ଭଞ୍ଜନଗର / ନିଲୁ ବିଷୋୟୀ: . ଭଞ୍ଜନଗର ବ୍ଲକ ଅଧ୍ୟକ୍ଷ ପଦବୀ ନିମନ୍ତେ ବିଭିନ୍ନ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଶନିବାର ହୋଇଥିବା ନିର୍ବାଚନରେ ବିଜେଡ଼ି ସମର୍ଥିତ ସମିତି ସଭ୍ୟ ନରୀସଭା ନାୟକ ବିଜୟ ଲାଭ କରିଛନ୍ତି।ଏହି ଆସନଟି ଅନୁସୂଚିତ ଜାତି ବର୍ଗର ଲୋକଙ୍କ ନିମନ୍ତେ ସଂରକ୍ଷିତ ଥିବା ବେଳେ ବିଜେଡ଼ି ସମର୍ଥିତ ବାଇବାଲି ପଞ୍ଚାୟତର ସମିତି ସଭ୍ୟ ନରୀସଭା ନାୟକ ଓ ବିଜେପି ସମର୍ଥିତ ବାଉଁଶ ଲୁଣ୍ଡି ପଞ୍ଚାୟତର ସମିତି ସଭ୍ୟା ଅଞ୍ଜଳି ବେହେରାଙ୍କ ମଧ୍ୟରେ ଅଧ୍ୟକ୍ଷ ପଦବୀ ପାଇଁ ବ୍ଲକ କାର୍ଯ୍ୟାଳୟ ଠାରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।କେବଳ ୨ଜଣ ପ୍ରାର୍ଥୀ ଏହି ନିର୍ବାଚନ ଲଢ଼ିଥିଲେ।ମୋଟ ୨୨ଟି ପଞ୍ଚାୟତର ସମିତି ସଭ୍ୟଙ୍କ ଉପସ୍ଥିତିରେ ବିଜେଡ଼ି ପ୍ରାର୍ଥୀ ନରୀସଭାଙ୍କୁ ୧୩ଖଣ୍ଡ ଭୋଟ ଓ ବିଜେପି ଅଧ୍ୟକ୍ଷା ପ୍ରାର୍ଥୀ ଅଞ୍ଜଳିଙ୍କୁ ୯ଖଣ୍ଡ ଭୋଟ ମିଳିଥିଲା।ମାତ୍ର ୪ଖଣ୍ଡ ଭୋଟ ବ୍ୟବଧାନରେ ନରୀସଭାଙ୍କୁ ନୂତନ ଅଧ୍ୟକ୍ଷ ଭାବେ ନିର୍ବାଚନ ଅଧିକାରୀ ବିଜୟୀ ଘୋଷଣା କରିଥିଲେ।ଏହାକୁ ନେଇ ବିଜେଡ଼ି ନେତୃବୃନ୍ଦ ଓ କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଥିଲା।ବିଜେଡ଼ି ସାଂସଦ ପ୍ରତିନିଧି ଦିବାକର ନାୟକ, ବିଜେଡ଼ି ଜିଲ୍ଲା ଉପସଭାପତି ରାଜ କୁମାର ସାହୁ,୫୦ନଂ ଜୋନ ଜିଲ୍ଲା ପରିଷଦ ଜିତେନ୍ଦ୍ର କେଶରୀ ଆରୁଖଙ୍କ ସମେତ ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ଶୁଭେଚ୍ଛୁ ନୂତନ ଅଧ୍ୟକ୍ଷଙ୍କୁ ପୁଷ୍ପମାଲ୍ୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ବାଜା ବଜାଇ, ବାଣ ଫୁଟାଇ ବିଜେଡ଼ି ନେତା ଓ କର୍ମୀମାନେ ଏହି ବିଜୟ ଉତ୍ସବକୁ ପାଳନ କରିଥିଲେ।ଭଞ୍ଜନଗର ବ୍ଲକ ବାଇବାଲି ନିକଟ ଚଢ଼ିଆ ପଲି ଗ୍ରାମର ଯାଦବ ଶୋଭା ନାୟକଙ୍କ ପୁଅ ନରୀସଭା ନାୟକ(୩୦) ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ବିଜେଡ଼ି ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ।ଆଜିର ବିଜୟ ପରେ ନରିଶୋଭା ନିଜ ପ୍ରତିକ୍ରିୟାରେ ସମସ୍ତ ଶ୍ରେୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସମେତ ସମସ୍ତ ପଞ୍ଚାୟତର ଜନସାଧାରଣଙ୍କୁ ଦେଇଛନ୍ତି।ଭଞ୍ଜନଗର ବ୍ଲକର ଉନ୍ନତି ଓ ଜନସାଧାରଣଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ଚେଷ୍ଟା କରିବେ ବୋଲି ସେ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.