ଘର ବାହୁଡ଼ା

0 3


ନବ ଦିନ ଯାତ୍ରା କରିଲ ସାଆନ୍ତେ
ଗୁଣ୍ଡିଚା ମନ୍ଦିରେ ରହି
ମାଉସୀ ମାଆର ସ୍ନେହ ଶରଧାରେ
ରହିଗଲ ବାନ୍ଧି ହୋଇ ।।

ଦଶମୀରେ ଆଜି ବାହୁଡ଼ିବ ପ୍ରଭୁ
ଆପଣା ଶିରୀ ମନ୍ଦିର
ରୁଷି ବସିଛନ୍ତି ଲକ୍ଷ୍ମୀ ସାଆନ୍ତାଣୀ
ଫେରିବା ବାଟ ତୁମର
ଭାରିଯାକୁ ଛାଡ଼ି ଭାଇ ଭଉଣୀଙ୍କୁ
ସଙ୍ଗତରେ ଥିଲ ନେଇ
ପ୍ରାଣ ପ୍ରିୟା ଦୁଃଖ ଆହେ କଳା ମୁଖ
କେମିତି ପାରୁଛ ସହି ??

ଜୀବ ବ୍ରହ୍ମ ଭେଟ ‌ହେବା ପାଇଁ ପ୍ରଭୁ
କରିଥିଲ ରଥ ଯାତ
ତୁମରି ମହିମା ନାହିଁ ତାର ସୀମା
ଜାଣଇ ବିଶ୍ୱ ଜଗତ
ତୁମେ ନିରାକାର ତୁମେ ହିଁ ସାକାର
ଅଛ ସର୍ବ ବ୍ୟାପ୍ତ ହୋଇ
ରଥ ପଥ ରଥୀ ତୁମେ ହିଁ ସାରଥି
ଆହେ ପ୍ରଭୁ ଭାବଗ୍ରାହୀ ।।

ଏକାଦଶୀ ଦିନ ରଥ ପରେ ପ୍ରଭୁ
ହୋଇବ ଯେ ସୁନାବେଶ
ଦ୍ଵାଦଶୀରେ ତୁମ ଅଧରପଣାରେ
କରିବ ସଭିଙ୍କୁ ତୋଷ
ଲକ୍ଷ୍ମୀ ଦେବୀ ବାଟ ଓଗାଳିଲେ ତୁମେ
ରସଗୋଲା ଦେବ ଖୋଇ
ମଣିଷ ବୁଝିବ ପତି ପତ୍ନୀ ଠାରୁ
ମଧୁର ସମ୍ପର୍କ ନାହିଁ ।।


🔹🔹🔹🔹🔹🔹🔹


ଶ୍ରୀ ଶଶିଭୂଷଣ ପଟ୍ଟନାୟକ
ଅବସରପ୍ରାପ୍ତ ଶିକ୍ଷକ
ପାରଳାଖେମୁଣ୍ଡି
ଗଜପତି

Leave A Reply

Your email address will not be published.