ଜୁଆ ଆଡ୍ଡା ଉପରେ ପଦ୍ମପୁର ପୁଲିସର ଚଢ଼ଉ, ୭ ଗିରଫ

9

ପଦ୍ମପୁର: -ପଦ୍ମପୁର ଥାନା ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପଦ୍ମପୁର ପୁଲିସ ଚଢ଼ଉ କରି ୭ ଜଣଙ୍କୁ ଗିରଫ କରିଛି। ଏଥିସହ ଜୁଆ ଖେଳରେ ବ୍ୟବହୃତ ନଗଦ ୯ ହଜାର ୫୦୦ ଟଙ୍କା, ୬ଟି ଗୋଟି, ୩ଟି ମୋବାଇଲ ଫୋନ୍ ଓ ୪ଟି ମୋଟରସାଇକେଲ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।

ପୁଲିସ ସୂଚନା ଅନୁଯାୟୀ, ଗତ କାଲି ବିଳମ୍ବିତ ରାତିରେ ଡୁଙ୍ଗୁରିପାଲି ଗ୍ରାମରେ ବିନା ଲାଇସେନ୍ସ ଓ ଅନୁମତିରେ ଗୁଡୁଗୁଡୁପଟି ଜୁଆ ଖେଳ ଚାଲିଥିବା ଖବର ପାଇ ପଦ୍ମପୁର ପୁଲିସ ଚଢ଼ଉ କରିଥିଲା। ଏହି ସମୟରେ ଜୁଆ ଖେଳୁଥିବା ୭ ଜଣଙ୍କୁ ପୁଲିସ କାବୁ କରିଥିଲା। ଗିରଫ ବ୍ୟକ୍ତିମାନେ ହେଲେ ଟିଟୁ ଦାସ (୪୨), ବଲ୍ଲଭ ବାଗ (୪୦), ନରେନ୍ଦ୍ର ସେଠ (୪୦), ଯାଦବ ଅମରୀ (୬୦), ସୁବଳ ବରିହା (୪୫), ସନତ କୁମାର ସାହୁ (୬୨) ଓ ଆନନ୍ଦ ଆଚାର୍ଯ୍ୟ (୫୬)। ସମସ୍ତଙ୍କ ଘର ଡୁଙ୍ଗୁରିପାଲି ଗ୍ରାମରେ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ଘଟଣାସ୍ଥଳରୁ ୩ଟି ମୋବାଇଲ ଫୋନ୍, ୪ଟି ମୋଟରସାଇକେଲ, ୯,୫୦୦ ଟଙ୍କା, ୬ଟି ଗୋଟି, ଗୁଡୁଗୁଡୁପଟିର ଚିହ୍ନ ଥିବା ଏକ ବ୍ୟାନର, ଗୋଟିଏ ବାଉଁଶ ଝୁଡ଼ି ଓ ଏକ ପ୍ଲାଷ୍ଟିକ ଦରି ଜବତ କରାଯାଇଛି। ଏନେଇ ପଦ୍ମପୁର ଥାନାରେ କେସ୍ ନଂ ୩୩୫/୦୯.୧୧.୨୦୨୬ ରୁଜୁ କରାଯାଇ ବିଏନ୍‌ଏସ୍‌ର ଧାରା ୧୧୨(୩)(୫) ଓ ଓଡ଼ିଶା ପ୍ରିଭେନସନ୍ ଅଫ୍ ଗ୍ୟାମ୍ବଲିଂ ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଛି। ଗିରଫ ୭ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପଦ୍ମପୁର ପୁଲିସ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଯାଇଛି।

Leave A Reply

Your email address will not be published.