ଝାରସୁଗୁଡ଼ା: ସମ୍ମିଳିତ ଆଦିବାସୀ ସମାଜ ପକ୍ଷରୁ ଝାରସୁଗୁଡ଼ା ସଂସ୍କୃତି ଭବନରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସକାଳେ କରମସାନୀ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ପରେ ଉଡ଼ାଜାହାଜ ପଡ଼ିଆସ୍ଥିତ ସହିଦ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହାପରେ ସଂସ୍କୃତି ଭବନରେ ମୁଖ୍ୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।
କାର୍ଯ୍ୟକ୍ରମରେ କୁଚିଣ୍ଡା ଓ ଲଇକେରାର ପୂର୍ବତନ ବିଧାୟକ ବୃନ୍ଧାବନ ମାଝି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଡିଏଏର କାର୍ଯ୍ୟକାରୀ ସଭାପତି, ପୂର୍ବତନ ଝାରସୁଗୁଡ଼ା ଓକିଲ ସଂଘ ସଭାପତି ତଥା ପୂର୍ବତନ ପୌରାଧ୍ୟକ୍ଷ ତାପସ ରାୟଚୌଧୁରୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଓକିଲ ସଂଘ ସଭାପତି ସିୟାରାମ ଦାସ, ପରମାନନ୍ଦ ବାଗ ଓ ପୂର୍ବତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚିହୁଡ଼ୁ ଭୋଇ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।

ଏହି ଅବସରରେ ଡା. ଏମ.ଜେ. ଦୋରା, ସମାଜସେବୀ ବିରଞ୍ଚି ମାଝି ଏବଂ ସମାଜସେବୀ ତଥା ମହିଳା ସଂଗଠକ ସଞ୍ଜୁଲତା ନାୟକଙ୍କୁ ‘ଜୀବନ ବ୍ୟାପୀ ସେବା ସମ୍ମାନ’ ପ୍ରଦାନ କରାଯାଇଥିଲା। ସମ୍ମିଳିତ ଆଦିବାସୀ ସମାଜ ପକ୍ଷରୁ ମାନପତ୍ର, ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସେମାନଙ୍କୁ ସମ୍ମାନିତ କରାଯାଇଥିଲା।
ସଭାରେ ବକ୍ତାମାନେ ଆଦିବାସୀ ସମାଜର ଶିକ୍ଷା, ସଂସ୍କୃତି ଓ ଆର୍ଥିକ ବିକାଶ ଉପରେ ଆଲୋକପାତ କରିଥିଲେ। ଆଦିବାସୀ ପରମ୍ପରା, ଭାଷା ଓ ସଂସ୍କୃତିର ସୁରକ୍ଷା ସହ ସମାଜର ସର୍ବାଙ୍ଗୀଣ ବିକାଶ ପାଇଁ ସମସ୍ତେ ଏକଜୁଟ ହେବାକୁ ଆହ୍ୱାନ ଦିଆଯାଇଥିଲା।
କାର୍ଯ୍ୟକ୍ରମରେ ସଭାପତି ରତ୍ନାକର ପ୍ରଧାନ, ସମ୍ପାଦକ ମହେନ୍ଦ୍ର ନାୟକ, କାର୍ଯ୍ୟକାରୀ ସମ୍ପାଦକ ଅଶୋକ ମାଝି, କୋଷାଧ୍ୟକ୍ଷ ବିନୋଦ ବିହାରୀ ବାଗଙ୍କ ସମେତ ମହିଳା ସଂଗଠନର ରଜନୀ ପ୍ରଧାନ, ସେବତୀ ବାଗ, ଜନକ ପ୍ରଧାନ, ଯଶୋଦା ଭୋଇ, ଦୀପକ କିଶାନ, ବାସୁଦେବ ଧୁରୁଆ, ଧମେନ୍ଦ୍ର କିଶାନ, ଅଶୋକ ସାହୁ, ସତ୍ୟନାରାୟଣ ରାଓ, ମୋହନ ପିଙ୍ଗ, ରମେଶ ପ୍ରଧାନ, ସଚିନ ବରୁଆ ଓ ବିରଞ୍ଚି ସାହୁଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।
ଶେଷରେ କାର୍ଯ୍ୟକାରୀ ସମ୍ପାଦକ ଅଶୋକ ମାଝି ଧନ୍ୟବାଦ ଅର୍ପଣ କରିଥିଲେ।