- ସଂଗଠନକୁ ମଜବୁତ କରିବାକୁ ଦଳୀୟ କର୍ମୀଙ୍କୁ ଆହ୍ୱାନ
- ତୃଣମୂଳ ସ୍ତରରୁ ମଜବୁତ ହେବ ସଂଗଠନ, ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଭଞ୍ଜନଗର ଭାଜପାର ପ୍ରସ୍ତୁତି
- ‘ବିକଶିତ ଭାରତ’ ଓ ‘ବିକଶିତ ଓଡ଼ିଶା’ ସ୍ୱପ୍ନ ପୂରଣ ପାଇଁ ଘରେ ଘରେ ପହଞ୍ଚିବ ଡବଲ ଇଞ୍ଜିନ ସରକାରଙ୍କ ଯୋଜନା
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସ୍ଥିତ ବିଡେକା ସମ୍ମିଳନୀ କକ୍ଷରେ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) ଭଞ୍ଜନଗର ସାଂଗଠନିକ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ନୀଳମାଧବ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦଳର ପ୍ରମୁଖ ନେତୃବୃନ୍ଦ, ମନ୍ତ୍ରୀ, ବିଧାୟକ ଓ କର୍ମକର୍ତ୍ତାମାନେ ଯୋଗଦେଇ ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ଅଧିକ କ୍ରିୟାଶୀଳ ଓ ମଜବୁତ କରିବା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।
ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ। ଏଥିସହିତ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ସାରଦା ଶତପଥି, ଏବଂ ରାଜ୍ୟ ସମ୍ପାଦକ ଭଗବାନ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦଳୀୟ କାର୍ଯ୍ୟପନ୍ଥା ଓ ରଣନୀତି ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ।
ଆଗାମୀ ପଞ୍ଚାୟତ ନିର୍ବାଚନ ଓ ବୁଥ୍ ସ୍ତରୀୟ ରଣନୀତି ଆଲୋଚନା ବୈଠକରେ ବକ୍ତାମାନେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଏବେଠାରୁ ରଣନୀତି ପ୍ରସ୍ତୁତ କରି ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବାକୁ କର୍ମକର୍ତ୍ତାମାନଙ୍କୁ ଆହ୍ୱାନ ଦେଇଥିଲେ। ବୁଥ୍ ସ୍ତର ପର୍ଯ୍ୟନ୍ତ ପହଞ୍ଚି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଏବଂ ସଫଳତା ସମ୍ପର୍କରେ ଘରେ ଘରେ ପ୍ରଚାର କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।
‘ବିକଶିତ ଭାରତ’ ଓ ‘ବିକଶିତ ଓଡ଼ିଶା’ର ସଂକଳ୍ପ କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକଶିତ ଭାରତ’ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ‘ବିକଶିତ ଓଡ଼ିଶା’ ସ୍ୱପ୍ନକୁ ସାକାର କରିବା ପାଇଁ ଦଳୀୟ କର୍ମୀମାନେ ଜନସାଧାରଣଙ୍କ ସହ ସିଧାସଳଖ ଯୋଡ଼ିହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଥିଲା। ଏଥିସହ ମଣ୍ଡଳ ସ୍ତରରେ କାର୍ଯ୍ୟକାରିଣୀ ବୈଠକ ଆୟୋଜନ କରି ସଂଗଠନକୁ ଅଧିକ ସକ୍ରିୟ କରିବା ସହ ଯୁବକ, ମହିଳା ଓ କୃଷକଙ୍କ ବିକାଶ ପାଇଁ ଡବଲ୍ ଇଞ୍ଜିନ ସରକାର ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ନେଇ ବ୍ୟାପକ ଆଲୋଚନା ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଦଳୀୟ ନେତୃବୃନ୍ଦ ଏହି ଅବସରରେ ଭାଜପା ନେତା ବିଷ୍ଣୁ ପ୍ରସାଦ ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଜୟନ୍ତୀ ପଢ଼ିଆରୀ, ରାଜ୍ୟ କୃଷକ ମୋର୍ଚ୍ଚା ସୋସିଆଲ ମିଡିଆ ପ୍ରମୁଖ ପ୍ରଦୀପ କୁମାର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ ପାଳ, ମହିଳା ମୋର୍ଚ୍ଚା ସଭାନେତ୍ରୀ ଭୋଳି ସାହୁଙ୍କ ସମେତ ବହୁ ସଂଖ୍ୟାରେ ଦଳୀୟ କର୍ମକର୍ତ୍ତା ଓ ନେତା ଉପସ୍ଥିତ ଥିଲେ।