୧୫ କୁଇଣ୍ଟାଲ ତମାଖୁ ଗୁଣ୍ଡ ଜବତ, ପିକ୍‌ଅପ୍‌ ଭ୍ୟାନ୍‌ ଜବତ ସହ ଚାଳକ ଗିରଫ,

14

ଓଡ଼ଗାଁ, ୦୧।୧୧ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ବାହାଡ଼ାଝୋଲା ଫାଣ୍ଡି ନିକଟସ୍ଥ ଅରବିନ୍ଦ ସ୍କୁଲ ସମ୍ମୁଖରୁ ଓଡ଼ଗାଁ ପୁଲିସ ଏକ ପିକ୍‌ଅପ୍‌ ଭ୍ୟାନ୍‌ ସହ ୧୫ କୁଇଣ୍ଟାଲ ତମାଖୁ ଗୁଣ୍ଡ ଜବତ କରିଛି। ଏହି ଘଟଣାରେ ଗାଡ଼ି ଚାଳକଙ୍କୁ ଗିରଫ କରାଯାଇ ରବିବାର କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଓଡ଼ି ୦୭ ଏଡବ୍ଲ୍ୟୁ ୩୬୫୩ ନମ୍ବର ବିଶିଷ୍ଟ ପିକ୍‌ଅପ୍‌ ଭ୍ୟାନ୍‌ରେ ୩୫ଟି ବସ୍ତାରେ ଭର୍ତ୍ତି ହୋଇଥିବା ପ୍ରାୟ ୧୫ କୁଇଣ୍ଟାଲ ତମାଖୁ ଗୁଣ୍ଡ ବେଆଇନ ଭାବେ ପରିବହନ ହେଉଥିଲା। ଏହି ଘଟଣାରେ ଗିରଫ ଚାଳକ ଜଣକ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଅଙ୍କୁଶପୁର ନିକଟସ୍ଥ କୃପାସିନ୍ଧୁପୁର ଗ୍ରାମର ଅବିନାଶ ମହାଙ୍କୁଡ (୩୫) ବୋଲି ଜଣାପଡ଼ିଛି।ସୂଚନାନୁଯାୟୀ, ବ୍ରହ୍ମପୁରରୁ ତମାଖୁ ପ୍ରସ୍ତୁତିରେ ବ୍ୟବହୃତ କଞ୍ଚାମାଲ ଗୁଣ୍ଡ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ଟି ବାଲିଗୁଡ଼ା ଅଭିମୁଖେ ଯାଉଥିଲା। ବାତ୍ୟା ଯୋଗୁଁ ହିଞ୍ଜିଳିକାଟୁ ନିକଟରେ ଏକ ପୋଲ ଭାଙ୍ଗିଯାଇଥିବାରୁ ଗାଡ଼ିଟି ନିର୍ଦ୍ଧାରିତ ରାସ୍ତା ପରିବର୍ତ୍ତେ ବ୍ରହ୍ମପୁରରୁ ଚାନ୍ଦପୁର ଦେଇ ନୟାଗଡ଼, ଓଡ଼ଗାଁ ଓ ବାହାଡ଼ାଝୋଲା ରାସ୍ତାରେ ଯାଉଥିଲା। ଏହି ସମୟରେ ଅରବିନ୍ଦ ସ୍କୁଲ ନିକଟରେ ଓଡ଼ଗାଁ ପୁଲିସ ଗାଡ଼ିଟିକୁ ଅଟକାଇ ଯାଞ୍ଚ କରିବା ପରେ ତମାଖୁ ଗୁଣ୍ଡ ଜବତ କରିବା ସହ ଚାଳକଙ୍କୁ ଗିରଫ କରିଥିଲା। ଏହି ବେଆଇନ କାରବାରରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏବଂ ଏହାର ଚେର କେଉଁଠାକୁ ଲମ୍ବିଛି, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.