(ସେବା ସପ୍ତାହ ଉପଲକ୍ଷେ)
🔹🔹🔹🔹🔹🔹🔹
ସେବାର ଯଜ୍ଞେ ସମୀଧ ଆମେରେ
ନିଜକୁ ଆହୂତି ଦେଇ
ଜଗତ କଲ୍ୟାଣେ ସମର୍ପିତ ହୋଇ
ଆସିଛୁ ଜଳିବା ପାଇଁ ।।
ଏହି ଜ୍ଜ୍ବଳନରେ ରହିଛି ଆନନ୍ଦ
ଲାଗେନା ଯନ୍ତ୍ରଣା କିଛି
ସେବା ମଣିଷର ପରମ ଧର୍ମ
ନେଇଅଛୁ ଆମେ ବାଛି ।।
ପର ଉପକାର ଅଟଇ ଧରମ
ନାହିଁ ଧର୍ମ ଆନ କିଛି
ଧର୍ମ ନାମେ ଯେଉଁ ଲାଗିଛି ଲଢ଼େଇ
ସେବା ବଳେ ଦେବା ପୋଛି ।।
ସଦାଚାର ଆମ ଜୀବନ ଆଧାର
ସେହିତ ଅଟଇ ଧର୍ମ
ଷଡ଼ ରିପୁମାନ ପତନ କାରଣ
ଅଟଇ ସେତ ଅଧର୍ମ ।।
ସାରା ଜଗତର ଏକଇ ଧର୍ମ
ସେତ ମଣିଷପଣିଆ
ଅମଣିଷପଣ ଅଟେ ଧର୍ମହୀନ
ଧ୍ୱଂସ କରେ ଏ ଦୁନିଆଁ ।।
ଦୁଃଖୀର ମୁହଁରେ ଫୁଟାଇବା ହସ
ଦରିଦ୍ରର ହେବା ସାହା
ଅନାଥର ଆମେ ହୋଇବା ବନ୍ଧୁ
ଦଳିତେ କରିବା ଦୟା ।।
ଫମ୍ପା ମାଠିଆର ଶବଦ ଅଧିକ
ଅଜ୍ଞ ଜନ ସେହିପରି
ସବୁ କଥାର ସେ ବିରୋଧ କରନ୍ତି
ନଜାଣି କରନ୍ତି ହୁରି ।।
ଜ୍ଞାନର ଦୀପାଳି ଜଳାଇବା ଆମେ
ଅଜ୍ଞାନ କରିବା ଦୂର
ସତସଙ୍ଗ କରି ସୁପଥେ ଚାଲିବା
ହୋଇବାରେ କର୍ମବୀର ।।
ମାନିବାନି ଆମେ ମଣିଷ ଗଢ଼ା ଏ
ଜାତି ଧର୍ମର ଭେଦ
ଈଶ୍ଵର ଗଢ଼ା ଏ ସାରା ସଂସାର
ନରଖିବା ମନେ ଖେଦ ।।
ସେବା ହିଁ ଧର୍ମ ସେବା ହିଁ କର୍ମ
ସେବା ହିଁ ପରମ ତପ
ସେବା ପଥେ ଆମେ ପଥିକ ହେବାକୁ
ଆସରେ ନେବା ଶପଥ ।।
🔹🔹🔹🔹🔹🔹🔹🔹🔹
ଶ୍ରୀ ଶଶିଭୂଷଣ ପଟ୍ଟନାୟକ
ଅବସରପ୍ରାପ୍ତ ଶିକ୍ଷକ
ପାରଳାଖେମୁଣ୍ଡି
ଗଜପତି