ଶରଦ ଶଶୀ‌ ଦେ ତୁ ହସି

30


🔹🔹🔹🔹🔹🔹🔹🔹🔹


ଶୀତଳ ଜୋଛନା ଖୋଜିଲେ ମିଳେନା
କୁଆଁର ପୁନେଇ ଜହ୍ନରେ
ଉଷ୍ମତା ଖାଲି ଭରିଯାଏ ଦେହେ
ବିବଶ ବିରସ ମନରେ ।।

କିଏ ଲୁଟି ନେଲା ଶରଦ ଶଶୀର
ରଜତ ଧବଳ ଆଲୋକ
ଚାନ୍ଦର ଚାନ୍ଦିନୀ ଲାଗେ ଫିକା ଫିକା
ନାହିଁ ଆଗପରି ମାଦକ
ନିରାଶ ହସରେ ବିରସ ବିଷରେ
ନିଷ୍ପ୍ରାଣ ଜୀବନ ଛନ୍ଦରେ
ଉଷ୍ମତା ଖାଲି ଭରିଯାଏ ଦେହେ
ବିବଶ ବିରସ ମନରେ ।।

ଶକ୍ତିହୀନ ଅଙ୍ଗ, ଗତି ହୀନ ପାଦ
ମୁକ୍ତି ବିହୀନ ଜଞ୍ଜାଳେ
ଶରତ ପୂନେଇ ମରତେ ଖେଳାଏ
ଅବ୍ଯକ୍ତ ହୃଦୟ ଜ୍ବାଳାରେ
ନିଦାଘ ରୌଦ୍ର ସଞ୍ଚରି ଯାଏ
ନିସ୍ୱ ନିରସ ପ୍ରାଣରେ
ଶୀତଳ ଜୋଛନା ଖୋଜିଲେ ମିଳେନା
କୁଆଁର ପୁନେଇ ଜହ୍ନରେ ।।

ଶରଦ ଶଶୀ ତୁ ଦେ ଥରେ ହସି
ରାଗ ଅନୁରାଗ ଭରିରେ
ସବୁରି ମରମେ ଭରିଦେ ଶାନ୍ତି
ଦୁଃଖ ଯାଉ ଅପସରିରେ
ସରବେ ସୁଖରେ ରହନ୍ତୁ ଧରାରେ
ଘେନ ତୁ ଏଇ ଗୁହାରିରେ
ତୋ ହସରେ ହସୁ ଏ ସାରା ଦୁନିଆଁ
ସୁଖ ସମ୍ପଦର ଶିରୀରେ ।।
🔹🔹🔹🔹🔹🔹🔹


ଶ୍ରୀ ଶଶିଭୂଷଣ ପଟ୍ଟନାୟକ
ଅବସରପ୍ରାପ୍ତ ଶିକ୍ଷକ
ପାରଳାଖେମୁଣ୍ଡି
ଗଜପତି

Leave A Reply

Your email address will not be published.