୪୫ ଦିନ ପରେ କଳିଙ୍ଗା ଘାଟିରେ ଗଡ଼ିଲା ଯାନବାହନ

21


ଭୂସ୍ଖଳନ ସ୍ଥାନରେ ଭାଙ୍ଗିଥିବା ଗାର୍ଡ ୱାଲ୍ ମରାମତି ସମ୍ପୂର୍ଣ ହୋଇନି

ଯାତାୟାତ ସ୍ୱାଭାବିକ ହେବାପରେ ଲୋକଙ୍କୁ ଆଶ୍ୱସ୍ତି,ତଥାପି ସୁରକ୍ଷା ନେଇ ଆଶଙ୍କା ।

ଜି.ଉଦୟଗିରି, ୦୭/୧୧(ଅବନୀ କୁମାର ପ୍ରଧାନ )କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ବାସୀଙ୍କ ପାଇଁ ଜୀବନରେଖା ଭାବେ ପରିଚିତ କଳିଙ୍ଗା ଘାଟିରେ ଦୀର୍ଘ ୪୫ ଦିନ ପରେ ପୁଣି ଗଡ଼ିଛି ଯାନବାହନ । ଭୂସ୍ଖଳନ ଆଶଙ୍କା ଯୋଗୁଁ ଗତ ସେପ୍ଟେମ୍ବର ୨୪ ତାରିଖରୁ ଏହି ଘାଟି ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଶେଷରେ କନ୍ଧମାଳ ଜିଲ୍ଲାପାଳ ଭେଦ ଭୂଷଣଙ୍କ ଶୁକ୍ରବାର ଦିନ ଲିଖିତ ନିର୍ଦ୍ଦେଶ ପରେ ଶନିବାର ଠାରୁ ଏହି ରାସ୍ତାରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଛି। ତେବେ ଯାତାୟାତ ଆରମ୍ଭ ହୋଇଥିଲେ ମଧ୍ୟ ଭୂସ୍ଖଳନ ସ୍ଥାନରେ ପୂର୍ବରୁ ଥିବା ଗାର୍ଡ ୱାଲ୍ ଭାଙ୍ଗିଯିବା ପରେ ଏପର୍ଯ୍ୟନ୍ତ ମରାମତି ହୋଇନଥିବାରୁ ଯାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି। ସୂଚନା ଅନୁସାରେ, ଗତ ସେପ୍ଟେମ୍ବର ୨୪ ତାରିଖରେ ଲଗାଣ ବର୍ଷା ରେ କଳିଙ୍ଗା ଘାଟିର ଅନ୍ଧାରକୋଟି ସହ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଓ ପାହାଡ଼ରୁ ମାଟି ଅତଡ଼ା ଖସିବା ସହ ଭୂସ୍ଖଳନ ହୋଇ ଗାର୍ଡ ୱାଲ ଭୁଶୁଡି଼ ଯାଇଥିଲା |ବହୁ ଦିନ ପରେ ଗାର୍ଡ ୱାଲ୍ ମରାମତି କାମ ସରିଛି । ଯାତ୍ରୀ ଓ ଯାନବାହନର ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଘାଟି ରାସ୍ତାରେ ଯାତାୟାତ ବନ୍ଦ କରାଯାଇଥିଲା। ଏହାପରଠାରୁ ଦୀର୍ଘ ୪୫ ଦିନ ଧରି ରାସ୍ତା ବନ୍ଦ ରହିବା ଫଳରେ ସାଧାରଣ ଲୋକଙ୍କ ସମେତ ବ୍ୟବସାୟୀ, ଯାତ୍ରୀ ଓ ଗାଡ଼ି ଚାଳକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିଲେ।
କଳିଙ୍ଗା ଘାଟି ଦେଇ ଯାତାୟାତ ପୁନଃ ଆରମ୍ଭ କରିବା ଦାବିରେ ଜି.ଉଦୟଗିରି, ଟିକାବାଲି, କଳିଙ୍ଗା ଓ ଦୁର୍ଗାପ୍ରସାଦ ଅଞ୍ଚଳର ଲୋକଙ୍କୁ ନେଇ ଗଠିତ ମିଳିତ ମଞ୍ଚ ପକ୍ଷରୁ ଉଦ୍ୟମ କରାଯାଇଥିଲା। ଏହି ଦାବିକୁ ନେଇ ମଞ୍ଚର ସଦସ୍ୟମାନେ ଯନ୍ତ୍ରୀ ତଥା ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଘେରାଉ କରି ଶୀଘ୍ର ଘାଟି ରାସ୍ତା ଖୋଲିବାକୁ ଦାବି ଜଣାଇଥିଲେ।

Leave A Reply

Your email address will not be published.