ଜମି ବିବାଦରୁ ହତ୍ୟାକାଣ୍ଡ, ପଥର ମାଡ଼ରେ ଚାଷୀ ମୃତ

19

ଅଭିଯୁକ୍ତ ଗିରଫ, ହତ୍ୟାରେ ବ୍ୟବହୃତ ୧.୫୮୨ କେଜି ଓଜନର ପଥର ଜବତ

ପଦ୍ମପୁର: ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା ଅନ୍ତର୍ଗତ ଡଭା ଗ୍ରାମରେ ଜମିଜମା ବିବାଦକୁ କେନ୍ଦ୍ର କରି ଜଣେ ଚାଷୀଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ଲକ୍ଷ୍ମଣ ଓରଫ ଲଛମନ ସିଦାର (୬୨)ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ତାଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ହୋଇଥିବା ଏକ ଧଳା ରଙ୍ଗର ପଥର ଜବତ କରାଯାଇଛି। ଏହାର ଓଜନ ପ୍ରାୟ ୧ କେଜି ୫୮୨ ଗ୍ରାମ ବୋଲି ଜଣାପଡ଼ିଛି।

ପୁଲିସ ସୂଚନା ଅନୁଯାୟୀ, ମୃତକ ରାମଲାଲ କାଲେଟ (୫୦) ଡଭା ଗ୍ରାମର ବାସିନ୍ଦା। ତାଙ୍କ ବାପାଙ୍କ ନାମରେ ଚାଷ ପାଇଁ ସରକାରଙ୍କ ପକ୍ଷରୁ ଦୁଇ ଏକର ଜମି ମିଳିଥିଲା। ସେହିପରି ଅଭିଯୁକ୍ତ ଲକ୍ଷ୍ମଣଙ୍କୁ ମଧ୍ୟ ଚାଷ ପାଇଁ ଦୁଇ ଏକର ଜମି ମିଳିଥିଲା। ଉଭୟଙ୍କ ଜମି ପାଖାପାଖି ଥିବାବେଳେ ସୀମାରେ ଥିବା କିଛି ଗଛକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ରହିଥିଲା। କିଛିଦିନ ପୂର୍ବେ ରାମଲାଲ ଓ ତାଙ୍କ ପତ୍ନୀ କାନ୍ତି କଲେତ ଧାନ କାଟୁଥିବା ସମୟରେ ଅଭିଯୁକ୍ତ ଉକ୍ତ ଗଛଗୁଡ଼ିକୁ କାଟି ଦେଇଥିଲେ। ଏହାକୁ ରାମଲାଲ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବା ସହ ଅଭିଯୁକ୍ତ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଥିଲା।

ଗତ ୫ ତାରିଖ ଦିନ ପ୍ରାୟ ୧୨ଟା ସମୟରେ ରାମଲାଲ ସାଇକେଲରେ ନିଜ ଧାନ କ୍ଷେତକୁ ଧାନ ଆଣିବାକୁ ଯାଇଥିଲେ। ସେଠାରେ ସେ ଏକାକୀ ଧାନ ବାନ୍ଧୁଥିବା ସମୟରେ ଅଭିଯୁକ୍ତ ପଛରୁ ଯାଇ ଏକ ପଥରରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଫଳରେ ରାମଲାଲଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ସେ ଜୀବନ ବଞ୍ଚାଇବାକୁ ଉଦ୍ୟମ କରି ଦୌଡ଼ିବା ସମୟରେ ତଳେ ପଡ଼ିଯାଇଥିଲେ। ଏହାପରେ ଅଭିଯୁକ୍ତ ପୁଣି ଥରେ ସେହି ପଥରରେ ତାଙ୍କ ମୁଣ୍ଡକୁ ଆଘାତ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ରାମଲାଲଙ୍କ ମୃତ୍ୟୁ ହୋଇଥିଲା।

ହତ୍ୟା ପରେ ଅଭିଯୁକ୍ତ ପଥରଟିକୁ ନିକଟସ୍ଥ ବୁଦା ମଧ୍ୟରେ ଲୁଚାଇ ରଖିବା ସହ ବର୍ଷାଜଳ ଜମିଥିବା ଏକ ଅସ୍ଥାୟୀ ଜଳାଶୟରେ ନିଜ ଶରୀର ସଫା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି।

ଏନେଇ ମୃତକଙ୍କ ପତ୍ନୀ କାନ୍ତି କଲେତ ଙ୍କ ଅଭିଯୋଗକ୍ରମେ ଝାରବନ୍ଧ ଥାନାରେ କେସ୍ ନଂ ୧୬୯, ତା. ୦୬.୧୧.୨୦୨୬ରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୩(୧)/୩୫୧(୨) ଅନୁଯାୟୀ ମାମଲା ରୁଜୁ ହୋଇଛି। ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.