ଭୁବନେଶ୍ବର: କରୋନା ମହାମାରୀ ଓ ଏଥିଜନିତ ସୃଷ୍ଟି ହୋଇଥିବା ଆର୍ଥିକ ସଙ୍କଟ ଯୋଗୁଁ ରାଜ୍ୟର ଅର୍ଥନୈତିକ ଅବସ୍ଥl ରସାତଳଗାମୀ ହୋଇଛି l ଏହାର ଆଳ ଦେଖାଇ ରାଜ୍ୟ ସରକାର ଖର୍ଚ୍ଚ କାଟ କରିବା ପାଇଁ ନେଇଥିବା ନିଷ୍ପତ୍ତିର ଅଂଶବିଶେଷ ରୂପେ ରାଜ୍ୟରେ ନୂତନ ନିଯୁକ୍ତିର ସୁଯୋଗ ସୃଷ୍ଟି ନକରିବା ପାଇଁ କରିଥିବା ଘୋଷଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ପକ୍ଷରୁ ଅଭିଯୋଗ କରାଯାଇଛି l ଦେଶ ଓ ରାଜ୍ୟରେ ସୃଷ୍ଟ କରୋନା ଜନିତ ସମସ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ହୋଇ ପ୍ରଵାସୀ ଶ୍ରମିକ ଓ ବେକାର ଯୁବକ ଯୁବତୀମାନଙ୍କ ପାଇଁ ଯେତେବେଳେ ନିଯୁକ୍ତି ସୃଷ୍ଟି କରିବା ଅପରିହାର୍ଯ୍ୟ ହୋଇପଡିଛି, ଠିକ ସେତିକିବେଳେ ରାଜ୍ୟ ସରକାରଙ୍କ ଏଭଳି ଦାଇତ୍ୱହୀନ ନିଷ୍ପତ୍ତି ନିଯୁକ୍ତି ଅପେକ୍ଷାରେ ଥିବା ମଣିଷମାନଙ୍କ ଭିତରେ ହତାଶାଭାବ ସୃଷ୍ଟି କରିବ ବୋଲି ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ଫରୱାର୍ଡ଼ ବ୍ଲକ ର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ପ୍ରକାଶ କରିଛନ୍ତି l ଏଭଳି ଏକ ଘଡ଼ିସନ୍ଧି ମୁହୁର୍ତରେ ରାଜ୍ୟ ସରକାର ରାଜ୍ୟରେ ବନ୍ଦ ପଡ଼ିଥିବା କଳ କାରଖାନା, ଖଣି ଖାଦାନ ତୁରନ୍ତ ଖୋଲିବାର ବ୍ୟବସ୍ଥା କରନ୍ତୁ, ସାରା ରାଜ୍ୟର ସରକାରୀ ଦପ୍ତର ମାନଙ୍କରେ ଖାଲି ପଡ଼ିଥିବା ପଦବୀ ତୁରନ୍ତ ପୂରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରି ହତୋତ୍ସାହିତ ହୋଇପଡିଥିବା ରାଜ୍ୟବାସୀଙ୍କ ବିଶ୍ୱାସ ଓ ଭରଷାର ଆଧାର ପାଲଟିବାକୁ ଏହି ପ୍ରେସ ଇସ୍ତାହାର ରେ ଫରୱାର୍ଡ଼ ବ୍ଲକ ଓଡିଶା ରାଜ୍ୟ କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ଆହ୍ୱାନ ଦିଆଯାଇଛି l କରୋନା ମହାମାରୀ କାରଣରୁ ଅନ୍ୟ ରାଜ୍ୟ ସମେତ ବିଦେଶରେ କାମକରୁଥିବା ଓଡ଼ିଶାର ଲକ୍ଷାଧିକ ମଣିଷ ନିଜର ଜୀବନ ଜୀବିକାର ସୁରକ୍ଷା ପାଇଁ ନିଜ ଜନ୍ମମାଟିକୁ ଫେରିଛନ୍ତି l ରାଜ୍ୟର ବେକାର ଯୁବକ ଯୁବତୀମାନେ ମଧ୍ୟ ସରକାରଙ୍କ ନିଯୁକ୍ତି ସୃଷ୍ଟି ଘୋଷଣାକୁ ଚାତକ ଭଳି ଚାହିଁ ରହିଛନ୍ତି l ତେଣୁ ଓଡିଶା ସରକାର ଉପଯୁକ୍ତ ଶାସକର ଦାୟିତ୍ବ ନିର୍ବାହ କରି ନିଯୁକ୍ତି ସମ୍ପର୍କରେ କରିଥିବା ଘୋଷଣାର ପୁନଃ ବିଚାର କରନ୍ତୁ l ଏହି ଘଡ଼ିସନ୍ଧି ସମୟରେ ରାଜ୍ୟରେ ଲକ୍ଷାଧିକ ନିଯୁକ୍ତି ଓ ଆତ୍ମନିଯୁକ୍ତି ର ସୁଯୋଗ ସୃଷ୍ଟିକରି ସାରା ଦେଶ ପାଇଁ ଉଦାହରଣ ସୃଷ୍ଟି କରନ୍ତୁ l ଓଡିଶା ମାଟିର ପ୍ରାକୃତିକ ସମ୍ପଦ ର ସଫଳ ଓ ମୂଲ୍ୟଯୁକ୍ତ ବିନିଯୋଗ କରି ଓଡିଶାର ମାନବ ସମ୍ବଳର ସୁରକ୍ଷା କରନ୍ତୁ l ଓଡ଼ିଆ ଦାଦନ ଶ୍ରମିକଙ୍କୁ ନିଜ ମାଟି ଉପରେ କର୍ମନିଯୁକ୍ତି ଯୋଗାଇ ଦାଦନ ର ଅନ୍ତ ଘଟାଇ ଏକ ନୂଆ ଅଧ୍ୟାୟ ସୃଷ୍ଟି କରନ୍ତୁ ବୋଲି ଫରୱାର୍ଡ଼ ବ୍ଲକ ପକ୍ଷରୁ ଶ୍ରୀ ମହାପାତ୍ର ରାଜ୍ୟ ସରକାର ଙ୍କୁ ଚେତାଇ ଦେଇଛନ୍ତି l
Sign in
Sign in
Recover your password.
A password will be e-mailed to you.
Next Post