ସମ୍ବଲପୁର/ଲିପନ ନାୟକ : ୧୦ ହଜାର ଟଙ୍କା ଲାଞ୍ଚ ନେଇ ଖସିଯିବାକୁ ଉଦ୍ୟମ କରି ପୋଖରୀକୁ ଡେଇଁଥିବା ଜଣେ ପୋଲିସ୍ ସବ୍ ଇନ୍ସପେକ୍ଟରଙ୍କୁ ପିଛା କରି ଧରିଛି ଓଡ଼ିଶା ଭିଜିଲାନ୍ସ। ଗିରଫ ଏସ୍ଆଇ ଜଣକ ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନାର ସୁଜିତ କୁମାର ମହାନ୍ତ ବୋଲି ଜଣାପଡିଛି ।
ଏକ ମିସଲାନିୟସ୍ ମାମଲାର ଫାଇନାଲ୍ ରିପୋର୍ଟ ପ୍ରସ୍ତୁତ କରି ମାମଲାର ଫଇସଲା କରିବା ପାଇଁ ସେ ଅଭିଯୋଗକାରୀଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହି ମାମଲାର ତଦନ୍ତକାରୀ ଅଧିକାରୀ ଥିବା ଅଭିଯୁକ୍ତ ଏସ୍ଆଇ ଆଜି ସନ୍ଧ୍ୟାରେ ଥାନା ବାହାରେ ଏକ ନିର୍ଜନ ସ୍ଥାନକୁ ଅଭିଯୋଗକାରୀଙ୍କୁ ଡାକି ପ୍ରତିଶ୍ରୁତି ପୂର୍ବକ ଲାଞ୍ଚ ଟଙ୍କା ଗ୍ରହଣ କରିଥିଲେ। ମାତ୍ର ୧୦ ହଜାର ଟଙ୍କାର ଲାଞ୍ଚ ଦେବାର କ୍ଷମତା ନଥିବା ଅଭିଯୋଗକାରୀ ଜଣଙ୍କ ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ । ଲାଞ୍ଚ ଟଙ୍କା ଦେଣନେଣ ସମୟରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍କୁ ଅଭିଯୁକ୍ତ ପୋଲିସ ଏସ୍ଆଇ ଦେଖିବା ମାତ୍ରେ ଘଟଣାସ୍ଥଳରୁ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ। ଭିଜିଲାନ୍ସ ଟିମ୍ ତାଙ୍କ ପିଛା କରିବାରୁ ସେ ନିକଟସ୍ଥ ଏକ ପୋଖରୀକୁ ଡେଇଁ ପଡ଼ିଥିଲେ। ଭିଜିଲାନ୍ସ ଟିମ୍ର ଜଣେ ସଦସ୍ୟ ତୁରନ୍ତ ପୋଖରୀକୁ ଡେଇଁ ପହଁରି ପହଁରି ତାଙ୍କୁ କାବୁ କରି ତାଙ୍କ ନିକଟରୁ ୧୦ ହଜାର ଲାଞ୍ଚ ଟଙ୍କା ଜବତ କରିଥିଲେ । ଏହି ଘଟଣା ପରେ
ଆୟ ବହିର୍ଭୂତ ସମ୍ପତ୍ତି ଦିଗରୁ ତାଙ୍କର ବିଭିନ୍ନ ଠିକଣାରେ ଯାଞ୍ଚ କରାଯାଉଛି। ଏହି ଯାଞ୍ଚ ସମୟରେ ଥାନା ପରିସରରେ ଥିବା ତାଙ୍କ ବିଶ୍ରାମ କକ୍ଷରୁ ନଗଦ ୧ ଲକ୍ଷ ୫୫ ହଜାର ୭୦୦ ଟଙ୍କା ମଧ୍ୟ ଜବତ ହୋଇଛି।
ଏହି ଘଟଣାରେ ସମ୍ବଲପୁର ଭିଜିଲାନ୍ସ ଥାନାରେ ୨୧/୨୬ ରେ ଦୁର୍ନୀତି ନିବାରଣ ଆଇନର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଛି। ଏବେବି ଘଟଣାର ତଦନ୍ତ ଜାରି ରହିଛି । ୨୦୨୧ ମସିହାରେ ଅଭିଯୁକ୍ତ ସୁଜିତ କୁମାର ମହାନ୍ତ ସିଧାସଳଖ ନିଯୁକ୍ତି ମାଧ୍ୟମରେ ପୁଲିସ୍ ଏସ୍ଆଇ ଭାବେ ଚାକିରିରେ ଯୋଗ ଦେଇଥିବା ଜଣାପଡିଛି ।