ଜି.ଉଦୟଗିରି, ୯/୮(ଅବନୀ କୁମାର ପ୍ରଧାନ) କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ ମାଲାଙ୍ଗସୁଗା ଗ୍ରାମରେ ଶନିବାର ରାତି ପ୍ରାୟ ୯ ଟା ସମୟରେ ଦନ୍ତା ହାତୀର ଆତଙ୍କ ଦେଖିବାକୁ ମିଳିଥିଲା। ହଠାତ୍ ଗ୍ରାମ ନିକଟସ୍ଥ ଜଙ୍ଗଲ ଅଞ୍ଚଳରୁ ଏକ ଦନ୍ତା ଗ୍ରାମକୁ ପ୍ରବେଶ କରି ଧାନ ଖେତ ଓ ଚାଷ ଜମି କ୍ଷତି କରୁଥିବା ଦେଖିଥିଲେ ଗ୍ରାମବାସୀ । ହାତୀ ଆକ୍ରମଣରୁ ରକ୍ଷାପାଇବା ପାଇଁ ସ୍ଥାନୀୟ ବନବିଭାଗ କୁ ସୁଚନା ଦେଇଥିଲେ। ଗ୍ରାମବାସୀଙ୍କ ଠାରୁ ଖବର ପାଇ ଏସିଏଫ ଉଦିତ କୁମାର ପ୍ରଧାନ, ରେଞ୍ଜର ମାଣିକେଶ୍ବରୀ ପଟ୍ଟନାୟକ, ଫରେଷ୍ଟର ରଶ୍ମିତା ବକ୍ସି, ଗାର୍ଡ଼ ମନୋଜ ମହାପାତ୍ର, ବିଭୁ,ଜଗନ୍ନାଥ ରାଓ ଙ୍କ ସହ ଅନ୍ୟ କର୍ମଚାରୀ ମାଲାଙ୍ଗସୁଗା ଠାରେ ପହଞ୍ଚି ଗ୍ରାମବାସୀଙ୍କ ସହ ହାତୀ ଘଉଡ଼ାଇବା କୁ ଚେଷ୍ଟା କରିଥିଲେ । ଦନ୍ତାହାତୀଟି ରାତିରେ ଗ୍ରାମ ନିକଟରେ ଥିବା ଚାଷ ଜମିରୁ ଧାନ ତଳି ଫସଲ ଖାଇବା ସହ ଅନେକ ଚାଷ ଜମିକୁ ଦଳି ଦେଇଛି। ହାତୀର ଗତିବିଧି ଦେଖି ଗ୍ରାମବାସୀମାନେ ଭୟଭୀତ ହୋଇ ଗ୍ରାମର ବିଭିନ୍ନ ସ୍ଥାନରେ ନିଆଁ ଜାଳି ବନ କର୍ମଚାରୀ ଙ୍କ ସହ ରାତି ସାରା ଜଗିରହି ହାତୀ ଟିକୁ ଜଙ୍ଗଲ ଭିତରକୁ ଘଉଡ଼ାଇବା ରେ ସହଯୋଗ କରିଥିଲେ।ବନ ବିଭାଗ ପକ୍ଷରୁ ଗ୍ରାମବାସୀ ମାନଙ୍କୁ ସତର୍କ ରହିବାକୁ ଓ ରାତି ସମୟରେ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ସେହିପରି ହାତୀ ଗତିବିଧି ଉପରେ ନିରନ୍ତର ନଜର ରଖାଯାଉଛି ବୋଲି ବନ ଅଧିକାରୀ ମାନେ ସୂଚନା ଦେଇଛନ୍ତି।ମାଲାଙ୍ଗସୁଗା ଅଞ୍ଚଳରେ ବାରମ୍ବାର ହାତୀ ଆତଙ୍କ ଦେଖାଦେଉଥିବାରୁ ସ୍ଥାୟୀ ସମାଧାନ ପାଇଁ ଗ୍ରାମବାସୀମାନେ ବନ ବିଭାଗକୁ ଦାବି କରିଛନ୍ତି।