ରାଷ୍ଟ୍ରୀୟ ଏକତା ଦିବସରେ ରାଉରକେଲା ରିଜର୍ଭ ପୋଲିସ ପଡ଼ିଆରେ ଆକର୍ଷଣୀୟ ପ୍ୟାରେଡ୍

8

ଡିଆଇଜି ବ୍ରିଜେଶ କୁମାର ରାୟଙ୍କ ଅଭିବାଦନ ଗ୍ରହଣ, ଏକତା ଓ ଅଖଣ୍ଡତା ରକ୍ଷା ପାଇଁ ଆହ୍ୱାନ

ରାଉରକେଲା,(ବସନ୍ତ କୁମାର ଜେନା, ଶାସକ ପ୍ରଶାସକ):ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜୟନ୍ତୀ ଅବସରରେ ସମଗ୍ର ଦେଶରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ରାଉରକେଲା ପୋଲିସ ପ୍ରଶାସନ ପକ୍ଷରୁ ରିଜର୍ଭ ପୋଲିସ ପଡ଼ିଆରେ ଏକ ଆକର୍ଷଣୀୟ ପ୍ୟାରେଡ୍ ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ପଶ୍ଚିମାଞ୍ଚଳ ପୋଲିସ ଉପ-ମହାନିରୀକ୍ଷକ (ଡିଆଇଜି) ବ୍ରିଜେଶ କୁମାର ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ। ନିଜ ବକ୍ତବ୍ୟରେ ସେ କହିଥିଲେ ଯେ, ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜୟନ୍ତୀକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରିବା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ସ୍ୱାଧୀନ ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଭାବେ ସେ ୫୬୦ରୁ ଊର୍ଦ୍ଧ୍ୱ ଗଡ଼ଜାତ ରାଜ୍ୟକୁ ଭାରତୀୟ ସଂଘରେ ମିଶ୍ରଣ କରିବାରେ ଐତିହାସିକ ଭୂମିକା ଗ୍ରହଣ କରିଥିଲେ।

୧୮୭୫ ଅକ୍ଟୋବର ୩୧ରେ ଜନ୍ମଗ୍ରହଣ କରିଥିବା ସର୍ଦ୍ଦାର ପଟେଲଙ୍କ ସ୍ୱାଧୀନତା ସଂଗ୍ରାମ ଓ ଦେଶର ଏକତା ଏବଂ ଅଖଣ୍ଡତା ରକ୍ଷା କ୍ଷେତ୍ରରେ ଅବଦାନ ଚିରସ୍ମରଣୀୟ ହୋଇ ରହିବ। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜାତୀୟ ଏକତା, ସଂହତି, ଶାନ୍ତି ଓ ସ୍ଥିରତା ବଜାୟ ରଖିବାକୁ ଡିଆଇଜି ଶ୍ରୀ ରାୟ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ରାଉରକେଲା ଆରକ୍ଷୀ ଅଧୀକ୍ଷକ ନିତେଶ ୱାଧୱାନୀ, ଅତିରିକ୍ତ ଏସ୍‌ପି ରାଜକିଶୋର ମିଶ୍ରଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହି ଜାତୀୟ ଏକତା, ସଂହତି ଓ ଦେଶର ସୁରକ୍ଷା ବଜାୟ ରଖିବା ନିମନ୍ତେ ଶପଥ ଗ୍ରହଣ କରିଥିଲେ। ପ୍ୟାରେଡ୍ ପରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଓଡ଼ିଶୀ ନୃତ୍ୟ, ଡ୍ରମ୍ ବାଦନ, ଡଗ୍ ସ୍କ୍ୱାଡ୍‌ର କଳାକୌଶଳ ସମେତ ବିଭିନ୍ନ ଆକର୍ଷଣୀୟ ସାଂସ୍କୃତିକ ଓ କୌଶଳ ପ୍ରଦର୍ଶନ କରିଥିଲେ।

ଏହା ପୂର୍ବରୁ ସକାଳେ ଉଦିତନଗରସ୍ଥିତ ରାଉରକେଲା ପୋଲିସ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରା ବାହାରି ରିଜର୍ଭ ପୋଲିସ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିଥିଲା। ଦେଶର ଏକତା ଓ ଅଖଣ୍ଡତାର ବାର୍ତ୍ତା ପ୍ରସାର ସହ ଏହି ଦିବସ ପାଳନ କରାଯାଇଥିଲା।

Leave A Reply

Your email address will not be published.