ବଦଳିବେ ନବ,  ଆସିବେ କିଶୋର!

0

ଝାରସୁଗୁଡ଼ା ରାଜନୈତିକ ମହଲରେ ଜୋର ଧରିଲାଣି ଚର୍ଚ୍ଚାର ଲହର

ଝାରସୁଗୁଡ଼ା 🙁 ସୁଭାଷ ସହାରେ): ମନ୍ତ୍ରୀ ନବକିଶୋର ଦାସଙ୍କ ପିଛା ଛାଡ଼ୁ ନାହିଁ ସମସ୍ୟା। ଝିଅ ଦିପାଳି ଦାସଙ୍କ ଦୁଇ ଦୁଇ ଥର ପାଇଁ ତାଙ୍କ ପାଇଁ ସମସ୍ୟା ହୋଇ ଛିଡ଼ା ହେବା ବର୍ତ୍ତମାନ ନବ ଦାସଙ୍କ ନିମନ୍ତେ ପରୀକ୍ଷାର ଚରମ ସୀମା ଅଟେ। ଝିଅଙ୍କ କାର୍ଯ୍ୟକଳାପକୁ ନେଇ ବେଶ୍ ହଟହଟା ହୋଇଥିବା କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିବା ନବଦାସଙ୍କ ମନ୍ତ୍ରୀ ପଦ ବର୍ତ୍ତମାନ କେତେ ସୁରକ୍ଷିତ ତାହା ନେଇ ସରଗରମ ଆଲୋଚନା ଚାଲିଛି। ଆଗାମୀ ସମୟରେ ତାଙ୍କ ହାତରୁ ମନ୍ତ୍ରୀ ପଦ ଖସି ଯାଇ ତାଙ୍କ ଚିର ପ୍ରତିଦ୍ୱନ୍ଦୀ କିଶୋର ମହାନ୍ତିଙ୍କ ହାତକୁ ଚାଲିଯାଇ ପାରେ ବୋଲି ବିଭିନ୍ନ ମହଲରେ ବର୍ତ୍ତମାନ ଆଲୋଚନା ହେଉଛି।

ଯଦିବା ସରକାରୀ ସୂତ୍ରରୁ ବା ନିଜେ ନବଦାସ ଓ କିଶୋର ମହାନ୍ତି ଏ ନେଇ ଏପର୍ଯ୍ୟନ୍ତ ମୁହଁ ଖୋଲି ନାହାଁନ୍ତି, କିନ୍ତୁ ଏପରି ହେଲେ ଲୋକଙ୍କ ପାଇଁ ଆଶ୍ଚର୍ଯ୍ୟର ବିଷୟ ହେବ ନାହିଁ।କାରଣ ନିଜର ନିର୍ମଳ ଭାବମୂର୍ତ୍ତିକୁ ବଜାୟ ରଖିବା ପାଇଁ ବିଜେଡି ସୁପ୍ରିମୋ ଆଗରୁ ଏପରି ପଦକ୍ଷେପ ନେବାର ଅନେକ ଉଦାହରଣ ରହିଛି। ଯଦିବା ସ୍ଥାନୀୟ ବିଜେଡି ନେତାମାନେ ଏପର୍ଯ୍ୟନ୍ତ ଏପରି ସମ୍ଭାବନାକୁ ଖଣ୍ଡନ କରୁ ନାହାଁନ୍ତି, ସେମାନେ କିନ୍ତୁ ଏ ବିଷୟରେ ଏପର୍ଯ୍ୟନ୍ତ ମୁହଁ ଖୋଲୁ ନାହାଁନ୍ତି। ନବ ଦାସ କଂଗ୍ରେସ ଛାଡ଼ି ବିଜେଡିକୁ ଆସିବା ପରେ ଅନେକ ପୁରୁଣା ବିଜେଡି କର୍ମୀଙ୍କ ଝାରସୁଗୁଡ଼ା ରାଜନୀତିରେ ପତିଆରା କମି ଯାଇଥିବା ସେମାନେ ଅନୁଭବ କରିଛନ୍ତି।

ଅନ୍ୟ ପକ୍ଷରେ କଂଗ୍ରେସ ଦଳର ପୁରୁଣା ଓ ଉତ୍ସର୍ଗୀକୃତ କର୍ମୀ ମାନଙ୍କ ପାଇଁ ନବ ଦାସଙ୍କ ଦଳ ତ୍ୟାଗ ଏକ ଅସନ୍ତୋଷ ମୂଳକ ପଦକ୍ଷେପ ଥିଲା ବୋଲି କଂଗ୍ରେସ କର୍ମୀ କହନ୍ତି। ନଚେତ୍ ନବ ଦାସ ଓ ପଶ୍ଚିମ ଓଡ଼ିଶାର ଅନ୍ୟାନ୍ୟ କିଛି  ପ୍ରଭାବଶାଳୀ ନେତା ଆଜି ବିଜେଡିର ପ୍ରମୁଖ ବିକଳ୍ପ ଭାବରେ ଛିଡ଼ା ହୋଇଥାନ୍ତେ। ମାତ୍ର ବରିଷ୍ଠ ନେତାମାନଙ୍କ ଦଳ ପରିବର୍ତ୍ତନ ଯୋଗୁଁ ଜନସାଧାରଣଙ୍କ ଆସ୍ଥା କଂଗ୍ରେସ ଦଳରୁ ଉଠିଯାଇଥିବା ସ୍ପଷ୍ଟ ପରିଲକ୍ଷିତ ହୁଏ। ଏବଂ ଏହି ଶୂନ୍ୟସ୍ଥାନକୁ ଅତି ଶୀଘ୍ର ବିଜେପି ପୂରଣ କରି ନେଇଛି। ତଥାପି ଲୋକେ ବିଶ୍ୱାସ କରୁଛନ୍ତି, କରିତକର୍ମା ନବ ହୁଏତ ରାଜନୀତିର ପଶାପାଲିରେ  ବାଜିମାତ୍ କରି ସମାଲୋଚକଙ୍କ ମୁହଁ ବନ୍ଦ କରିଦେବେ।

Leave A Reply

Your email address will not be published.