ପଦ୍ମପୁରରେ ଜବତ ଟଙ୍କା ବିଜେପିର: ଇଡି ଓ ଆୟକର ଜରିଆରେ ତଦନ୍ତ ହେଉ On Feb 19, 2018 20 Share ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କଲା ବିଜେଡି ଭୁବନେଶ୍ୱର : ପଦ୍ମପୁରରେ ଜବତ ହୋଇଥିବା ୪୦ଲକ୍ଷ ୫୦ ହଜାର ଟଙ୍କା ବିଜେପିର ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେଡି ଆଜି ଅଭିଯୋଗ କରିଛି । ତତ୍ସହିତ ଇଡି ଓ ଆୟକର ଅଧିକାରୀ ଏ ସଂପର୍କରେ ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁସ୍ଥାନ ଗ୍ରହଣ କରିବାକୁ ବିଜେଡି ପ୍ରତିନିଧି ଦଳ ଅନୁରୋଧ କରିଛନ୍ତି । ବିଜୁ ଜନତା ଦଳର ଉପ-ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର ଏବଂ ଅନଙ୍ଗ ଉଦୟ ସିଂହଦେଓ ସ୍ମାରକପତ୍ରରେ ଦର୍ଶାଇଛନ୍ତି ଯେ, ଫେବୃଆରୀ ୧୭ ତାରିଖ ସନ୍ଧ୍ୟାରେ ପଦ୍ମପୁର ଠାରେ ଆକାଶ ଅଗ୍ରୱାଲା ନାମକ ବିଶ୍ୱହିନ୍ଦୁ ପରିଷଦର ଜଣେ ସକ୍ରିୟ କର୍ମୀଙ୍କ ଠାରୁ ୪୦ଲକ୍ଷ ୫୦ ହଜାର ଟଙ୍କା ପୋଲିସ ଜବତ କରିଛି । ବିଜେପୁର ଉପ-ନିର୍ବାଚନରେ ବିଜେପିକୁ ଭୋଟ ଦେବା ପାଇଁ ଭୋଟର୍ମାନଙ୍କୁ ପ୍ରଭାବିତ କରିବାକୁ ଉକ୍ତ ଟଙ୍କା ବଣ୍ଟା ଯାଇଥାନ୍ତା, ଯାହା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି । ମୁଖ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ ଆକାଶ ଅଗ୍ରୱାଲାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଇଡି ଓ ଆୟକର କର୍ତ୍ତୃପକ୍ଷ ଏ ସଂପର୍କରେ ବିହିତ ପଦକ୍ଷେପ ନେବାକୁ ସ୍ମାରକପତ୍ରରେ କୁହାଯାଇଛି । ଶ୍ରୀ ପାତ୍ର କହିଛନ୍ତି ଯେ ଉଭୟ ଆକାଶ ଅଗ୍ରୱାଲା ଏବଂ ତାଙ୍କ ପିତା ଓମ୍ ପ୍ରକାଶ ଅଗ୍ରୱାଲା ବିଶ୍ୱହିନ୍ଦୁ ପରିଷଦ ଓ ବିଜେପିର ସକ୍ରିୟ ସଦସ୍ୟ ଅଟନ୍ତି । ପୂର୍ବରୁ ଆକାଶଙ୍କ ପିତା ଓମ୍ ପ୍ରକାଶ ଅଗ୍ରୱାଲାଙ୍କ ବିରୋଧରେ ଏକ ଚର୍ଚ୍ଚ ପୋଡ଼ିବା ନେଇ ପଦ୍ମପୁର ଥାନା କେଶ୍ ନମ୍ବର ୮୦/୨୦୦୮ରେ ସାମ୍ପ୍ରଦାୟିକ ହିଂସାଜନିତ ମାମଲା ରୁଜୁ ହୋଇଛି । ଏହି ସ୍ମାରକପତ୍ର ପ୍ରଦାନ ସମୟରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ ଓ ମୁଖପାତ୍ର ସସ୍ମିତ ପାତ୍ର ଉପସ୍ଥିତ ଥିଲେ । 20 Share FacebookTwitterGoogle+ReddItWhatsAppPinterestEmail