ବଲାଙ୍ଗିର, ୧୨/୧୧: ଯୁବପ୍ରତିଭାର ବିକାଶ ଏବଂ ନେତୃତ୍ୱ ଦକ୍ଷତାର ବିକାଶ ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ‘ଯୁବୋତ୍ସବ’ ଗୁରୁବାର ବଲାଙ୍ଗିର ସଂସ୍କୃତି ଭବନ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ ଅନ୍ତର୍ଗତ ଆୟୋଜିତ ଏହି ମହୋତ୍ସବର ମୂଳ ଲକ୍ଷ୍ୟ ଥିଲା ଯୁବପିଢ଼ିଙ୍କ ଅନ୍ତର୍ନିହିତ ପ୍ରତିଭାକୁ ଚିହ୍ନଟ କରିବା ସହ ସେମାନଙ୍କୁ ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାରେ ସକ୍ରିୟ ଭାଗୀଦାର କରିବା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବଲାଙ୍ଗୀର ଉପ-ଜିଲ୍ଲାପାଳ ଆଲୋକ କୁମାର ପଟେଲ ଯୁବଶକ୍ତିକୁ ଦେଶର ପ୍ରଗତିର ମୁଖ୍ୟ ଆଧାର ବୋଲି କହିଥିଲେ। ଯୁବବର୍ଗ କେବଳ ଦେଶର ଭବିଷ୍ୟତ ନୁହନ୍ତି, ବରଂ ବର୍ତ୍ତମାନ ସମୟରେ ମଧ୍ୟ ସାମାଜିକ ପରିବର୍ତ୍ତନ ଓ ଅର୍ଥନୈତିକ ବିକାଶର ପ୍ରମୁଖ ବାହକ ବୋଲି ସେ ମତବ୍ୟକ୍ତ କରିଥିଲେ। ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ’ ଭଳି ପଦକ୍ଷେପ ତୃଣମୂଳ ସ୍ତରର ଯୁବପ୍ରତିଭାଙ୍କୁ ଜାତୀୟ ସ୍ତରରେ ନିଜର ଦକ୍ଷତା ପ୍ରଦର୍ଶନ, ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଆପଣାଇବା ଏବଂ ରାଷ୍ଟ୍ର ନିର୍ମାଣରେ ଅଂଶୀଦାର ହେବାର ସୁଯୋଗ ପ୍ରଦାନ କରୁଛି ବୋଲି ସେ କହିଥିଲେ।
ଏହି ଅବସରରେ ଡେପୁଟି କଲେକ୍ଟର ହରି ଓମ୍ ଶମ୍ଭୁ ନାରାୟଣ ଦାଶ, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀ ରଞ୍ଜନ ମିଶ୍ର, କ୍ରୀଡ଼ା ଛାତ୍ରାବାସ ଅଧୀକ୍ଷକ ପରାଶର ବାଗ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର କୁମାର ମାଝୀ ଉପସ୍ଥିତ ଥିଲେ । ବରିଷ୍ଠ କଳାକାର ଗୋପାଳ ପ୍ରଧାନ, ଧନେଶ୍ୱର ତାଣ୍ଡି, ମନୋରଞ୍ଜନ ପଟେଲ, ନବୀନ କୁଅଁର ଓ ପଙ୍କଜ ଜାଲ ବିଚାରକ ଭାବେ ଯୋଗଦେଇଥିଲେ।
ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ସହରାଞ୍ଚଳରୁ ବହୁସଂଖ୍ୟକ ଯୁବକଯୁବତୀ ଏଥିରେ ଅଂଶଗ୍ରହଣ କରି ନିଜର ବୌଦ୍ଧିକ, ସାଂସ୍କୃତିକ ଓ ସୃଜନଶୀଳ ପ୍ରତିଭା ପ୍ରଦର୍ଶନ କରିଥିଲେ। ଏଥିସହ ବିକଶିତ ଭାରତ ଗଠନ ଦିଗରେ ନିଜର ଚିନ୍ତାଧାରା ଓ ମତାମତ ଉପସ୍ଥାପନ କରିଥିଲେ। ଏହି ମଞ୍ଚ ଯୁବପିଢ଼ିଙ୍କ ମଧ୍ୟରେ ନେତୃତ୍ୱ, ନବସୃଜନ ଓ ସାମାଜିକ ଦାୟିତ୍ୱବୋଧର ଭାବନାକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହୋଇଥିଲା।
କାର୍ଯ୍ୟକ୍ରମ ଶେଷରେ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରାଯିବା ସହ ଭବିଷ୍ୟତରେ ସମାଜର ବିଭିନ୍ନ କ୍ଷେତ୍ରରେ ନେତୃତ୍ୱ ନେଇ ଜିଲ୍ଲା ତଥା ରାଜ୍ୟର ଗୌରବ ବୃଦ୍ଧି କରିବାକୁ ମାର୍ଗଦର୍ଶନ ଦିଆଯାଇଥିଲା। କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ସନ୍ଦୀପ କୁମାର କଅଁର । କ୍ରୀଡ଼ା ଓ ଯୁବସେବା ବିଭାଗର ଅଧିକାରୀ, ସ୍ଥାନୀୟ ବୁଦ୍ଧିଜୀବୀ ଓ ବହୁସଂଖ୍ୟକ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଯୁବୋତ୍ସବ ସଫଳତାର ସହ ସମ୍ପନ୍ନ ହୋଇଥିଲା ।