କେନ୍ଦୁଝରରେ “ୟୁନିଫାଏଡ୍ ପେନ୍ସନ୍ ମ୍ୟାନେଜମେଣ୍ଟ ପୋର୍ଟାଲ୍”ର ଶୁଭାରମ୍ଭ, ମଧୁବାବୁ ପେନ୍ସନ୍ ଯୋଜନାରେ ଭତ୍ତା ବଣ୍ଟନ।
କେନ୍ଦୁଝର, ୧୨/୧୧: ସାମାଜିକ ସୁରକ୍ଷା ଯୋଜନାକୁ ଅଧିକ ସରଳ, ସ୍ୱଚ୍ଛ ଓ ଲୋକାଭିମୁଖୀ କରିବା ସହ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସରକାରୀ ସହାୟତା ସମୟୋଚିତ ଭାବେ ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ୟ ସରକାର ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ସାମାଜିକ ସୁରକ୍ଷା ଭତ୍ତା ପାଇଁ ଯୋଗ୍ୟ ବ୍ୟକ୍ତିଙ୍କୁ ଆଉ ଦୀର୍ଘଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଆବେଦନର ପରବର୍ତ୍ତୀ ମାସରୁ ହିତାଧିକାରୀ ଭତ୍ତା ପାଇପାରିବେ।
ଏହି ଉଦ୍ଦେଶ୍ୟରେ କେନ୍ଦୁଝର ଅଡିଟୋରିୟମ୍ଠାରେ ୟୁନିଫାଏଡ୍ ପେନ୍ସନ୍ ମ୍ୟାନେଜମେଣ୍ଟ ପୋର୍ଟାଲ୍ ର ଶୁଭାରମ୍ଭ ଏବଂ ମଧୁବାବୁ ପେନ୍ସନ୍ ଯୋଜନା ଅଧୀନରେ ସାଚୁରେସନ୍ ମୋଡ୍ରେ ନୂତନ ହିତାଧିକାରୀଙ୍କୁ ଭତ୍ତା ମଞ୍ଜୁରୀ ଓ ବଣ୍ଟନ ନିମନ୍ତେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ଜଙ୍ଗଲ, ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ବିଭାଗ ମନ୍ତ୍ରୀ ଶ୍ରୀ ଗଣେଶରାମ ସିଂଖୁଣ୍ଟିଆ କହିଥିଲେ ଯେ, ରାଜ୍ୟ ସରକାର ପେନ୍ସନ୍ ବ୍ୟବସ୍ଥାକୁ ସରଳୀକରଣ କରିଛନ୍ତି। ଏହାଦ୍ୱାରା ଯୋଗ୍ୟ ହିତାଧିକାରୀମାନେ ପ୍ରତି ମାସରେ ନିୟମିତ ଭାବେ ଭତ୍ତା ପାଇପାରିବେ। ପଞ୍ଚାୟତ ଓ ବ୍ଲକ୍ସ୍ତରରେ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ଏହି ସୁବିଧା ପହଞ୍ଚାଇବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। କେନ୍ଦୁଝର ଜିଲ୍ଲାରେ ବର୍ତ୍ତମାନ ମୋଟ ୧,୭୧,୬୭୧ ଜଣ ହିତାଧିକାରୀ ଭତ୍ତା ପାଇବାକୁ ଯୋଗ୍ୟ ହୋଇଛନ୍ତି। କୌଣସି ଯୋଗ୍ୟ ବୃଦ୍ଧବୃଦ୍ଧା ଯେପରି ଭତ୍ତା ପାଇବାରୁ ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ପ୍ରଶାସନ ଯତ୍ନବାନ ହେବା ଆବଶ୍ୟକ ବୋଲି ସେ ମତପ୍ରକାଶ କରିଥିଲେ।
ନୂତନ ବ୍ୟବସ୍ଥା ଅନୁଯାୟୀ, ସାମାଜିକ ସୁରକ୍ଷା ଭତ୍ତା ପାଇବାକୁ ଯୋଗ୍ୟ ବ୍ୟକ୍ତିମାନେ ଆବେଦନର ପରବର୍ତ୍ତୀ ମାସରୁ ଭତ୍ତା ପାଇବାର ସୁଯୋଗ ପାଇବେ। ଏଥିପାଇଁ ହିତାଧିକାରୀମାନେ ନିଜ ଅଞ୍ଚଳର ବ୍ଲକ୍ ବିକାଶ ଅଧିକାରୀଙ୍କ କାର୍ଯ୍ୟାଳୟରେ କିମ୍ବା ରାଜ୍ୟ ସରକାରଙ୍କ ଅନଲାଇନ୍ ପୋର୍ଟାଲ୍ https://upmp.odisha.gov.in ମାଧ୍ୟମରେ ଆବେଦନ କରିପାରିବେ।
ସେହିପରି, ଭତ୍ତା ପାଉଥିବା ହିତାଧିକାରୀଙ୍କ ବୟସ ୮୦ ବର୍ଷ ପୂରଣ ହେଲେ ସେମାନଙ୍କୁ ସ୍ୱତଃ ବର୍ଦ୍ଧିତ ଭତ୍ତା ପ୍ରଦାନ କରାଯିବ। ଏଥିପାଇଁ ପୁନର୍ବାର ଆବେଦନ କରିବାର ଆବଶ୍ୟକତା ରହିବ ନାହିଁ। ଏହାଦ୍ୱାରା ବରିଷ୍ଠ ନାଗରିକମାନେ ଅଧିକ ସହଜରେ ସରକାରୀ ସହାୟତା ପାଇପାରିବେ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ସାମାଜିକ ସୁରକ୍ଷା ଭତ୍ତା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏକ ସଚେତନତା ରଥର ଶୁଭାରମ୍ଭ କରିଥିଲେ। ଏହି ରଥ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପରିଭ୍ରମଣ କରି ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନା ସମ୍ପର୍କରେ ସୂଚନା ଦେବା ସହ ଆବେଦନ ପ୍ରକ୍ରିୟା ଓ ଉପଲବ୍ଧ ସୁବିଧା ସମ୍ପର୍କରେ ସଚେତନ କରିବ।
କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ତେଲକୋଇ ବିଧାୟକ ଡା. ଫକୀର ମୋହନ ନାଏକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମିତା ନାଏକ, କେନ୍ଦୁଝରଗଡ଼ ପୌରପାଳିକାର ଅଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଭୁବନେଶ୍ୱରୀ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।
ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଜିଲ୍ଲାର ଯୋଗ୍ୟ ହିତାଧିକାରୀମାନେ ସାମାଜିକ ସୁରକ୍ଷା ଯୋଜନାର ସୁଫଳ ସହଜ, ସ୍ୱଚ୍ଛ ଓ ସମୟୋଚିତ ଭାବେ ପାଇପାରିବେ।