୪ ଆନ୍ତରାଜ୍ୟ ଟ୍ରକ୍ ଲୁଟେରା ଗିରଫ୍

0

ବଡ଼ବିଲ (ଶାସକ ପ୍ରଶାସକ):ବଡ଼ବିଲ ପୋଲିସକୁ ବଡ଼ ସଫଳତା ମିଳିଛି। ୪ ଆନ୍ତରାଜ୍ୟ ଟ୍ରକ୍ ଲୁଟେରାଙ୍କୁ ଗିରଫ୍ କରିବା ସହ ଲୁଟ୍ ହୋଇଥିବା ୧୨ ଚକିଆ ହାଇଭା ଟ୍ରକକୁ ଝାଡଖଣ୍ଡରୁ ଉଦ୍ଧାର କରିଛି ପୋଲିସ୍। ଗିରଫ୍ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ବନ୍ଧୁକ, ଖଣ୍ଡା ଓ ଭୁଜାଲୀ ଜବତ୍ ହୋଇଥିବାର ବଡ଼ବିଲ ଥାନାଧିକାରୀ ସୁଶାନ୍ତ କୁମାର ଦାଶ ସୂଚନା ଦେଇଛନ୍ତି। ପ୍ରକାଶ ଥାଉକି ଗତ ୨୮ ତାରିଖରେ ଓଡ଼ି ୦୯ ଜି ୯୩୦୩ ନମ୍ବର ବିଶିଷ୍ଟ ହାଇଭା ଟ୍ରକ ଭଦ୍ରାସାହି ଟଣ୍ଟୋ ପାର୍କିଂ ନିକଟରେ ଛିଡ଼ା କରିଥିଲା। ଗାଡ଼ିରେ ହେଲ୍ପର ଶୋଇଥିଲେ। ରାତି ପ୍ରାୟ ୧ଟା ସମୟରେ ଦୃବୃର୍ତ୍ତ ମାନେ ବନ୍ଧୁକ ମୁନରେ ହେଲ୍ପରକୁ ବାନ୍ଧି ହାଇଭାକୁ ଲୁଟ୍ କରି ଝାଡ଼ଖଣ୍ଡକୁ ନେଇଯାଇଥିଲେ। ତେବେ ଝାଡ଼ଖଣ୍ଡର ହାଟଗହ୍ମାରିଆ ନିକଟରେ ହେଲ୍ପରକୁ ରାସ୍ତାକଡ଼ରେ ଫୋପାଡ଼ି ହାଇଭା ନେଇ ଫେରାର ହୋଇଯାଇଥିଲେ ଦୃବୃର୍ତ୍ତ। ହାଇଭା ମାଲିକ ବଡ଼ବିଲର ବିଶ୍ଵଜିତ ଚନ୍ଦ୍ରାଙ୍କ ଏତଲାକୁ ଭିତ୍ତି କରି ଅନୁସଂଦ୍ଧାନ କରିବା ପରେ ବଡ଼ବିଲ ପୋଲିସ୍, ଝାଡଖଣ୍ଡର ହଜାରୀବାଗ ପୋଲିସ୍ ସହାୟତାରେ ସେଠାରୁ ଟ୍ରକ୍ ଉଦ୍ଧାର କରିଥିଲା। ଅଭିଯୁକ୍ତଙ୍କ ମଧ୍ୟରୁ ୨ଜଣଙ୍କୁ ଟଣ୍ଟୋରୁ ଗିରଫ୍ କରାଯାଇଥିବା ବେଳେ ଅନ୍ୟ ୨ ଜଣଙ୍କୁ ରାମଗଡ଼ରୁ ଧରିଥିବା ପୋଲିସ୍ କହିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ରାମଗଡ଼ ଅଞ୍ଚଳର ଇଜାଜ ଅନସାରୀ,ମିରାଜ ଆନସାରୀ, ମୁଜାମିଲ ଆନସାରୀ ଓ ଵୋକାରୋ ଅଞ୍ଚଳର ସାଜନ ଆନସାରୀ।
ଅଭିଯୁକ୍ତମାନେ ଯୋଡ଼ା ଅଂଚଳରେ ରହି ବିଭିନ୍ନ ଗାଡ଼ିରେ ଡ୍ରାଇଭିଂ କାମ କରୁଥିଲେ ଏବଂ ଟ୍ରକ୍ ଲୁଟ କରୁଥିବାର ଜଣାପଡିଛି। ଟ୍ରକ୍ ଲୁଟିବା ପରେ ତାକୁ ଝାଡଖଣ୍ଡକୁ ନେଇ କାଟି ଖଣ୍ଡ ଖଣ୍ଡ କରି ଵିକ୍ରି କରିଥାଆନ୍ତି ବୋଲି ପୋଲିସ୍ ସୂଚନା ଦେଇଛି। ଏମାନେ ଅନ୍ୟ ଟ୍ରକ୍ ଲୁଟ୍ ଘଟଣାରେ ମଧ୍ୟ ସମ୍ପୃକ୍ତ ଥିବା ପୋଲିସ୍ ଜାଣିବାକୁ ପାଇଛି।

Leave A Reply

Your email address will not be published.