୩୨ଟି ବିଭାଗରେ ୮୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନ
ନବରଙ୍ଗପୁର, 08/11/2026,ଛାତ୍ରଛାତ୍ରୀମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ, ସୃଜନଶୀଳତାର ପରିପ୍ରକାଶ ତଥା କଳା, ସଂସ୍କୃତି ଓ ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ନବରଙ୍ଗପୁର ସହରସ୍ଥିତ ସାଇ କଲ୍ୟାଣ ମଣ୍ଡପଠାରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଓ ଛାୟା ସଂସଦ ପ୍ରତିଯୋଗିତା ଆଜି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଛତ୍ରପତି ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍ଘାଟନୀ ସମାରୋହରେ ମାନ୍ୟବର ନବରଙ୍ଗପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଶ୍ରୀ ଗୌରୀଶଙ୍କର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜ ଅଭିଭାଷଣରେ ସେ କହିଥିଲେ ଯେ, ‘ସୁରଭି’ ଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ସୁପ୍ତ ପ୍ରତିଭା ଓ ସୃଜନଶୀଳତାକୁ ଲୋକଲୋଚନକୁ ଆଣିବାର ଏକ ଉତ୍କୃଷ୍ଟ ମାଧ୍ୟମ। ଏହା ସହିତ ନବରଙ୍ଗପୁର ଜିଲ୍ଲାର ସମୃଦ୍ଧ ଲୋକକଳା, ଲୋକସଂସ୍କୃତି ଓ ପରମ୍ପରାକୁ ରାଜ୍ୟସ୍ତରରେ ପରିଚିତ କରାଇବାରେ ଏହି ମହୋତ୍ସବ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ. ପ୍ରମୋଦ କୁମାର ପୃଷ୍ଟି, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ କାଶ୍ୟପ ପାର୍ଥ ଜଗଦୀଶ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରକାଶ ଚନ୍ଦ୍ର ମହାଲିକ, ଶ୍ରୀମତୀ ସୁପ୍ରିୟା ନାୟକ ଓ ଶ୍ରୀ ଶ୍ରୀକାନ୍ତ ଜାନି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।
ଜିଲ୍ଲାର ବିଭିନ୍ନ ବ୍ଲକରୁ ୮୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ୩୨ଟି ବିଭାଗରେ ଅଂଶଗ୍ରହଣ କରି ନିଜ ନିଜର ପ୍ରତିଭା ଓ ଦକ୍ଷତା ପ୍ରଦର୍ଶନ କରିଥିଲେ। ବିଶେଷକରି ସାଂସ୍କୃତିକ ପ୍ରତିଯୋଗିତାରେ ତେନ୍ତୁଳିଖୁଣ୍ଟି ବ୍ଲକ ପ୍ରଥମ ସ୍ଥାନ ଅଧିକାର କରିଥିଲା। ଏଥିସହିତ ଆୟୋଜିତ ଜିଲ୍ଲାସ୍ତରୀୟ ଛାୟା ସଂସଦ ପ୍ରତିଯୋଗିତାରେ ୨୩ଟି ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟର ୪୬ ଜଣ ଛାତ୍ରଛାତ୍ରୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀମାନେ ସଂସଦୀୟ କାର୍ଯ୍ୟପ୍ରଣାଳୀ, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ନେତୃତ୍ୱ ଦକ୍ଷତା ସମ୍ପର୍କରେ ଅଭିଜ୍ଞତା ହାସଲ କରିଥିଲେ।
କାର୍ଯ୍ୟକ୍ରମ ପରିସରରେ ୨୩ଟି ଆକର୍ଷଣୀୟ ଷ୍ଟଲ୍ ଖୋଲାଯାଇଥିଲା। ଏହି ଷ୍ଟଲ୍ଗୁଡ଼ିକ ମାଧ୍ୟମରେ ବିଭିନ୍ନ ରାଜ୍ୟର କଳା, ସଂସ୍କୃତି, ପାରମ୍ପରିକ ବେଶଭୂଷା, ଖାଦ୍ୟପେୟ ଓ ଐତିହ୍ୟକୁ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଥିଲା। ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶର ବିବିଧତା ଓ ସାଂସ୍କୃତିକ ଐକ୍ୟ ସମ୍ପର୍କରେ ଜ୍ଞାନ ଓ ସଚେତନତା ବୃଦ୍ଧି କରିଥିଲା। ଉଦ୍ଯାପନୀ ସମାରୋହରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସଲା ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଭରତ ଚନ୍ଦ୍ର ସାହୁ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସମସ୍ତ ବ୍ଲକର ମଣ୍ଡଳ ଶିକ୍ଷା ଅଧିକାରୀ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶ୍ରୀ ଚିତ୍ତରଞ୍ଜନ ପଟ୍ଟନାୟକ, ଜଗଦାନନ୍ଦ ସୁନାରି, ବିତିକା ମିଶ୍ର, ବାଳକୃଷ୍ଣ ସାହୁ, ଡିପିଇଓ ଶ୍ରୀ ପ୍ରଭାତ ପଟ୍ଟନାୟକ, ଆର୍.ଭି. କିଶନ, ସନ୍ତୋଷ ଶତପଥୀ, ସୁରଜ ପାତ୍ର, ବିକ୍ରମ ଦାଶ, ସୁନିଲ ତ୍ରିପାଠୀ, ଗୋକୁଳ ପୂଜାରୀ, ସମସ୍ତ ସିଆରସିସି ଏବଂ ଶିକ୍ଷକ-ଶିକ୍ଷୟିତ୍ରୀମାନେ ସକ୍ରିୟ ସହଯୋଗ କରିଥିଲେ। ଚନ୍ଦନା ମଲ୍ଲିକ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଛତ୍ରପତି ସାହୁ ଧନ୍ୟବାଦ ଅର୍ପଣ କରିବା ସହିତ ସଭା ସାଙ୍ଗ କରିଥିଲେ।