କରୋନା ଯନ୍ତ୍ରଣା ଉଜାଡିଦେଲା ସଂସାର : ଘରୋଇ କଳି,  ୩ମାସର ପୁଅକୁ ମାରି ବାପ ବି ଗଲା ଝୁଲି 

0

ନୂଆପଡ଼ା/  ଅମିତ ପୁରୋହିତ : ସବୁ ଠିକ ଠାକ  ଚାଲିଥିଲା | ପ୍ରବାସରେ ଥାଇ ଜୀବନ ଠିକ ଚାଲିଥିଲା | ହେଲେ କରୋନା ବଦଳାଇଦେଲା ଜୀବନର ମୋଡ | କରୋନା ଯୋଗୁ ବନ୍ଦ ହେଲା କାରଖାନା | ତାପରେ ଜୀବିକା ହରାଇ  ପ୍ରବାସରୁ ରାଜ୍ୟକୁ ଫେରି କ୍ୱାରେଣ୍ଟାଇନ | ତାପରେ କ୍ୱାରେଣ୍ଟାଇନରୁ ଘରକୁ | ଘରେ ଲାଗିଲା କଳି | ତାପରେ ଯାହା ଘଟିଲା ଅତ୍ୟନ୍ତ ବେଦନାଦାୟକ | ହେଲା ଘରୋଇ କଳି | ତାକୁ କେନ୍ଦ୍ରକରି ବାପା ହାତରେ ପୁଅର ଜୀବନ ଯାଇଛି। । ନିଜ ୩ ମାସର ଶିଶୁପୁତ୍ରକୁ ହତ୍ୟା କରି ବାପା ମଧ୍ୟ ନିଜେ ଆତ୍ମହତ୍ୟା କରିଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। 

ସୂଚନା ଅନୁସାରେ ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ପେଣ୍ଡରାବନ୍ଦ୍‌ ପଞ୍ଚାୟତ ଚାନ୍ଦୋପଲା ଗ୍ରାମର ନିଲୁ ଶବର ନିଜର ପେଟ ପାଟଣା ପାଇଁ ମୁମ୍ବାଇ ଯାଇଥିଲେ। ସେଠାରେ ସେ ଏକ କାରଖାନାରେ କାମ କରୁଥିଲେ। ନିଲୁ ଯେଉଁ କାରଖାନାରେ କାମ କରୁଥିଲେ କରୋନା ଭାଇରସ୍‌ ପାଇଁ ତାହା ବନ୍ଦ ହୋଇଯାଇଥିଲା। ଏହା ପରେ ନିଲୁ ମୁମ୍ବାଇରୁ ନିଜର ଭିଟାମାଟିକୁ ଫେରି ଆସିଥିଲେ।

ଗାଁକୁ ଫେରିବା ପରେ ସେ ଅଗ୍ରେନ ପଞ୍ଚାୟତ ଗୋଇଯୋରରେ ସରକାରୀ କ୍ୱାରେଣ୍ଟାଇନର ରହିଥିଲେ। କ୍ୱାରେଣ୍ଟାଇନ ଅବଧୀ ଶେଷ ହେବା ପରେ ସେ ଦୂମେରବାହାଲ ନିଜ ସମ୍ପର୍କୀୟ ଘରେ କିଛି ଦିନ ରହିଥିଲେ। ଏହା ପରେ ଘରକୁ ଫେରିଥିଲେ। ଆଜି ଦିନ ବେଳା ସେ ଘରେ ପରିବାର ଲୋକଙ୍କ ସହିତ କଳି କରିଥିଲେ। ଏଥିରେ ଉତ୍ତେଜିତ ହୋଇ ସେ ଶିଶୁପୁତ୍ରକୁ ହତ୍ୟା କରିଥିଲେ।

ପୁଅକୁ ହତ୍ୟା କରିବା ପରେ ପୁଲିସ ହାତରେ ଧରାପଡ଼ିବା ଭୟରେ ନିଲୁ ଗଛକୁ ଚଢ଼ି ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲେ। ନିଲୁଙ୍କର ସ୍ତ୍ରୀ ବେଲାମତି ଶବର କୋମନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ କୋମନା ପୁଲିସ୍‌ ପହଞ୍ଚି ବାପା-ପୁଅଙ୍କର ମୃତଦେହ ଜବତ ସହ ତଦନ୍ତ ଜାରି ରଖିଛି । ଏହି ଘଟଣା ସମଗ୍ର ନୂଆପଡ଼ା ଜିଲ୍ଲାରେ ଆଲୋଡନ କରିଛି।

Leave A Reply

Your email address will not be published.