ଓଡ଼ଗାଁ, ୮।୧୧ (ଶ୍ରୀକାନ୍ତ କୁମାର ମିଶ୍ର): ପବିତ୍ର ଦୀପାବଳି ଅବସରରେ ଦିବଂଗତ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଓ ଦୀପଦାନ କରିବା ଓଡ଼ିଆ ସଂସ୍କୃତି ତଥା ପରମ୍ପରାର ଏକ ଅନନ୍ୟ ପରିଚୟ। ଏହି ପରମ୍ପରାକୁ ଅଧିକ ଭାବପୂର୍ଣ୍ଣ ଓ ସାମୂହିକ ରୂପ ଦେଇ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ଅନ୍ତର୍ଗତ କୁରାଳ ଗ୍ରାମବାସୀ ଦୀର୍ଘ ୧୨ ବର୍ଷ ଧରି ଏକ ନିଆରା ଢଙ୍ଗରେ ପରମ୍ପରାକୁ ପାଳନ କରି ଆସୁଛନ୍ତି। ଉତ୍କଳୀୟ ପରମ୍ପରା ଅନୁଯାୟୀ ଦୀପାବଳି ଦିନ ପ୍ରତ୍ୟେକ ପରିବାର ପକ୍ଷରୁ ନିଜ ନିଜର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୟାଶ୍ରାଦ୍ଧ ଓ ଦୀପଦାନ କରାଯାଇଥାଏ। ତେବେ କୁରାଳ ଗ୍ରାମରେ ଏହି ପାରମ୍ପରିକ ବିଧି ସହିତ ସାମୂହିକ ଦୀପଦାନର ଏକ ନିଆରା ପରମ୍ପରା ଯୋଡ଼ି ହୋଇଛି। ଗ୍ରାମବାସୀ ନିଜ ନିଜ ପରିବାର ସହ ଶ୍ରାଦ୍ଧକର୍ମ ସମ୍ପନ୍ନ କରିବା ପରେ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ରାମଚଣ୍ଡୀଙ୍କ ପୀଠରେ ଏକତ୍ରିତ ହୋଇ ସାମୂହିକ ଭାବେ ଦୀପଦାନ କରିଥାନ୍ତି। ଏହି ସାମୂହିକ ପରମ୍ପରାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାମର ସମସ୍ତ ପରିବାରର ପିତୃପୁରୁଷଙ୍କ ସହିତ ଯେଉଁ ପରିବାରର ଉତ୍ତରାଧିକାରୀ ନାହାନ୍ତି, ସେମାନଙ୍କ ପିତୃପୁରୁଷଙ୍କୁ ମଧ୍ୟ ସାମୂହିକ ଶ୍ରାଦ୍ଧ ଓ ଦୀପଦାନ ମାଧ୍ୟମରେ ସ୍ମରଣ କରିବା। ଏହା ଗ୍ରାମବାସୀଙ୍କ ମଧ୍ୟରେ ଭାଇଚାରା, ସାମାଜିକ ଏକତା ଓ ପୂର୍ବପୁରୁଷଙ୍କ ପ୍ରତି ଶ୍ରଦ୍ଧାଭାବର ଏକ ନିଆରା ଉଦାହରଣ ସୃଷ୍ଟି କରିଛି। ଚଳିତ ବର୍ଷ ମଧ୍ୟ ମା’ ରାମଚଣ୍ଡୀଙ୍କ ପୀଠରେ ଗ୍ରାମବାସୀଙ୍କ ପକ୍ଷରୁ ଏହି ସାମୂହିକ ଦୀପଦାନ ଉତ୍ସବ ଆୟୋଜିତ ହୋଇଥିଲା।

କୁରାଳ ସରପଞ୍ଚ ବିଜନ ପାଇକରାୟଙ୍କ ସମେତ ଉତ୍ସବର ଆୟୋଜକ ଓ ଗ୍ରାମର ସଦସ୍ୟମାନେ ହାତରେ କାଉଁରିଆ କାଠି ଧରି ଏକତ୍ରିତ ହୋଇ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପାରମ୍ପରିକ ଗୀତ ଗାନ କରିଥିଲେ। ସମସ୍ତେ ଏକ ସ୍ୱରରେ ବଡ଼ବଡ଼ିଆ ହୋ, ଅନ୍ଧାରରେ ଆସ ଆଲୁଅରେ ଯାଅ, ଗଙ୍ଗାଜାଅ ଗୟାଜାଅ, କାଶିଯାଅ, ଶ୍ରୀପୁରୁଷୋତ୍ତମ ଯାଇ ମହାପ୍ରସାଦ ପାଇ ବାଇଶି ପାହାଚରେ ଗଡ଼ଗଡ଼ଉ ଥାଅ ଗାନ କରି ପିତୃପୁରୁଷଙ୍କ ପ୍ରତି ଶ୍ରଦ୍ଧା ଓ ଭକ୍ତି ନିବେଦନ କରିଥିଲେ। କୁରାଳ ଗ୍ରାମର ଏହି ନିଆରା ପରମ୍ପରା ଉତ୍କଳୀୟ ସଂସ୍କୃତି, ପାରିବାରିକ ମୂଲ୍ୟବୋଧ ଓ ସାମାଜିକ ଭାଇଚାରାର ଏକ ଉଜ୍ଜ୍ୱଳ ନିଦର୍ଶନ ପାଲଟିଛି।