କାଶୀପୁର ରୁ ବୈକୁଣ୍ଠ ଦୁରିଆ – ଟିକିରି ସ୍ଥିତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆଜି ଏକ ବ୍ୟାପକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଲାଇଟ୍ ହାଉସ ଇନିସିଏଟିଭ୍ ପ୍ରୋଜେକ୍ଟର ସହଯୋଗ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସକ୍ରିୟ ଅଂଶଗ୍ରହଣରେ ଏହି ସଫେଇ ଅଭିଯାନ ସଫଳତାର ସହ ସମ୍ପନ୍ନ ହୋଇଛି।
ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ବକୁଳରାଣୀ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଏହି ଅଭିଯାନରେ ବିଦ୍ୟାଳୟର ସମସ୍ତ ବିଦ୍ୟାର୍ଥୀ ଏବଂ କର୍ମଚାରୀମାନେ ଉତ୍ସାହର ସହ ଯୋଗଦେଇଥିଲେ। ଏହି ଅବସରରେ ବିଦ୍ୟାଳୟ ପରିସର ଭିତର ଏବଂ ବାହାର ପାଚେରି ପାଖରେ ଜମା ହୋଇଥିବା ଅଳିଆ ଆବର୍ଜନା, ପ୍ଲାଷ୍ଟିକ ଏବଂ ଅନାବଶ୍ୟକ ଘାସ ଆଦି ସଫା କରାଯାଇଥିଲା।

”ସ୍ୱଚ୍ଛ ହିଁ ଜୀବନ” ଏବଂ ପରିବେଶକୁ ସବୁବେଳେ ପରିଷ୍କାର ରଖିବା ବାର୍ତ୍ତାକୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରସାରିତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଛାତ୍ରଛାତ୍ରୀମାନେ ନିଜ ବିଦ୍ୟାଳୟକୁ ସଫ୍ସୁତୁରା ରଖିବା ସହିତ ନିଜ ଅଞ୍ଚଳକୁ ସ୍ୱଚ୍ଛ ରଖିବା ପାଇଁ ସଂକଳ୍ପବଦ୍ଧ ହୋଇଥିଲେ। ବିଦ୍ୟାଳୟର ଏଭଳି ସଚେତନତାମୂଳକ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି।