ଜନ୍ମନାରାୟଣବେଶରେ ଦର୍ଶନ ଦେଲେ ଶ୍ରୀ ରଘୁନାଥ : ଆସନ୍ତା କାଲି ଡାଡକା ବଧ ବେଶ

0

 ଓଡଗାଁରେ ଶ୍ରୀରାମ ନବମୀ ଯାତ୍ରା ଆରମ୍ଭ 

ଓଡଗାଁ(ଶ୍ରୀକାନ୍ତ ମିଶ୍ର):  ସ୍ୱର୍ଣ୍ଣ କଳସ କ୍ଷେତ୍ର ତଥା ନୟାଗଡ ଜିଲ୍ଲାର ଆଧ୍ୟାତ୍ମିକ ପ୍ରାଣକେନ୍ଦ୍ର ଭାବେ ସୁପରିଚିତ ଶ୍ରୀରଘୁନାଥଙ୍କ ପୀଠ  ଓଡଗାଁରେ ଆଜି ପବିତ୍ର ଚୈତ୍ର ଶୁକ୍ଲ ପୁନର୍ବସୁ ନକ୍ଷତ୍ର  ନବମୀ ତିଥି ଶନିବାର ଠାରୁ ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରା ମହା ଆଡମ୍ବରରେ ଆରମ୍ଭ ହୋଇଛି । ପ୍ରଚଣ୍ଡ ରୈାଦ୍ରତାପ ସତ୍ୱେ ପ୍ରଭୁଙ୍କ ଜନ୍ମବିଧାନ କାର୍ଯ୍ୟକ୍ରମ ଦେଖିବା ପାଇଁ ରଘୁନାଥଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା ।

ଆଜି ଭୋର ସାଢେ ୪ଟାରେ ଦ୍ୱାରଫିଟା ଯାଇ ସମସ୍ତ ଶୋଧନ ନିତୀ ସରିବା ପରେ ୫ଟାରେ ମଙ୍ଗଳ ଆଳତି, ପଂଚାମୃତ ସ୍ନାନ, ମହାସ୍ନାନ, ଅବକାଶ, ମଇଲମ, ଖଟଣୀ, ତଡପଲାଗି, ଚନ୍ଦନଲାଗି ଏବଂ ଭୋର ୭ଟାରେ ସୂର୍ଯ୍ୟପୂଜା, ଦ୍ୱାରଦାଜ ପୂଜା, ଶ୍ରୀ ଭଗବତ ଜୀଉ ପୂଜା ଓ ବଲ୍ଲଭ ନୀତି ସଂପୂର୍ଣ୍ଣ କରାଯାଇଥିଲା । ସକାଳ ୮ଟାରେ ଖେଚୁଡିଧୂପ, କର୍ପୁର ଆଳତୀ, ମହା ଆଳତୀ, ଚାମର ସେବାପରେ ଗମ୍ଭିରା ଓ ଭୋଗ ମଣ୍ଡପକୁ ପାଳିଆ ଟହଲିଆ ସଫାକରିବା ପରେ ଶ୍ରୀ ରଘୁନାଥଙ୍କ ଜନ୍ମ ବିଧାନ କାର୍ଯ୍ୟ ଆରମ୍ଭ ହୋଇଥିଲା । ଦିନ ୧୨ଟାରୁ ମଝି ଗମ୍ଭିରା ଭୋଗ ମଣ୍ଡପରେ ମନ୍ଦିର ପୁରୋହିତ ମାନଙ୍କ ଦ୍ୱାରା ଶ୍ରୀ ଜୀଉଙ୍କ ଜନ୍ମବିଧାନ ନୀତି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।  ଶ୍ରୀଜୀଉଙ୍କ ବିଜେ ପ୍ରତିମା ଆଜ୍ଞାମାଳ ପାଇ ରନôବେଦୀରୁ ଜନ୍ମ ମଣ୍ଡପକୁ ବିଜେ କରିଥିଲେ । ପ୍ରଭୁଙ୍କ ବିଜେ ପ୍ରତିମାକୁ ଏକରୂପା ହାଣ୍ଡି ମଧ୍ୟରେ ରଖି  ଅଟା, ପଂଚାମୃତ, ଗୁଡ, ମହୁ ଓ ଘିଅେ ସମିଶ୍ରଣରେ ନାଭି ତିଆରି କରାଯାଇ ପାଟବସ୍ତ୍ରରେ ଆଛାଦନ କରାଯାଇଥିଲା ।ପୁରୋହିତଙ୍କ ଜନ୍ମ ବିଧିବିଧାନ ମନ୍ତ୍ର ଉଚ୍ଚାରଣ ଘଂଟା ଘଂଟି ହରିବୋଲ ହୁଳହୁଳିର ଏକ ଆଧ୍ୟାତ୍ମିକ ପରବେଶ ମଧ୍ୟରେ ପ୍ରଭୁ ଶ୍ରୀରାମ ଜନ୍ମ ଗ୍ରହଣ କରିଥିଲେ । ଆଜିର ପ୍ରଚଣ୍ଡ ରୈାଦ୍ରତାପ ସତ୍ୱେ ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମ କର୍ମ ଦର୍ଶନ ପାଇଁ ଶ୍ରଦ୍ଧାଳୁ ମାନଙ୍କ ଭିଡ ଉତ୍ସାହ  ଉଦିପନା  ଭାବବିହ୍ୱଳ ଓ ହରିବୋଲ ହୁଳହୁଳୀ ଶବ୍ଦ ଓଡଗାଁରେ ଅଯୋଧ୍ୟାନଗରୀର ଭ୍ରମସୃଷ୍ଟି କରିଥିଲା । ବିଧାନ ନୀତି ଅନୁସାରେ ଅପରାହ୍ନ ୧ଘଂଟା ସମୟରେ ନାଭିକୁ ଏକ ରୂପା ଛୁରୀରେ କଟାଯାଇ ବିଜେ ପ୍ରତିମାକୁ ଅଣାଯାଇ ସୂର୍ଯ୍ୟଦର୍ଶନ, ମହାସ୍ନାନ, ସଠୀ ଦେବି ପୂଜା ଓ ଦୋଳିରେ ବସାଇ ବନ୍ଦାପନା ପରେ ଅପରାହ୍ନ ୨.୩୦ ରେ ରତ୍ନବେଦୀକୁ ବିଜେ ହୋଇ ଅନ୍ନଧୂପ ଓ ଆଳତୀ ପରେ ୩ଟାରେ ପହୁଡ ହୋଇଥିଲା । ନିଃସନ୍ତାନ ମହିଳାମାନେ ଏହି ନାଭି ପ୍ରସାଦ ସେବନ ପାଇଁ ରାଜ୍ୟ ତଥା ରାଜ୍ୟବାହାରୁ ବହୁ ସଂଖ୍ୟାରେ ଭିଡ ଜମାଇଥିବା ଦେଖିବାକୁ ମିଳିଥିଲା । 

ସନ୍ଧ୍ୟା ସାଢେ ୬ଟାରେ ଟେରାଧୂପ ଓ ସନ୍ଧ୍ୟା ଆଳତି ହୋଇଥିଲା । ପ୍ରଭୁ ଶ୍ରୀରଘୁନାଥ, ମାତା ସୀତା ଓ ଅନୁଜ ଲକ୍ଷ୍ମଣ ସ୍ୱର୍ଣ୍ଣ ଅଳଙ୍କାର ପରିଧାନ କରିବା ସହିତ ଶଙ୍ଖ, ଚକ୍ର, ଗଦା, ପଦ୍ମ ଧାରଣ କରି ଚତୁର୍ଭୁଜ ଜନ୍ମ ନାରାୟଣ ବେଶରେ ଦର୍ଶନ ଦେଇଥିଲେ । ଆଜିର ପାଳିଆ ପଣ୍ଡା ପାଳିଆ ପଣ୍ଡା ପ୍ରଦିପ ବାହିନୀପତି, ମନ୍ଦିର ପୁରୋହିତ, ପୂଜାପଣ୍ଡାଗଣ, ଦେବୋତ୍ତର  ମ୍ୟାନେଜର କର୍ମକର୍ତ୍ତା , ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ର ସମସ୍ତ ନୀତିକାର୍ଯ୍ୟ ସଂପାଦନ କରିଥିଲେ । ଯାତ୍ରାକୁ ଶୃଙ୍ଖଳିତ କରିବା ନିମିତ ଓଡଗାଁ ପୋଲିସ ପ୍ରଶାସନ ତରଫରୁ ଆଇଆଇସି ଜ୍ୟୋତି ପ୍ରକାଶ ପଣ୍ଡାଙ୍କ ତତ୍ୱାବଧାନରେ ପୁଲିସ ମୁତୟନ ରହିଥିଲେ । ପ୍ରଥମଦିନର ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ  ହୋଇଥିବା ବେଳେ ଆସନ୍ତା କାଲି ଶ୍ରୀ ଜୀଉ ଡାଡକା ବଧ ବେଶରେ ଦର୍ଶନ ଦେବେ ।

 

Leave A Reply

Your email address will not be published.