ଗାଧୋଇବାକୁ ଯାଇ ନାଗାବଳୀରେ ଭାସିଗଲେ ପର୍ଯ୍ୟଟକ

0 1

ବିପଦ ସଂକେତ ଲଗାଇଦେଇ ପ୍ରଶାସନ ବିନ୍ଦାସ, ଟିକେ ଯତ୍ନବାନ ହେଲେ ଏଡାଇ  ହୁଅନ୍ତା ଅଘଟଣ

ରାୟଗଡା (ସରୋଜ ସାହୁ ) – ନାଗାବଳୀ ନଦୀରେ ଗାଧୋଈବାର ଆକର୍ଷଣ ଯେ ମୃତ୍ୟୁ ମୁହଁକୁ ଟାଣି ନେବା ତାହା ଥିଲା ତାଙ୍କ କଳ୍ପନାର ବାହାରେ | ସେଭଳି ଅଘଟଣ ଘଟିଛି ରାୟଗଡାରେ, ପୁଣି ଜଣେ ପର୍ଯ୍ୟଟକଙ୍କ ଜୀବନ ଚାଲିଯାଇଛି ସହର  ଉପକଣ୍ଠରେ ଥିବା ନାଗାବଳୀ ନଦୀରେ ।
 ଆନ୍ଧ୍ରପ୍ରଦେଶ ନାଇଡ଼ୁପେଟା ଗାଁର କେ.ନାଗେଶ ନିଜ ପରିବାରଙ୍କ ସହିତ ରାୟଗଡ଼ାର ଅଧିଷ୍ଠାତ୍ରୀ  ଦେବୀ ମଝିଘରିଆଣିଙ୍କ ଦର୍ଶନ ପାଇଁ ଆସିଥିଲେ  । ଦର୍ଶନ ସାରି ପରିବାରଙ୍କ ସହିତ ସହର ଉପକଣ୍ଠରେ ଥିବା ଝୁଲା ପୋଲକୁ ବୁଲିବାକୁ ଯାଇଥିଲେ । ପରିବାରର ଅନ୍ୟ ସଦସ୍ୟ ମାନେ ଝୁଲାପୋଲରେ ରହି ପ୍ରାକୃତିକ ସୈନ୍ଦର୍ଯ୍ୟ ଉପଭୋଗ କରୁଥିବା ବେଳେ ନାଗେଶ ଗାଧୋଇବା ଉଦ୍ଦେଶ୍ୟରେ ନାଗାବଳୀ ନଦୀକୁ ଓହ୍ଲାଇଥିଲେ  । ତେବେ ନଦୀ ବିଷୟରେ ଅବଗତ ନଥିବାରୁ ନାଗେଶ ନଦୀର ପ୍ରଖର ସୁଅରେ ଭାସି ଯାଇଥିଲେ  । ପରେ ସ୍ଥାନୀୟ  ପୁଲିସ ଏବଂ ଅଗ୍ନିଶମ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଂଚି  ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ସ୍ଥାନିୟ ଲୋକଙ୍କ ସହାୟତାରେ ନାଗେଶଙ୍କୁ ଝୁଲାପୋଲ ଠାରୁ ଏକ କିଲୋମିଟର ଦୁର ଏକ ପଥର ଖୋଲରୁ ଉଦ୍ଧାର କରାଯାଇଥିଲା  । ଅଗ୍ନିଶମ ବିଭାଗ ନାଗେଶଙ୍କୁ ଜିଲ୍ଲାଚିକିତ୍ସାଳୟରେ ଭର୍ତି କରିଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ  । ପରେ ଶବ ବ୍ୟବଛେଦ କରି ପୁଲିସ ନାଗେଶଙ୍କ ଶବକୁ ପରିବାରକୁ ହସ୍ତାନ୍ତର କରିଛି  । ତେବେ ଗତ ଦୁଇବର୍ଷ ମଧ୍ୟରେ ଝୁଲା ପୋଲ ନିକଟ ନାଗାବଳୀ ନଦୀରେ ୨୦ ଉର୍ଧ୍ଵ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା  ବେଳେ କେବଳ ବିପଦ ସଙ୍କେତ ବୋର୍ଡ ଲଗାଇ ପ୍ରଶାସନ ଚୁପ  ହୋଇ ବସୁଛି  । ରବିବାର ଏବଂ ଶୁକ୍ରବାର ଦିନ ପଡେ଼ାଶି ଆନ୍ଧ୍ରରୁ ହଜାର ହଜାର ଭକ୍ତ ଟ୍ରେନ ଯୋଗେ ଆସି ମଝିଘରିଆଣିଙ୍କ ଦର୍ଶନ ପରେ ଝୁଲା ପୋଲକୁ ବୁଲିବାକୁ ଯାଇଥାନ୍ତି  । ତେଣୁ ଅନ୍ତତଃ ପକ୍ଷେ ରବିବାର ଏବଂ ଶୁକ୍ରବାର ଦିନ ମଝିଘରିଆଣି ମନ୍ଦିର ପ୍ରଶାସନ ପକ୍ଷରୁ ସେଠାରେ ସୁରକ୍ଷା କରମୀ ମୁତୟନ ସାଙ୍ଗକୁ ମନ୍ଦିର ପରିସରରେ ପ୍ରଚାର ପତ୍ର ମାଧ୍ୟମରେ ପଡେ଼ାଶି ରାଜ୍ୟର ଶ୍ରଦ୍ଧାଳୁଙ୍କୁ ସଚେତନ କରାଗଲେ ଏଭଳି ଦୁର୍ଘଟଣାକୁ ଏଡା ଯାଇ ପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚା ହେଉଛି   ।

Leave A Reply

Your email address will not be published.