ଚିତାବାଘ ଶିକାର ଯୋଜନା ପଣ୍ଡ, ଦୁଇ ଶିକାରୀ ଗିରଫ

11

ଦେବ୍ରିଗଡ଼ ଅଭୟାରଣ୍ୟ ଓ ବରଗଡ଼ ପୋଲିସର ମିଳିତ ଚଢ଼ଉ; ଜାଲ, ଫାଶ ଓ ବିଦ୍ୟୁତ୍ ତାର ଜବତ

ସମ୍ବଲପୁର, ୧୨।୧୧ : ଦେବ୍ରିଗଡ଼ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ରୋକିବାକୁ ବନ ବିଭାଗ ଓ ବରଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ମିଳିତ ଚଢ଼ଉ କରାଯାଇ ଦୁଇ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ନଭେମ୍ବର ୧୦ ଓ ୧୧ ତାରିଖ ଦୁଇଦିନ ଧରି ପ୍ରାୟ ୭୦ ଜଣ ସଶସ୍ତ୍ର ବନ କର୍ମଚାରୀ ଓ ପୁଲିସ ଅଧିକାରୀ ଅଭୟାରଣ୍ୟ ସଂଲଗ୍ନ ପାଞ୍ଚଟି ଗାଁରେ ଏହି ଚଢ଼ଉ ଓ ତଲାସୀ ଅଭିଯାନ ଚଳାଇଥିଲେ।

ବିଶ୍ୱସ୍ତ ସୂତ୍ରରୁ ଶିକାର ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ମିଳିବା ପରେ ଏହି ଅଭିଯାନ ଆରମ୍ଭ ହୋଇଥିଲା। ସ୍ଥାନୀୟ ଲୋକଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଏବଂ ପ୍ରତିଶୋଧମୂଳକ ଶିକାର ଆଶଙ୍କା ଥିବାରୁ ଚଢ଼ଉ ହୋଇଥିବା ପାଞ୍ଚଟି ଗାଁର ନାମ ଗୋପନ ରଖାଯାଇଛି।

ଏହି ଅଭିଯାନରେ ବରଗଡ଼ ଜିଲ୍ଲାର ଦେବ୍ରିଗଡ଼ ଅଭୟାରଣ୍ୟ ସଂଲଗ୍ନ ରାଉତପଡ଼ା ଗ୍ରାମର ଘନଶ୍ୟାମ ମିର୍ଦ୍ଧା (୪୦) ଓ ସୁପ୍ରସାଦ ସୁଇ (୪୮)ଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ଜନ୍ତୁ ଧରିବା ପାଇଁ ବ୍ୟବହୃତ ଫାଶ, ଜାଲ, ୩ କିଲୋଗ୍ରାମ ବିଦ୍ୟୁତ୍ ହୁକିଂ ତାର, ୨ କିଲୋଗ୍ରାମ କେବୁଲ୍ ତାର ଏବଂ ଦୁଇ ବଣ୍ଡଲ୍ ଜନ୍ତୁ ଧରିବା ଜାଲ ଜବତ କରାଯାଇଛି।

ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ଚିତାବାଘ ଶିକାର ପାଇଁ ଯୋଜନା କରିବା ସହ ଅଭୟାରଣ୍ୟ ମଧ୍ୟରେ ଫାଶ ବିଛାଇଥିଲେ। ଏଭଳି ଫାଶ ଓ ବିଦ୍ୟୁତ୍ ତାର ବ୍ୟବହାର ଦ୍ୱାରା ଅନେକ ବନ୍ୟଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥାଏ। ଦେବ୍ରିଗଡ଼ କର୍ତ୍ତୃପକ୍ଷଙ୍କ ଲଖନପୁର ରେଞ୍ଜ ଅଧୀନରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ନଭେମ୍ବର ୧୧ ତାରିଖରେ କୋର୍ଟ ଚାଲାଣ କରାଯାଇଛି।

ଅନ୍ୟପକ୍ଷରେ, ବନ୍ୟଜନ୍ତୁ ଶିକାର ସମ୍ପର୍କରେ ବିଶ୍ୱସନୀୟ ସୂଚନା ଦେଉଥିବା ବ୍ୟକ୍ତିଙ୍କ ପାଇଁ ଦେବ୍ରିଗଡ଼ କର୍ତ୍ତୃପକ୍ଷ ୧,୦୦୦ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ଶିକାରୀମାନେ ଜଙ୍ଗଲ ସଂଲଗ୍ନ ଗାଁ ନିକଟରେ ଅସ୍ତ୍ରଶସ୍ତ୍ର ଲୁଚାଇ ରଖୁଥିବା ଆଶଙ୍କାରେ ଅଭୟାରଣ୍ୟ ସୀମାନ୍ତ ଅଞ୍ଚଳରେ ମେଟାଲ୍ ଡିଟେକ୍ଟର ଓ ଲାଇଭ୍‌ୱାୟାର ଡିଟେକ୍ଟର ସହାୟତାରେ ଯାଞ୍ଚ କରାଯାଉଛି।

ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବନ ବିଭାଗ, ଜିଲ୍ଲା ପୁଲିସ ଓ ସ୍ଥାନୀୟ ସମୁଦାୟ ମଧ୍ୟରେ ସମନ୍ୱୟ ରଖି ଗୁଇନ୍ଦା ସୂଚନା ଆଧାରିତ ଚଢ଼ଉ, ନିୟମିତ ପାଟ୍ରୋଲିଂ ଓ ନିରୀକ୍ଷଣ ଜାରି ରହିଛି। ବିଶେଷକରି ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ଉ, ଜବତ ଓ ଗିରଫ ଅଭିଯାନ ଜାରି ରହିବ ବୋଲି ଦେବ୍ରିଗଡ଼ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.