ହାତରୁ ଝିଅ ବାହାଘରର ମେହେନ୍ଦୀ ଲିଭିବା ପୂର୍ବରୁ ଲିଭିଗଲା ଜୀବନ ଦୀପ

0
  • ବିଦ୍ୟୁତ ଆଘାତରେ ମହିଳାଙ୍କ ମୃତ୍ୟୁ

  • ବିଦ୍ୟୁତ ବିଭାଗ ବିରୋଧରେ ବଢ଼ିବାରେ ଲାଗିଛି ଜନଅସନ୍ତୋଷ

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଅଂଚଳରେ ଗତ କିଛି ଦିନ ମଧ୍ୟରେ ବିଦ୍ୟୁତ ଆଘାତ ରେ ଦୁଇଗୋଟି ବହୁମୂଲ୍ୟ ଜୀବନ ଚାଲିଯାଇଛି । ଗତ କିଛି ସପ୍ତାହ ତଳେ ମିଠାପଲି ପଞ୍ଚାୟତ ର ଲାଉଡମାଲ ଗ୍ରାମର ଜଣେ ଯୁବକ ଛେଳି ଖାଇବା ପାଇଁ ଡାଳ କାଟିବା ପାଇଁ ଯାଇଥିବା ବେଳେ ଗଛରେ ପ୍ରବାହିତ ହେଉଥିବା ବିଦ୍ୟୁତ କରେଣ୍ଟ ଲାଗି ମୃତ୍ୟୁ ବରଣ କରିଥିବା ବେଳେ ଆଜି ସକାଳେ ପାଇକମାଲ ବ୍ଲକ ମିଠାପଲି ପଞ୍ଚାୟତର ଡୁଙ୍ଗୁରିପାଲି ଗ୍ରାମର ସଂଜୁ ଅଗ୍ରୱାଲ ନାମକ ଜଣେ ମହିଳା 33 କେ ଭି ବିଦ୍ୟୁତ କରେଣ୍ଟ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିଲେ ।
ପ୍ରାପ୍ତ ସୂଚନା ଅନୁସାରେ ଗତ ଦୁଇଦିନ ପୂର୍ବେ ସୁନୀଲ ଅଗ୍ରୱାଲ ଓ ସଂଜୁ ଙ୍କର ଝିଅ ବାହାଘର ଥିଲା । ଗତକାଲି ଝିଅକୁ ଶାଶୁ ଘର ବିଦା କରି ସଂଜୁ ଘରେ ପହଂଚି ଥିଲେ । ଆଜି ସକାଳୁ ନିତ୍ୟକର୍ମ ସାରି ସଂଜୁ ନିଜ ଏକତାଲା ଘର ଛାତ ଉପରକୁ କପଡା ସୁଖେଇବା ପାଇଁ ଯାଇଥିବା ସମୟରେ ଛାତ ଉପର ଦେଇ ଯାଇଥିବା 33 କେ ଭି ମୁକୁଳା ବିଦ୍ୟୁତ ସଂସ୍ପର୍ଶରେ ଆସି ଅକାଳରେ ମୃତ୍ୟୁ ବରଣ କରିଥିଲେ । ସୂଚନା ମୁତାବକ କରେଣ୍ଟ ଲାଗିବା ପରେ ସଂଜୁ ଙ୍କୁ ପରିବାର ଲୋକେ ତୁରନ୍ତ ପାଇକମାଲ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସଂଜୁ ଙ୍କର ମୃତ୍ୟୁ ଖବର ପାଇ ଡାକ୍ତରଖାନାରେ ଭିଡ଼ ଜମିବାରେ ଲାଗିଥିଲା । ଏହିଭଳି ଘଟଣା ବାରମ୍ବାର ହେଉଥିବା ସତ୍ତ୍ୱେ ଏମିତି ଆନେକ ଘର ଅଛି ଯାହାର ଉପର ଦେଇ 33 କେଭି କିମ୍ବା 11 କେଭିର ବିଦ୍ୟୁତ ତାର ଯାଇଛି । ଲୋକଙ୍କର ଜୀବନ ସୁରକ୍ଷା ପାଇଁ ବିଭାଗ ତରଫରୁ ଅତିକମରେ ଘର ଉପର ଦେଇ ଯାଇଥିବା ତାର ଗୁଡିକୁ ପାଇପ ଦେଇ ଘୋଡାଇ ଦିଆ ଯାଇଥିଲେ ବୋଧ ହୁଏ ଗତ କାଲି ଖୁସିରେ ନିଜ ଝିଅକୁ ବିଦା କରି ଫେରିଥିବା ଏକ ମାଁର ବହୁମୂଲ୍ୟ ଜୀବନ ଅକାଳରେ ଲିଭି ଯାଇ ନଥାନ୍ତା । ଏପଟେ ପାଇକମାଲ ଥାନାରେ ଅପମୃତ୍ୟ ମାମଲା ନମ୍ବର 12/2022 ରୁଜୁ କରି ପୋଲିସ ମୃତକ ଙ୍କର ଶବ ଜବତ କରି ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠେଇ ଦେଇଛି ।

Leave A Reply

Your email address will not be published.