କାର୍ଯ୍ୟକର୍ତ୍ତାଙ୍କ ସମର୍ପଣ ହିଁ ଦଳର ପ୍ରକୃତ ଶକ୍ତି: ବିଧାୟକ ଟଙ୍କଧର ତ୍ରିପାଠୀ
ଝାରସୁଗୁଡ଼ା, ୨୪/୧୦: ଝାରସୁଗୁଡ଼ା ସହରର ଏକ ଘରୋଇ ହୋଟେଲରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଝାଡ଼େଶ୍ୱର ମଣ୍ଡଳସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତ ମାତାଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ୱଳନ କରି ବୈଠକର ଶୁଭାରମ୍ଭ କରିଥିଲେ।
ବୈଠକରେ ଉଦ୍ବୋଧନ ଦେଇ ବିଧାୟକ ଶ୍ରୀ ତ୍ରିପାଠୀ କହିଥିଲେ ଯେ, ଦଳର ପ୍ରକୃତ ଶକ୍ତି ହେଉଛନ୍ତି ସମର୍ପିତ କାର୍ଯ୍ୟକର୍ତ୍ତା। ସମସ୍ତଙ୍କ ନିଷ୍ଠା, ଏକତା ଓ ମିଳିତ ପ୍ରୟାସ ଦ୍ୱାରା ଅଞ୍ଚଳର ବିକାଶ ସହ ଜନକଲ୍ୟାଣମୂଳକ କାର୍ଯ୍ୟକୁ ଆଗେଇ ନେବା ଦଳର ମୁଖ୍ୟ ଲକ୍ଷ୍ୟ। ଏଥିସହ ସାଂଗଠନିକ କାର୍ଯ୍ୟକଳାପକୁ ଅଧିକ ସୁଦୃଢ଼ କରିବା, ଦଳର ନୀତି ଓ ଆଦର୍ଶକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଏବଂ ଲୋକଙ୍କ ସମସ୍ୟାକୁ ପ୍ରାଥମିକତା ଦେଇ ସେବା ଯୋଗାଇବା ପାଇଁ ସେ କାର୍ଯ୍ୟକର୍ତ୍ତାମାନଙ୍କୁ ଆହ୍ୱାନ ଦେଇଥିଲେ।

ଏହି ବୈଠକରେ ଝାଡ଼େଶ୍ୱର ମଣ୍ଡଳ ସଭାପତି ବିମଳେନ୍ଦୁ ଭୋଳ, ବରିଷ୍ଠ ନେତା ନେତାଜୀ ପଟ୍ଟନାୟକ, କାଉନସିଲର ଦେବବ୍ରତ ପାଣ୍ଡେ ଓ ତରଙ୍ଗ ଦୁବେଙ୍କ ସମେତ ବହୁ ବିଜେପି ନେତା, କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ। ବୈଠକରେ ସଂଗଠନକୁ ତୃଣମୂଳ ସ୍ତରରେ ଅଧିକ ସକ୍ରିୟ ଓ ସୁଦୃଢ଼ କରିବା ସହ ଜନସାଧାରଣଙ୍କ ସହ ଯୋଗାଯୋଗ ବୃଦ୍ଧି କରିବା ନେଇ ଉପସ୍ଥିତ ସଦସ୍ୟମାନେ ନିଜ ନିଜର ମତାମତ ରଖିଥିଲେ।