କୌଣସି ସଂଗଠନ ସହ ମେଣ୍ଟ ନକରିବାକୁ ନିଷ୍ପତ୍ତି: ସାଧାରଣ ସମ୍ପାଦକ ଗୋପାଳ ଦାସ
ରାଉରକେଲା,(ବସନ୍ତ କୁମାର ଜେନା, ଶାସକ ପ୍ରଶାସକ):ଆଗାମୀ ରାଉରକେଲା ଇସ୍ପାତ କାରଖାନା (ଆରଏସପି)ର ସ୍ୱୀକୃତିପ୍ରାପ୍ତ ଶ୍ରମିକ ସଂଘ ନିର୍ବାଚନରେ ଗାଙ୍ଗପୁର ମଜଦୁର ମଞ୍ଚ ଏକାକୀ ନିର୍ବାଚନ ଲଢ଼ିବ। କୌଣସି ଶ୍ରମିକ ସଂଗଠନ ସହ ମେଣ୍ଟ ନକରି ସ୍ୱତନ୍ତ୍ର ଭାବେ ନିର୍ବାଚନ ଲଢ଼ିବାକୁ ମଞ୍ଚ ନିଷ୍ପତ୍ତି ନେଇଛି ବୋଲି ଏହାର ସାଧାରଣ ସମ୍ପାଦକ ଗୋପାଳ ଦାସ ସୂଚନା ଦେଇଛନ୍ତି।
ରବିବାର ସେକ୍ଟର-୮ସ୍ଥିତ ଗାଙ୍ଗପୁର ମଜଦୁର ମଞ୍ଚ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ କହିଥିଲେ ଯେ, ଆଦିବାସୀ, ମୂଳନିବାସୀ ଓ ବିସ୍ଥାପିତ ଶ୍ରମିକଙ୍କ ହିତ ଏବଂ ଅଧିକାରର ସୁରକ୍ଷା ପାଇଁ ସ୍ୱର୍ଗତ ଜର୍ଜ ତିର୍କୀଙ୍କ ତତ୍ତ୍ୱାବଧାନରେ ଏହି ସଂଗଠନ ଗଠିତ ହୋଇଥିଲା। ସ୍ୱର୍ଗତ ତିର୍କୀ ମଞ୍ଚର ପଥପ୍ରଦର୍ଶକ ଓ ଦିଗଦର୍ଶକ ଥିଲେ। ସଂଗଠନ ଆରମ୍ଭରୁ ଶ୍ରମିକଙ୍କ ସ୍ୱାର୍ଥ ଓ ଅଧିକାର ପାଇଁ ସ୍ୱତନ୍ତ୍ର ଭାବେ କାର୍ଯ୍ୟ କରିଆସୁଛି।
ସେ କହିଥିଲେ ଯେ, ଆରଏସପିର ପ୍ରଥମ ଦୁଇଟି ସ୍ୱୀକୃତିପ୍ରାପ୍ତ ୟୁନିୟନ ନିର୍ବାଚନରେ ଗାଙ୍ଗପୁର ମଜଦୁର ମଞ୍ଚ ୨୦ ପ୍ରତିଶତରୁ ଅଧିକ ଭୋଟ ପାଇଥିଲା। ପରବର୍ତ୍ତୀ ସମୟରେ ଶ୍ରମିକଙ୍କ ହିତକୁ ଦୃଷ୍ଟିରେ ରଖି ଗତ ଦୁଇଟି ନିର୍ବାଚନରେ ରାଉରକେଲା ଶ୍ରମିକ ସଂଘ ସହ ମେଣ୍ଟ କରି ନିର୍ବାଚନ ଲଢ଼ିଥିଲା। ଏହି ମେଣ୍ଟ ଉଭୟ ନିର୍ବାଚନରେ ବିଜୟୀ ହୋଇଥିଲା।
ମେଣ୍ଟ ଅନୁଯାୟୀ, ଆରଏସପିର ବିଭିନ୍ନ ଯୁଗ୍ମ କମିଟିରେ ରାଉରକେଲା ଶ୍ରମିକ ସଂଘର ୬୦ ପ୍ରତିଶତ ଏବଂ ଗାଙ୍ଗପୁର ମଜଦୁର ମଞ୍ଚର ୪୦ ପ୍ରତିଶତ ପ୍ରତିନିଧିତ୍ୱ ରହିବା ନେଇ ଚୁକ୍ତି ହୋଇଥିଲା। ଏହି ବ୍ୟବସ୍ଥା ଅନୁସାରେ ଉଭୟ ସଂଗଠନ ମିଳିତ ଭାବେ ଶ୍ରମିକଙ୍କ ସ୍ୱାର୍ଥରେ କାର୍ଯ୍ୟ କରିଥିଲେ। ତେବେ ଏହି ମେଣ୍ଟକୁ ବିରୋଧ କରି RIKKS (BMS) ପ୍ରଥମେ ଅଦାଲତର ଦ୍ୱାରସ୍ଥ ହୋଇଥିଲା। ପରେ ମାମଲା ପ୍ରତ୍ୟାହାର କରିନେଇଥିଲା ବୋଲି ଶ୍ରୀ ଦାସ କହିଥିଲେ।
ନୂତନ ଶ୍ରମ ଆଇନ ଓ ୟୁନିୟନର ସ୍ୱୀକୃତି ସମ୍ପର୍କିତ ବ୍ୟବସ୍ଥା ବିଷୟରେ ମତ ରଖି ଶ୍ରୀ ଦାସ କହିଥିଲେ ଯେ, ନୂତନ ଶ୍ରମ କୋଡ୍ର ବ୍ୟବସ୍ଥା ଅନୁଯାୟୀ ୫୧ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ଭୋଟ ପାଇଥିବା ୟୁନିୟନକୁ ସ୍ୱୀକୃତିପ୍ରାପ୍ତ ୟୁନିୟନ ଭାବେ ଗ୍ରହଣ କରାଯିବ। ଯଦି କୌଣସି ୟୁନିୟନ ଏହି ସଂଖ୍ୟା ହାସଲ କରିନପାରେ, ତେବେ ୨୦ ପ୍ରତିଶତରୁ ଅଧିକ ଭୋଟ ପାଇଥିବା ୟୁନିୟନଗୁଡ଼ିକର ପ୍ରତିନିଧିଙ୍କୁ ନେଇ ଏକ ଆଲୋଚନା ପରିଷଦ (Negotiating Council) ଗଠନ ହେବ। ଏହି ପରିଷଦ ସହ କମ୍ପାନୀ ଶ୍ରମିକଙ୍କ ସମସ୍ୟା ଓ ବିଭିନ୍ନ ନୀତିନିୟମ ନେଇ ଆଲୋଚନା କରିବ ବୋଲି ସେ ଉଲ୍ଲେଖ କରିଥିଲେ।
ଏଥିସହ RIKKS (BMS) ପକ୍ଷରୁ କେନ୍ଦ୍ରୀୟ ଶ୍ରମ ଆୟୁକ୍ତଙ୍କ ନିକଟରେ ମେଣ୍ଟ ବିରୋଧରେ ଅଭିଯୋଗ କରାଯାଇଥିବା ଶ୍ରୀ ଦାସ ଅଭିଯୋଗ କରିଥିଲେ। ତାଙ୍କ କହିବା ଅନୁଯାୟୀ, ଏହା ପରେ ମେଣ୍ଟକୁ ନିରସ୍ତ କରାଯିବା ସହ ଆରଏସପିର ବିଭିନ୍ନ ଯୁଗ୍ମ କମିଟିରୁ ଗାଙ୍ଗପୁର ମଜଦୁର ମଞ୍ଚର ପ୍ରତିନିଧିମାନଙ୍କୁ ବାଦ୍ ଦିଆଯାଇଥିଲା।
ଶ୍ରମିକ, କର୍ମଚାରୀ ଓ ବିସ୍ଥାପିତ ପରିବାରଙ୍କ ନ୍ୟାୟସଙ୍ଗତ ଅଧିକାର, ସାମାଜିକ ସୁରକ୍ଷା ଓ ସମ୍ମାନଜନକ ଜୀବନ ପାଇଁ ମଞ୍ଚ ସର୍ବଦା ସଂଗ୍ରାମ ଜାରି ରଖିବ ବୋଲି ସେ କହିଥିଲେ। ଦୀର୍ଘଦିନ ଧରି ଅନେକ ଶ୍ରମିକ ସମସ୍ୟାର ସମାଧାନ ହୋଇନଥିବାରୁ ଶ୍ରମିକ ସମାଜରେ ଅସନ୍ତୋଷ ଓ ଅନିଶ୍ଚିତତା ବଢ଼ୁଛି। ଏହି ପରିସ୍ଥିତିରେ ଆଗାମୀ ନିର୍ବାଚନରେ ମଞ୍ଚ ସ୍ୱତନ୍ତ୍ର ଭାବେ ଲଢ଼ି ଶ୍ରମିକଙ୍କ ସ୍ୱରକୁ ଆହୁରି ଶାଣିତ କରିବ ବୋଲି ସେ ଆହ୍ୱାନ ଦେଇଥିଲେ।
ସାମ୍ବାଦିକ ସମ୍ମିଳନୀରେ ସାଧାରଣ ସମ୍ପାଦକ ଗୋପାଳ ଦାସଙ୍କ ସମେତ କାର୍ଯ୍ୟକାରୀ ସଭାପତି ମାଙ୍ଗେ ଏକ୍କା, ଉପସଭାପତି ଥମାସ ଟପ୍ପୋ, ବିଷ୍ଣୁ ଚରଣ ମାହାତୋ, ରାଜେଶ ତିର୍କୀ, କୋଷାଧ୍ୟକ୍ଷ ଆନନ୍ଦ କୁମାର ଟପ୍ପୋ, ସମ୍ପାଦକ ରାଜୁ କିସାନଙ୍କ ସମେତ କାର୍ତ୍ତିକ କିଶୋର ବେହେରା, ମହାବୀର ଦାସ, ଏନ୍.କେ. ରାମ, ରାଜୁ ବଡ଼ାଇକ, ଜନ୍ ଡୁଙ୍ଗଡୁଙ୍ଗ, ରାଇଦାସ ତିର୍କୀ, ଶ୍ରୀହରି, ଭଗବାନ ନାଏକ ଓ ଲକ୍ଷ୍ମୀକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।