମିଟୀ, ମାନସିକ ସ୍ୱାସ୍ଥ୍ୟ, ନାକ୍, ୟୁଜିସି ନିୟମାବଳୀ ପ୍ରସ୍ତୁତି ଏବଂ ଅଗ୍ରଗତିର ଯାଞ୍ଚ, ଏନ୍. ଆଇ. ଆର୍. ଏଫ୍ ପାଣ୍ଠି ବିନିଯୋଗ ସହ ମହାବିଦ୍ୟାଳୟର ସମସ୍ଯା ଓ ଆବଶ୍ଯକତା ସମ୍ପର୍କରେ ସମୀକ୍ଷା କରିଥିଲେ । ଏ ଅବକାଶରେ ମହାବିଦ୍ୟାଳୟ ତରଫରୁ ଯୁଗ୍ମ ସଚିବ ଶ୍ରୀ ଗୌଡଙ୍କ ନିକଟରେ ଏକଧିକ ଦାବି ଉପସ୍ଥାପନ କରାଯାଇଥିଲା । ଦାବିଗୁଡିକ ମଧ୍ୟରେ ମଞ୍ଜୁରୀ ପ୍ରାପ୍ତ ଅଧ୍ଯାପକ ସଂଖ୍ଯା ବୃଦ୍ଧି, ପ୍ରତ୍ଯେକ ଯୋଗ୍ଯ ବିଷୟରେ ସ୍ନାତକୋତ୍ତର ଶ୍ରେଣୀ ଆରମ୍ଭ, ତିନି ମହଲା ବିଶିଷ୍ଟ ସ୍ୱତନ୍ତ୍ର ସ୍ନାତକୋତ୍ତର ବିଭାଗ, ସମ୍ପୂର୍ଣ କାର୍ଯ୍ୟକ୍ଷମ ବିଜ୍ଞାନ, ପରୀକ୍ଷାଗାର ସହ ନୂତନ ବିଜ୍ଞାନଭବନ, ଅଧ୍ଯୟନ ସହ ନୂତନ ଗ୍ରନ୍ଥାଗାର, ନିୟମିତ ଅଧ୍ଯାପକ ନିଯୁକ୍ତି ତଥା ଅଣଶିକ୍ଷକ କର୍ମଚାରୀ ନିଯୁକ୍ତି ଏବଂ ଏକଦଶ ଓ ଦ୍ୱାଦଶ ଶ୍ରେଣୀ ପାଇ ସ୍ୱତନ୍ତ୍ର କ୍ଯାମ୍ପସ୍ ନିର୍ମାଣ ସମ୍ପର୍କିତ ଦାବି ପ୍ରମୁଖ ଥିଲା । ସଂନ୍ଧ୍ଯାରେ ଛାତ୍ରୀମାନଙ୍କ ଦ୍ୱାରା ଅନୁଷ୍ଠିତ ସାଂସ୍କ୍ରୁତିକ କାର୍ଯକ୍ରମରେ ଶ୍ରୀ ଗୌଡ ଯୋଗଦେଇଥିଲେ । ଏଥିରେ ମହାବିଦ୍ଯାଳୟର ଅନ୍ଯାନ୍ଯ ଅଧ୍ଯାପକ, ଅଧ୍ଯାପିକା ଉପସ୍ଥିତ ରହିଥିଲେ । ପରିଦର୍ଶନ ଶେଷ କରି ଶ୍ରୀ ଗୌଡ ରାତିରେ ଭୁବନେଶ୍ୱର ଫେରିଯାଇଥିବା ସୂଚନା ମିଳିଛି ।