ପ୍ରଫେସର ଅରୁଣ ମିଶ୍ର ଅଖିଳ ଭାରତୀୟ ପ୍ରାଚ୍ୟବିଦ୍ୟା ସମ୍ମେଳନର ନୂତନ ଜାତୀୟ ସଭାପତି ନିର୍ବାଚିତ

56


ଭୁବନେଶ୍ଵର:  ଖୋର୍ଦ୍ଧାର ସ୍ଥାୟୀ ନିବାସୀ ପ୍ରଖ୍ୟାତ ସଂସ୍କୃତ ଶିକ୍ଷାବିତ୍ ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ପ୍ରଫେସର ଅରୁଣ ରଞ୍ଜନ ମିଶ୍ର ବିଶ୍ବର ବୃହତ୍ତମ ଅନୁଷ୍ଠାନ ଅଖିଳ ଭାରତୀୟ ପ୍ରାଚ୍ୟବିଦ୍ୟା ସମ୍ମେଳନର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଏହି ମର୍ଯ୍ୟାଦା ଜନକ ଅନୁଷ୍ଠାନର ସଭାପତି ହେବାରେ ସେ ହେଉଛନ୍ତି ଦ୍ବିତୀୟ ଓଡ଼ିଆ। ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ରାଜ୍ୟପାଳ ଜାନକୀ ବଲ୍ଲଭ ପଟ୍ଟନାୟକ ଏହି ଅନୁଷ୍ଠାନର ସଭାପତି ଥିଲେ।

ଭାରତୀୟ ବିଦ୍ୟାର ବହୁ ଶାଖାଙ୍କ ବିଷୟରେ ଗଭୀର ଅଧ୍ୟୟନ, ଗବେଷଣା ଓ ପ୍ରସାର କାର୍ଯ୍ୟରେ ୧୯୧୭ ମସିହାରୁ ଲାଗିଥିବା ବିଶ୍ୱର ବୃହତ୍ତମ ଅନୁଷ୍ଠାନ ଅଖିଳ ଭାରତୀୟ ପ୍ରାଚ୍ୟବିଦ୍ୟା ସମ୍ମେଳନ(ପୁଣେ)ର ୫୨ତମ ଅଧିବେଶନ ପତଞ୍ଜଳି ବିଶ୍ୱବିଦ୍ୟାଳୟ (ହରିଦ୍ୱାର )ରେ ଅନୁଷ୍ଠିତ ହୋଇ ଯାଇଛି। ଭାରତ ଓ ବିଦେଶର ପ୍ରାୟ ଦୁଇ ହଜାର ଅଧ୍ୟାପକ ଓ ଗବେଷକ ୩୦ରୁ ଅଧିକ ଜ୍ଞାନ ଧାରା ଉପରେ ସମାନ୍ତରାଳ ଚର୍ଚ୍ଚା ସମ୍ପାନରେ ଯୋଗଦେଇ ଶୋଧପତ୍ର ସହିତ ଭାରତୀୟ ଵିଦ୍ୟାର ବିଭିନ୍ନ କୋଣକୁ ନେଇ ନିଜର ନିଜର ବକ୍ତବ୍ୟ ରଖିଥିଲେ।


      ପତଞ୍ଜଳି ବିଶ୍ୱବିଦ୍ୟାଳୟର କୁଳପତି ସ୍ୱାମୀ ରାମଦେବ, ସଂଚାଳକ ସ୍ୱାମୀ ଶ୍ରୀ ବାଳକୃଷ୍ଣ, କେନ୍ଦ୍ର ଶିକ୍ଷା ବୋର୍ଡର ଅଧ୍ୟକ୍ଷ ପ୍ରଫେସର ଏନ.ପି.ସିଂ, ଉତ୍ତରାଖଣ୍ଡ ସରକାରଙ୍କ ବିଜ୍ଞାନ ଓ ପ୍ରଦ୍ୟୋଗିକୀ ମନ୍ତ୍ରୀ ପ୍ରଦୀପ ବାତ୍ରା ଓ କୋଡିଏଟି ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହାଭାଗିତା ଓ ଚିନ୍ତନ ଦ୍ୱାରା ପରିପୁଷ୍ଟ  ଏହି ସମ୍ମେଳନରେ ଶାନ୍ତିନିକେତନର ପ୍ରାକ୍ତନ ସଂସ୍କୃତ ପ୍ରଫେସର ଡକ୍ଟର ଅରୁଣ ରଞ୍ଜନ ମିଶ୍ର ଏକ ଦ୍ବି-ସ୍ତରୀୟ ନିର୍ବାଚନରେ ଆସନ୍ତା ଦୁଇବର୍ଷ ପାଇଁ ଏହି ବିଶ୍ଵପ୍ରସିଦ୍ଧ ଅନୁଷ୍ଠାନର ଜାତୀୟ ସଭାପତି ଭାବେ ନିର୍ବାଚିତ ହୋଇ ବର୍ତ୍ତମାନର ସଭାପତି ଓ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶ୍ରୀନିବାସ ବରଖେଡିଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଏହି ସମ୍ମାନ ପାଇବାରେ ଓଡିଶାର ଦ୍ଵିତୀୟ ବ୍ୟକ୍ତିତ୍ୱ। ଏଥି ପୂର୍ବରୁ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଆସାମର ରାଜ୍ୟପାଳ ଥିଵା ବେଳେ ଏହି ବିରଳ ସମ୍ମାନର ଅଧିକାରୀ ହୋଇ ଥିଲେ।
     ସୂଚନାଯୋଗ୍ୟ ଯେ, ପ୍ରଫେସର ମିଶ୍ର ଉତ୍କଳ ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାଗର ପୁରାତନ ଛାତ୍ର। ସେ ଓଡ଼ିଶାରେ ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ ପ୍ରାୟ ୧୯ ବର୍ଷ  ଧରି ଅଧ୍ୟାପନା କରିବା ପରେ ବିଶ୍ଵଭାରତୀ ବିଶ୍ଵବିଦ୍ୟାଳୟ, ଶାନ୍ତି ନିକେତନର ସଂସ୍କୃତ ବିଭାଗର ପ୍ରଫେସର ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଛନ୍ତି। ୨୦୨୩ ମସିହାରେ ସେ ତାଙ୍କର କାବ୍ୟଗ୍ରନ୍ଥ ‘ଶୂନ୍ୟେ ମେଘଗାନ’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି। ଇଂରାଜୀ, ଓଡ଼ିଆ ଓ ସଂସ୍କୃତ ଭାଷାରେ ୪୦ଟି ପୁସ୍ତକ ଏବଂ ଇଂରାଜୀ ଭାଷାରେ ପ୍ରାୟ ୧୫୦ଟି ଶୋଧ ପ୍ରବନ୍ଧ ରଚନା କରି ସେ ବିଶ୍ୱ ସ୍ତରୀୟ ଆଦୃତି ଲାଭ କରିଛନ୍ତି। ପ୍ରତି ଦୁଇ ବର୍ଷରେ ତିରିଶଟି ଯୁବ ଗବେଷକ ପୁରସ୍କାର ଆବଣ୍ଟନ କରୁଥିବା ଏ.ଆଇ.ଓ.ସି. ର ଦାୟିତ୍ୱ ଗ୍ରହଣ କରି ପ୍ରଫେସର ମିଶ୍ର ସହସ୍ରାଧିକ ସଭ୍ୟଙ୍କର ଆସ୍ଥା ଲାଗି ଧନ୍ୟବାଦ ଦେବା ସହ ଭବିଷ୍ୟତରେ ଭାରତୀୟ ଜ୍ଞାନ ପରମ୍ପରାର ପୁନଃରୁତ୍ଥାନ ପାଇଁ ପ୍ରତି ରାଜ୍ୟର ପ୍ରାଚ୍ୟତତ୍ତ୍ୱବିତଙ୍କର ସହଯୋଗ କାମନା କରିଥିଲେ।

Leave A Reply

Your email address will not be published.