ଭିଜିଲାନ୍ସ ଖାପଚରେ ଆଇଟିଡିଏ ସହକାରୀ ଯନ୍ତ୍ରୀ 

0

ଦୁର୍ନୀତିର ଗନ୍ତାଘର ପାଲଟିଛି ଆଇଟିଡିଏ : ଆଦିବାସୀଙ୍କ ଅର୍ଥ ହେଉଛି ମହା ଲୂଟ 

ବାରିପଦା (ଦିଲ୍ଲୀପ ମହାନ୍ତି)ମୟୂରଭଞ୍ଜ ଜିଲ୍ଲାରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀମାନଙ୍କ ମଧ୍ୟରୁ ପ୍ରତ୍ୟେକ ବର୍ଷ ଏକାଧିକ ଅସାଧୁ ଦୁର୍ନୀତି ଖୋର କର୍ମଚାରୀ ଭିଜିଲାନ୍ସ ଟ୍ରାପରେ ହେଉ ଅଥବା ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଜେଲ ଯିବା ସହ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦ୍ୱାରା ଦଣ୍ଡିତ ହେଉଥିବାର ପରିଲକ୍ଷିତ ହେଉଛି । ଏହା ଭାତ ହାଣ୍ଡିରୁ ଗୋଟାଏ ଭାତ ପରଖିବା ଭଳି ଜିଲ୍ଲାରେ ଥିବା ସରକାରୀ କାର୍ଯ୍ୟାଳୟଗୁଡ଼ିକର ସ୍ୱଚ୍ଛତା ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରାଉଥିବା ସମୟରେ ବାରିପଦା ପିଏ ଆଇଟିଡ଼ିଏ କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଦୁର୍ଗାମାଧବ ମିଶ୍ରଙ୍କ କାର୍ଯ୍ୟାଳୟ ସହ ବାରିପଦାସ୍ଥିତ ଭଡ଼ା ଘର, ବାଲେଶ୍ୱରସ୍ଥିତ ସମ୍ପର୍କୀୟଙ୍କ ଘର, ନୟାଗଡ଼ରେ ଥିବା ପୈତୃକ ଘର ଓ ଭୂବନେଶ୍ୱରରେ ଥିବା ନିଜସ୍ୱ ବାସଭବନ ଏହିପରି ମୋଟ ୫ଟି ସ୍ଥାନରେ ବାଲେଶ୍ୱର ଏସପି ସନ୍ତୋଷ କୁମାର ମିଶ୍ରଙ୍କ ନିର୍ଦେଶ  କ୍ରମେ ବାଲେଶ୍ୱର, ବାରିପଦା, ଭଦ୍ରଖ ଓ କେନ୍ଦୁଝର ଭିଜିଲାନ୍ସର ମିଳିତ ଟିମ ପକ୍ଷରୁ  ଡ଼ିସେମ୍ବର ୧୯ ପୂର୍ବାହ୍ନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି ।

ଏହି ଚଢ଼ାଉ ସମ୍ପର୍କରେ କୌଣସି ସୂତ୍ର ଖବର ପାଇ ଦୁର୍ଗାମାଧବ ଖସି ପଳାଇଯାଇଥିବାର ଜଣାପଡ଼ିଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ବାରିପଦା ପିଏ ଆଇଟିଡ଼ିଏଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଦୁର୍ଗାମାଧବ ଅସାଧୁ ଉପାୟରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ବିଷୟକୁ ନେଇ ବାଲେଶ୍ୱର  ଭିଜିଲାନ୍ସ ଏସପିଙ୍କ ନିକଟରେ ଅଭିଯୋଗ ପହଁଞ୍ଚିଥିଲା । ଏହାପରେ  ଭିଜିଲାସ ପକ୍ଷରୁ ଘଟଣାର ତଦନ୍ତ ଓ ଚଢ଼ାଉ ନିମନ୍ତେ ବିଭାଗୀୟ ପଦାଧିକାରୀଙ୍କ ଅନୁମତି ନେବା ପରେ ଆଜି ଚଢ଼ାଉ କରାଯାଇଥିଲା । କିନ୍ତୁ ସହକାରୀ ଯନ୍ତ୍ରୀ ଡ଼ିସେମ୍ବର ୧୮ରୁ ନିଜର ଭଡ଼ା ଘରେ ତାଲା ପକାଇ କୁଆଡେ଼ ଚାଲିଯାଇଥିଲେ । ଫଳରେ ଭଡ଼ା ଘର ଉପରେ ଚଢ଼ାଉ କରିବାକୁ ଯାଇଥିବା ଭିଜିଲାନ୍ସ ଟିମ ବାହାରେ ଅପେକ୍ଷା କରି ରହିଥିବାର ଦେଖିବାକୁ ମିଳିଥିଲା । ସେହିପରି ବାରିପଦା ପିଏ ଆଇଟିଡ଼ିଏ କାର୍ଯ୍ୟାଳୟ ଖୋଲିବା ପରେ ଭିଜିଲାନ୍ସ ଟିମ କାର୍ଯ୍ୟାଳୟ ଉପରେ ଚଢ଼ାଉ କରି ବିଭିନ୍ନ ରେକର୍ଡ ପତ୍ର ଯାଞ୍ଚ କରିଥିଲେ । ଖବର ଲେଖାଯିବା ପର୍ଯ୍ୟନ୍ତ ଭିଜିଲାନ୍ସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ବେଳେ ଭୂବନେଶ୍ୱରରେ ଭିଜିଲାନ୍ସ ଦୁର୍ଗାମାଧବଙ୍କୁ  ଧରିଥିବାର କୁହାଯାଉଛି । ପ୍ରକାଶ ଥାଉକି, ସହକାରୀ ଯନ୍ତ୍ରୀ ବାରିପଦା ପିଏ ଆଇଟିଡ଼ିଏ ଅଧୀନରେ ଥିବା କୁଳିଅଣା, ଶୁଳିଆପଦା ଓ ବଡ଼ସାହି ଆଦି ବ୍ଲକ ଦାୟିତ୍ୱରେ ରହିଥିବା ବେଳେ ଶୁଳିଆପଦା ବ୍ଲକ ଦାୟିତ୍ୱରେ ଦୀର୍ଘ ବର୍ଷ ଧରି ରହିଥିବାର ଜଣାପଡ଼ିଛି । 

Leave A Reply

Your email address will not be published.