ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ଅଗ୍ନିକାଣ୍ଡ

0 2

ଜଗତସିଂହପୁର:(ରମେଶ ମହାନ୍ତି)- ବୁଧବାର ବିଳମ୍ବିତ ରାତିରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗରେ ଅଗ୍ନି୍କାଣ୍ଡ ଘଟିଥିବା ଜଣାପଡିଛି।ସୂଚନାନୁଯାୟୀ ରାତି ପ୍ରାୟ ୨ଟା ବେଳେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗ ପୁରାପୁରି ଧୂଆଁମୟ ହୋଇଯାଇଥିଲା।ଏଥିରେ ବିଚଳିତ ହୋଇ ରୋଗୀ ଏବଂ ତାଙ୍କର ସଂପର୍କୀୟମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବାହାରକୁ ଚାଲିଆସିଥିଲେ। ବିଦ୍ୟୁତ ସଟ୍ ସର୍କିଟ ଯୋଗୁ ଏଭଳି ଘଟିଥିବାର ଅନୁମାନ କରାଯାଉଛି। ଏଥିରେ ଗୋଟିଏ ଫ୍ୟାନ ପୋଡ଼ିଯାଇଥିବା ଜଣାଯାଇଛି।ରାତି ପ୍ରାୟ ୨ଟା ବେଳେ ୱାଟର ଫ୍ରିଜ଼ର ନିକଟରେ ଖୁବ୍ ଜୋରରେ ଶବ୍ଦ ହେବା ସହ ବିଦ୍ୟୁତ ତାର ଜଳି ଯାଇଥିଲା। ଫଳରେ ସେଠାରେ ଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ପ୍ରାଣ ବିକଳରେ ତଳକୁ ପଳାଇ ଆସିଥିଲେ।ଏପରିକି ସଦ୍ୟଜାତ ଶିଶୁ ସହିତ ଅପରେସନ ହୋଇଥିବା ମା’ ଓ ଅନ୍ୟ ରୋଗୀ ମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାହାରେ ଘଣ୍ଟା ଘଣ୍ଟା ଧରି ବସି ରହିଥିବାର ଦେଖିବାକୁ ମିଳିଥିଲା।ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି।ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଚିକିତ୍ସାଳୟରେ ଥିବା ଅଗ୍ନି ନିର୍ବାପକ ସହାୟତାରେ ନିଆଁକୁ  ଆୟତ୍ତ କରାଯାଇଥିବା ଜଣାପଡିଛି।

Leave A Reply

Your email address will not be published.