ମିଥ୍ୟା ଏନ୍‌କାଉଣ୍ଟରକୁ କୁ ନେଇ ୨୧ରେ ବନ୍ଦ ଡ଼ାକରା ଦେଲା ମାଓସଙ୍ଗଠନ ।

0

ମାଲକାନଗିରି/ ବି ଶ୍ରୀନିବାସ ପାତ୍ର: ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳରେ ପୁଲିସର ଏନ୍‌କାଉଣ୍ଟରକୁ ମିଥ୍ୟା ବୋଲି ଦର୍ଶାଇ ନକ୍ସଲ ସଂଗଠନ ଏହାର ବିରୋଧ କରିଛି । ଏନ୍‌କାଉଣ୍ଟର ନାମରେ ତିନି ଜଣ ନକ୍ସଲଙ୍କୁ ହତ୍ୟା କରାଯାଇଥିବା ନେଇ ଆନ୍ଧ୍ର ଓଡିଶା ବୋଡର ଡିଭିଜନର ସଚିବ କୈଳାସ ଆଜି ଏକ ପ୍ରେସ୍ ବିବୃତିରେ ପ୍ରକାଶ କରିଛନ୍ତି । ସ୍ବାଭିମାନ ଅଂଚଳରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରି ଲୋକଙ୍କୁ ନିର୍ଯାତନା ଦେଉଥିବା କୈଳାସ ଏଥିରେ ଅଭିଯୋଗ କରିଛନ୍ତି। ପୁଲିସର ଏଭଳି କାର୍ଯ୍ୟକଳାପ ଲୋକଙ୍କ ଜୀବନଜୀବିକା ଉପରେ ପ୍ରଭାବ ପକାଉଛି। ଏପରିକି ଲୋକଙ୍କ ଛେଳି, ମେଣ୍ଢା ଓ କୁକୁଡା ଇତ୍ୟାଦି ଖାଇଦେଉଛନ୍ତି। ମିଥ୍ୟା ଏନ୍‌କାଉଣ୍ଟରରେ ମୃତ୍ୟୁବରଣ କରିଥିବା ସହିଦଙ୍କ ପରିବାରକୁ ଆମେ ସହାନୁଭୂତି ଜଣାଉଛୁ ବୋଲି ଏଥିରେ କୁହାଯାଇଛି।

କୈଳାସ ଆହୁରି କହିଛନ୍ତି ଯେ ପୁଲିସ ବେଆଇନ ଭାବେ ନିରୀହ ଲୋକଙ୍କୁ ଗିରଫ କରି ଜେଲରେ ଭର୍ତ୍ତି କରି ନିର୍ଯାତନା ଦେବା, ବାଧ୍ୟତାମୂଳକ ଆତ୍ମସମର୍ପଣ କରାଇବା, ନକ୍ସଲଙ୍କୁ ଧରି ମିଥ୍ୟା ଏନ୍‌କାଉଣ୍ଟର କରିବା ଭଳି କାର୍ଯ୍ୟ ଜାରି ରଖିଛି। ପୁଲିସ ମାଓ ମିଲିଟାରି କମାଣ୍ଡର କିଶୋରକୁ ଧରିଥିଲେ ଏବଂ ତାକୁ ହତ୍ୟା କରିଥିଲେ। ସେହିପରି ବିଶାଖାପଟ୍ଟନମ୍ ଏସ୍‌ପି କିଛି ସୂଚନାଦାତାକୁ ଚାକିରି ଦେବା ନାମରେ ଠକେଇ କରୁଛନ୍ତି । ନିରୀହ ଲୋକଙ୍କୁ ସୂଚନାଦାତା ଭାବେ ରଖିବା ସହ ସେମାନଙ୍କୁ ପୁଲିସ ପୋଷାକ ପିନ୍ଧିବାକୁ ବାଧ୍ୟ କରାଯିବା ସହ ସେମାନଙ୍କୁ ହଇରାଣ କରାଯାଉଛି। ମାଲକାନଗିରି ପୁଲିସ ମଧ୍ୟ କିଛି ନକ୍ସଲକୁ ଗିରଫ କରି ରଖିଛି। ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇ ନ ଥିବା ଅଭିଯୋଗ କରାଯାଇଛି। ପୁଲିସର ଏଭଳି କାର୍ଯ୍ୟକଳାପକୁ ବିରୋଧ କରି ଆସନ୍ତା ୨୧ ତାରିଖ ଦିନ ମାଓ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦକୁ ସଫଳ କରିବାକୁ କୈଳାସ ଆହ୍ବାନ ଦେଇଛନ୍ତି । ବନ୍ଦ ବେଳେ ଜରୁରୀକାଳୀନ ସେବା ଜାରି ରହିବ ବୋଲି ଏହି ବିବୃତିରେ କୁହାଯାଇଛି। ତେବେ ମାଓବାଦୀଙ୍କ ଏହି ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ପୁଲିସ ସଜାଗ ରହିଛି । ଗୁଇନ୍ଦା ବିଭାଗକୁ ଅଧିକା ତୀକ୍ଷ୍ମ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯିବା ସହ ନକ୍ସଲଙ୍କ ଗତିବିଧି ଉପରେ ନଜର ରଖିବାକୁ କୁହାଯାଇଛି।

Leave A Reply

Your email address will not be published.