କସ୍ତୁରବା ଗାନ୍ଧୀ ବିଦ୍ୟାଳୟର ନାବାଳିକା ଛାତ୍ରୀ ୮ ମାସର ଗର୍ଭବତୀ; ପ୍ରଶାସନିକ ନିରୀକ୍ଷଣ ଉପରେ ବଡ଼ ପ୍ରଶ୍ନବାଚୀ
ମାଲକାନଗିରି,(ସୁରେନ୍ଦ୍ର କୁମାର ବେମାଳ) ତା ୦୪/୧୧/୨୬: ମାଲକାନଗିରି ଜିଲ୍ଲା ସଦର ବ୍ଲକ୍ ର ସିନ୍ଧ୍ରିମାଳ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ (କେଜିବିଭି) ର ଜଣେ ୧୭ ବର୍ଷୀୟା ନାବାଳିକା ଛାତ୍ରୀ ୮ ମାସର ଗର୍ଭବତୀ ହେବା ଘଟଣା ସମଗ୍ର ଜିଲ୍ଲାରେ ବ୍ୟାପକ ଉଦ୍ବେଗ ଓ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣା କେବଳ ଏକ ବ୍ୟକ୍ତିଗତ ଘଟଣା ନୁହେଁ, ବରଂ ଶିକ୍ଷା ବିଭାଗ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନର ନିରୀକ୍ଷଣ ବ୍ୟବସ୍ଥା ଏବଂ ହଷ୍ଟେଲ ସୁରକ୍ଷା ଉପରେ ଏକ ସାଂଘାତିକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଘଟଣାଟି ବହୁଦିନ ପୂର୍ବରୁ ଘଟିଥିଲେ ମଧ୍ୟ ସ୍କୁଲ କତ୍ତୃପକ୍ଷ ଙ୍କ ନଜରକୁ କିପରି ଆସିପାରିନାହିଁ ନା ଜାଣି ନଜାଣିବା ପରି ରହିଛନ୍ତି।ଘଟଣାଟି ସ୍ୱାସ୍ଥ୍ୟ ବିଭାଗର ନଜରକୁ ଆସିବା ପରେ ପଦାକୁ ଆସିଲା ସମ୍ପୂର୍ଣ୍ଣ ସତ୍ୟ ।
ମିଳିଥିବା ସୂଚନା ଅନୁଯାୟୀ, ଗତ ଅକ୍ଟୋବର ୨୮ ତାରିଖରେ ଛାତ୍ରୀର ଗର୍ଭଧାରଣ ପଞ୍ଜୀକରଣ ସମୟରେ ଏହି ସମ୍ବେଦନଶୀଳ ଘଟଣାଟି ସ୍ୱାସ୍ଥ୍ୟ ବିଭାଗର ନଜରକୁ ଆସିଥିଲା। ପ୍ରାଥମିକ ତଥ୍ୟରୁ ଜଣାପଡିଛି ଯେ ଛାତ୍ରୀ ଜଣକ ଆବାସିକ ବିଦ୍ୟାଳୟରୁ ଡେ-ସ୍କଲାର ହୋଇ ଗାଁରେ ରହୁଥିଲେ। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଭୂମିକା ସନ୍ଦେହଜନକ ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଛାତ୍ରୀ ଜଣକ ଦୀର୍ଘଦିନ ଧରି ବିଦ୍ୟାଳୟରେ ଅନୁପସ୍ଥିତ ଥିଲେ କି ନାହିଁ ? ଯଦି ଅନୁପସ୍ଥିତ ଥିଲେ, ତେବେ ବିଦ୍ୟାଳୟ କର୍ତ୍ତୃପକ୍ଷ କାହିଁକି ଅଭିଭାବକ ଙ୍କ ସହ ଯୋଗାଯୋଗ କଲେ ନାହିଁ କିମ୍ବା ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କଲେ ନାହିଁ? ଘଟଣା ସମ୍ପର୍କରେ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ଯୋଗାଯୋଗ କରିଥିଲୁ କିନ୍ତୁ ଯୋଗାଯୋଗ ହୋଇପାରିନ ଥିଲା, ପରେ ପରେ ସ୍କୁଲ ସି ଆର ସି ଙ୍କ ସହ ଯୋଗାଯୋଗ କରିଥିଲୁ କିନ୍ତୁ ସି ଆର ସି ଘଟଣା ସମ୍ପର୍କରେ କିଛି ଜାଣିନଥିବା କହିଥିଲେ। ଉକ୍ତ ଘଟଣା ସମ୍ପର୍କରେ ମାଲକାନଗିରି ବିଇଓ ଙ୍କ ସହ ଯୋଗାଯୋଗ କରିଥିଲୁ ଘଟଣା ସମ୍ପର୍କରେ ବିଇଓ ପାଖରେ କିଛି ତଥ୍ୟ ନଥିବା କହିଥିଲେ। ଯଦି ଆବାସିକ ବିଦ୍ୟାଳୟରେ କିଛି ଘଟଣା ଘଟିଥାଏ ଉପରିସ୍ଥ ଅଧିକାରୀଙ୍କ ନିକଟରେ କୌଣସି ଖବର ନଥାଏ କିମ୍ବା ସରକାରୀ ଭାବେ ଚିଠିପତ୍ର ରେ ଜଣାଇଦିଆନଯାଏ ତେବେ ଛାତ୍ର ଛାତ୍ରୀ ମାନେ କେତେ ସୁରକ୍ଷିତ। ଏହି ଘଟଣାର ଗୁମର ଖୋଲିବାକୁ ହେଲେ ବିଦ୍ୟାଳୟର ଉପସ୍ଥାନ ଖାତା ହଷ୍ଟେଲ ରେଜିଷ୍ଟର ଏବଂ ହଷ୍ଟେଲ ରୁ ଡେ-ସ୍କଲାର ପରିବର୍ତ୍ତନ ପାଇଁ ଦିଆଯାଇଥିବା ଅନୁମତି ପତ୍ରର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ସାଧାରଣ ଦାବି ପୀଡ଼ିତାଙ୍କ ବୟସ ୧୮ ବର୍ଷରୁ କମ୍ ହୋଇଥିବାରୁ, ଏହା ପୋକ୍ସୋ ଆଇନ ଅଧୀନରେ ଆସୁଛି। ତେଣୁ ତୁରନ୍ତ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବା ସହ ନାବାଳିକାଙ୍କୁ ଉପଯୁକ୍ତ ଚିକିତ୍ସା, କାଉନସେଲିଂ ଏବଂ ସୁରକ୍ଷା ଯୋଗାଇଦେବାକୁ ଦାବି ହେଉଛି। ଏହି ଜଘନ୍ୟ ଘଟଣାର ଏକ ନିରପେକ୍ଷ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଶିକ୍ଷା ବିଭାଗ ଓ ସମ୍ପୃକ୍ତ ଦାୟିତ୍ୱହୀନ ନିର୍ଦ୍ଧାରଣ କରି କାର୍ଯ୍ୟାନୁଷ୍ଠାନ କରାଯାଉ ବୋଲି ସାଧାରଣରେ ଦୃଢ଼ ଦାବି ହେଉଛି।