ଶିଶୁ ଶ୍ରମମୁକ୍ତ କେନ୍ଦୁଝର ଗଠନ ପାଇଁ ଆହ୍ୱାନ

8

ଶିଶୁଙ୍କୁ ଶ୍ରମ ନୁହେଁ, ଶିକ୍ଷା ଓ ସୁରକ୍ଷିତ ଶୈଶବ ପ୍ରଦାନ ଉପରେ ଗୁରୁତ୍ୱ

କେନ୍ଦୁଝର, ୧୨/୧୧: ଶିଶୁ ଶ୍ରମ ପ୍ରଥାର ନିରାକରଣ, ଶିଶୁଙ୍କ ଅଧିକାରର ସୁରକ୍ଷା ଏବଂ ଶ୍ରମିକମାନଙ୍କ କଲ୍ୟାଣ ଓ ଅଧିକାର ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଗତକାଲି (ବୁଧବାର) କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଦରବାର ହଲ୍‌ଠାରେ ଜିଲ୍ଲାସ୍ତରୀୟ ଶିଶୁ ଶ୍ରମ ନିରାକରଣ ଟାସ୍କ ଫୋର୍ସ ଏବଂ ଜିଲ୍ଲାସ୍ତରୀୟ ଶ୍ରମ ନିରୀକ୍ଷଣ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ଶିଶୁ ଶ୍ରମିକ ପ୍ରଥାର ନିରାକରଣ, ଶିଶୁ ଶ୍ରମିକଙ୍କ ଚିହ୍ନଟ ଓ ଉଦ୍ଧାର, ଉଦ୍ଧାର ହୋଇଥିବା ଶିଶୁଙ୍କ ପୁନର୍ବାସ ଏବଂ ସେମାନଙ୍କୁ ଶିକ୍ଷାର ମୁଖ୍ୟସ୍ରୋତକୁ ଫେରାଇ ଆଣିବା ଉପରେ ଆଲୋଚନା ହୋଇଥିଲା। ଶିଶୁ ଶ୍ରମ ନିରାକରଣ ଆଇନ ଅନୁଯାୟୀ, ୧୪ ବର୍ଷରୁ କମ୍ ବୟସର ଶିଶୁଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ କରିବା ନିଷିଦ୍ଧ। ସେହିପରି ୧୪ରୁ ୧୮ ବର୍ଷ ବୟସର କିଶୋର କିଶୋରୀଙ୍କୁ ବିପଜ୍ଜନକ କାର୍ଯ୍ୟରେ ନିୟୋଜିତ କରିବା ମଧ୍ୟ ଆଇନତଃ ନିଷିଦ୍ଧ। ଏହି ଆଇନର ଉଲ୍ଲଂଘନ କ୍ଷେତ୍ରରେ ନିଯୋଜକଙ୍କ ବିରୋଧରେ ଜରିମାନା ଓ କାରାଦଣ୍ଡର ବ୍ୟବସ୍ଥା ରହିଛି।

ଏଥିସହ ଶିଶୁ ଶ୍ରମିକଙ୍କ ଚିହ୍ନଟ ଓ ଉଦ୍ଧାର ପାଇଁ ନିୟମିତ ଯାଞ୍ଚ ଅଭିଯାନ, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଏବଂ ଜନସାଧାରଣଙ୍କ ସହଯୋଗ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଶିଶୁ ଶ୍ରମମୁକ୍ତ ଗ୍ରାମ ପଞ୍ଚାୟତ ଗଠନ, ପ୍ରତ୍ୟେକ ଶିଶୁଙ୍କୁ ବିଦ୍ୟାଳୟମୁଖୀ କରିବା ଏବଂ ଶିକ୍ଷାରୁ ବଞ୍ଚିତ ଶିଶୁଙ୍କୁ ପୁନର୍ବାର ବିଦ୍ୟାଳୟକୁ ଫେରାଇ ଆଣିବା ଦିଗରେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦିଆଯାଇଥିଲା।

ଶ୍ରମିକମାନଙ୍କ ଅଧିକାରର ସୁରକ୍ଷା, ଶ୍ରମ ଆଇନର ଉପଯୁକ୍ତ କାର୍ଯ୍ୟକାରିତା ଏବଂ ଶ୍ରମିକଙ୍କ ପାଇଁ ସୁରକ୍ଷିତ ଓ ମର୍ଯ୍ୟାଦାଜନକ କାର୍ଯ୍ୟ ପରିବେଶ ସୃଷ୍ଟି ଉପରେ ମଧ୍ୟ ଆଲୋଚନା ହୋଇଥିଲା।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକଙ୍କ ସମେତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ଶ୍ରମ ଅଧିକାରୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ବ୍ଲକ ଓ ପଞ୍ଚାୟତସ୍ତରୀୟ କର୍ମକର୍ତ୍ତା ତଥା ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧିମାନେ ଯୋଗଦେଇଥିଲେ।

ଶିଶୁମାନେ ଦେଶର ଭବିଷ୍ୟତ। ସେମାନଙ୍କ ହାତରେ କଲମ ଓ ବହି ରହୁ, ଶ୍ରମର ବୋଝ ନୁହେଁ। ଏକ ଶିଶୁ ଶ୍ରମମୁକ୍ତ ତଥା ଶିକ୍ଷିତ ଓ ସୁରକ୍ଷିତ ସମାଜ ଗଠନ ପାଇଁ ପ୍ରଶାସନ ସହିତ ସମାଜର ପ୍ରତ୍ୟେକ ବର୍ଗର ସକ୍ରିୟ ସହଯୋଗ ଆବଶ୍ୟକ।

Leave A Reply

Your email address will not be published.