ଓଡିଶାରେ ପ୍ରଥମ : ସମ୍ବଲପୁରରେ କରୋନା ଆକ୍ରାନ୍ତ ଡାକ୍ତରଙ୍କ ମୃତ୍ୟୁ l

0

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ):  ରାଜ୍ୟରେ କରୋନା ଆକ୍ରାନ୍ତ ହୋଇ ଜଣେ ଡାକ୍ତର ମୃତ୍ୟୁବରଣ କରିବା ପରି ଦୁଃଖଦ  ପ୍ରଥମ ଘଟଣା ସମ୍ବଲପୁର ଜିଲ୍ଲା ରେ ଘଟିଛି l ଜ଼ିଲ୍ଲା ର  ହୀରାକୁଦ ଇଏସ୍‌ଆଇ ମେଡିକାଲରେ କାର୍ଯ୍ୟରତ ଡାକ୍ତର କୁଳମଣି ସୁନା (୪୭)ଙ୍କ କରୋନାରେ ଗୁରୁବାର ମୃତ୍ୟୁ ଘଟିଛି। କରୋନା ପଜିଟିଭ୍‌ ଚିହ୍ନଟ ପରେ ଗତ ୮ ଦିନ ଧରି ସେ ସମ୍ବଲପୁର କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ୭ ଦିନ ତଳେ ଏହି ଡାକ୍ତରଙ୍କ ମା’ ମଧ୍ୟ କୋଭିଡ୍‌ ହସ୍ପିଟାଲ‌ରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ। ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶଶୀଭୂଷଣ ପଟେଲ ଓ କୋଭିଡ୍‌ ଡାକ୍ତରଖାନାର କର୍ମଚାରୀମାନେ ମୃତ ଡାକ୍ତରଙ୍କୁ ଶ୍ରଦ୍ଧା‌ଞ୍ଜଳି ଅର୍ପଣ କରିଥିଲେ। ଏହାପରେ ଶୋକାକୁଳ ପରିବେଶରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜଘାଟଠାରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ  କରାଯାଇଛି। 

     ପଶ୍ଚିମ ଓଡ଼ିଶାର ଅନ୍ୟତମ ହଟ୍‌ସ୍ପଟ୍‌ ପାଲଟିଥିବା ସମ୍ବଲପୁର ମହାନଗର ନିଗମ  ର ଷ୍ଟେସନ୍‌ପଡ଼ା ଅଞ୍ଚଳରେ ଏହି ଡାକ୍ତରଙ୍କ ଘର ରହିଥିବା ବେଳେ  ତାଙ୍କ ପରିବାରରେ ବାପା, ମା, ସ୍ତ୍ରୀ ଓ ଦୁଇ ପୁଅ ଅଛନ୍ତି। କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧିନ  ଏହି ଡାକ୍ତରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଉଚ୍ଚତର ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବର କିମ୍ବା କଟକ ସ୍ଥାନାନ୍ତର କରାଯିବା ନେଇ ମଧ୍ୟ ଯୋଜନା କରାଯାଇଥିଲା। ମାତ୍ର ତାହା ସମ୍ଭବ ହୋଇପାରି ନ ଥିଲା। ଶେଷରେ ଗୁରୁବାର ସକାଳୁ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁ ପରେ ଏବେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.